/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679834400.jpg)
MKCG Hospital
ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ନାହିଁ ବର୍ଣ୍ଣ କେୟାର ୟୁନିଟ୍ । ପ୍ରତି ମାସରେ ଶତାଧିକ ରୋଗୀ ନିଆଁରେ ପୋଡି ହୋଇ ଚିକିତ୍ସା ପାଇଁ ଆସୁଛନ୍ତି । ଅତି ଗୁରୁତର ରୋଗୀଙ୍କୁ ଏଠାରେ ଚିକିତ୍ସା କରାନଯାଇ ସଙ୍ଗେ ସଙ୍ଗେ ବାହାର ମେଡିକାଲକୁ ରେଫର କରାଯାଉଛି । ୩ବର୍ଷ ତଳେ ରଙ୍ଗେଇଲୁଣ୍ଡା ବ୍ଲକ ମେଣ୍ଡରାଜପୁର ବସ୍ ଟ୍ରାଜେଡି ଘଟଣା ବେଳେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବ ସମସ୍ତେ ଏମ୍କେସିଜି ମେଡିକାଲରେ ବର୍ଣ୍ଣ କେୟାର ୟୁନିଟ୍ ଖୋଲାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏହା କେବଳ ପ୍ରତିଶ୍ରୁତିରେ ରହିଯାଇଛି ।
ଏ ହେଉଛନ୍ତି ମମତା ସାହୁ । ୨ ବର୍ଷ ତଳେ କରୋନା ସମୟରେ ଘରେ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ହୋଇଥିଲା । ମମତାଙ୍କ ସହ ତାଙ୍କ ଝିଅ ଉଭୟ ଗୁରୁତର ହୋଇପଡିଲେ । ହାତ, ଗୋଡ଼ ସହ ଦେହ ସାରା ୫୦ରୁ ଅଧିକ ପ୍ରତିଶତ ଜଳିଗଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏମ୍କେସିଜି ମେଡିକାଲକୁ ଆଣିଥିଲେ ପରିବାର ଲୋକେ ।
ହେଲେ ଏଠାରେ ବର୍ଣ୍ଣ କେୟାର ୟୁନିଟ୍ ନଥିବାରୁ ଡାକ୍ତର କଟକ ରେଫର କରିଥିଲେ । କଟକ ଦୂର ହୋଇଥିବାରୁ ଅଧିକ ଖର୍ଚ୍ଚାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି । ସେପଟେ ଏକ ଅଘଟଣରୁ ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ପୁଅ ଦେହରେ ନିଆଁ ଲାଗିଯିବାରୁ ସେ ବି ନାହିଁ ନଥିବା ହଇରାଣ ହୋଇଛନ୍ତି । କଟକ ଦୌଡ଼ି ଦୌଡ଼ି ନୟାନ୍ତ ବି ହୋଇଛନ୍ତି । କେବଳ ଏହି ଦୁଇ ଜଣ ନୁହଁନ୍ତି, ଏମ୍କେସିଜି ମେଡିକାଲରେ ବର୍ଣ୍ଣ କେୟାର ୟୁନିଟ୍ ନଥିବାରୁ ଏଠାକୁ ଆସି ଅନେକ ହନ୍ତସନ୍ତ ହୋଇଛନ୍ତି ।
ଦକ୍ଷିଣ ଓଡ଼ିଶାର ୧୦ରୁ ଅଧିକ ଜିଲ୍ଲାରୁ ଅନେକ ଜଳାପୋଡ଼ା ରୋଗୀ ଆସି ଏମକେସିଜିରେ ଚିକିତ୍ସା ନପାଇ ଫେରିଛନ୍ତି । ଗୁରୁତର ରୋଗୀଙ୍କୁ ଅନ୍ୟ ମେଡିକାଲକୁ ରେଫର କରିଦିଆଯାଇଛି । ୨୦୨୦ ଫେବ୍ରୁଆରୀ ୯ ତାରିଖରେ ମେଣ୍ଡରାଜପୁରରେ ବିଦ୍ୟୁତ ତାରରେ ଏକ ବସ୍ ଲାଗିଯିବାରୁ ବଡଧରଣର ଅଘଟଣ ହୋଇଥିଲା । ଏହି ଘଟଣାରେ ସେତେବେଳେ ୧୦ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ପରେ ଦୁଇ ଦୁଇଟି ବଡ଼ ସୁପର ସ୍ପେଶାଲିଟି ଶୀତ ତାପ ନିୟନ୍ତ୍ରିତ କୋଠା ହୋଇଥିଲା ଏଠାରେ ।
ସେଥିରେ ପୋଡ଼ା ଜଳା ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗ ଖୋଲିଲା । ହେଲେ ଏପର୍ଯ୍ୟନ୍ତ ବିଭାଗ କାମ କରିପାରୁନାହିଁ । ଏପଟେ ଏମକେସିଜି ଅଧୀକ୍ଷକ କହିଛନ୍ତି, ବର୍ଣ୍ଣକେୟାର ୟୁନିଟ ପାଇଁ ସରକାରଙ୍କୁ ପ୍ରପୋଜାଲ ପଠାଯାଇଛି । ଏପଟେ ଗତ ୧୩ତାରିଖରେ ବିଧାନସଭାରେ ବିଧାୟକ ବିକ୍ରମ ପଣ୍ଡାଙ୍କ ପ୍ରଶ୍ନରେ ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ବର୍ଣ୍ଣକେୟାର ୟୁନିଟ୍ କାର୍ଯ୍ୟକ୍ଷମ ହେବା ଉପରେ ପ୍ରସ୍ତାବ ବିଚାରଧୀନ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)