• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପ୍ରଶାସନର ନାକ ତଳେ ବେଧଡ଼କ ଚାଲିଛି ମାଙ୍କଡ଼ା ପଥର ମହାଲୁଟ୍

  • ତଦନ୍ତ ପାଇଁ ଟାସ୍କଫୋର୍ସ ଗଠନ ନିର୍ଦ୍ଦେଶ

ଜଗନ୍ନାଥ ଜମିରେ ଖଣି ମାଫିଆଙ୍କ ରାଜ୍ । ସରକାରୀ ଜମି ତ ଖୋଳିଲେ, ମହାପ୍ରଭୁଙ୍କ ଜମି ବି ଛାଡିଲେନି । ଲୁଟ୍ ହେଉଛି କୋଟି କୋଟି ଟଙ୍କାର ସମ୍ପତ୍ତି । ଖୋର୍ଦ୍ଧାର ଜିଲ୍ଲା ନିଜିଗଡ ତାପଙ୍ଗ ପଞ୍ଚାୟତରେ ଚାଲିଛି ଏହି ବେଆଇନ ଖଣି କାରବାର । ଜିଲ୍ଲାପାଳ, ଉପ-ଜିଲ୍ଲପାଳ, ତହସିଲ ଅଫିସ୍ ଠାରୁ ମାତ୍ର ୧୨ରୁ ୨୫ କିମି ଦୂରରେ ସ୍ପଷ୍ଟ ଦିବାଲୋକରେ ଖୋଳା ହେଉଛି, ଚାଲାଣ ଚାଲିଛି । ବଡ଼ କଥା ହେଲା ଖଣି ଚୋରି ଚାଲିଛି ବୋଲି ନ୍ୟାସନାଲ ଗ୍ରୀନ ଟ୍ରିବୁନାଲରେ ସତ୍ୟପାଠ ଦାଖଲ କରି ଖୋଦ୍ ଜିଲ୍ଲା ପ୍ରଶାସନ ବି ମାନିଛି । ହେଲେ ଏତେ ବଡ଼ ଲୁଟ୍ ନେଇ ନା କାହା ଉପରେ ମାମଲା ହୋଇଛି ନା ଫାଇନ୍ । ଏବେ ଏହି ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ସହ ଯୁଗ୍ମ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଖୋର୍ଦ୍ଧାର ନିଜିଗଡ଼ ତାପଙ୍ଗ ପଞ୍ଚାୟତ ଅଞ୍ଚଳର ପଞ୍ଚାୟତର ତାପଙ୍ଗ, ଅଣ୍ଡା ଓ ଝିଙ୍କିଝାରୀ ଗାଁରେ ଥିବା ଶହ ଶହ ଏକର ଜଗନ୍ନାଥ ଜମିରେ ଚାଲିଛି ଲୁଟ୍ । ଦିନରେ ଖୋଳୁଛନ୍ତି ଆଉ ରାତି ହେଲେ ଚାଲାଣ ହେଉଛି । ସରକାରୀ ବାବୁମାନେ ଏକଥା ଯେ ଜାଣି ନାହାନ୍ତି, ତା ନୁହେଁ ଗ୍ରୀନ୍ ଟ୍ରିବୁନାଲରେ ସତ୍ୟପାଠ କରି ଖୋଦ୍ ଖୋର୍ଦ୍ଧା ଜିଲ୍ଲାପାଳ ବି ମାନିଛନ୍ତି ।୨୧୪ ଏକରରୁ ଅଧିକ ଜମିରେ ବେଆଇନ୍ ଭାବେ ୫୯ଟି ଖଣି ଚାଲିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖୁଲମଖୁଲା ଖଣି ଖନନରୁ କାହାଠୁ ଟଙ୍କାଟିଏ ବି ଆଦାୟ କରିପାରି ନାହାନ୍ତି ସରକାର ।

 

ଏପଟେ କିନ୍ତୁ ଖୋଳା ଯାଇଥିବା ସ୍ଥାନର ପୁନରୁଦ୍ଧାର ପାଇଁ ପ୍ରାୟ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସତ୍ୟପାଠରେ ଲେଖିଛି ଜିଲ୍ଲା ପ୍ରଶାସନ । ହେଲେ ଏପର୍ଯ୍ୟନ୍ତ ନା ଗୋଟିଏ ମାମଲା ହୋଇଛି, ନା କାହାଠୁ ଫାଇନ ପାଇଁ ନୋଟିସ୍ ହୋଇଛି । ଅଭିଯୋଗ ପରେ ଉପ-ଜିଲ୍ଲପାଳଙ୍କୁ ପଚାରିବାରୁ ତାଙ୍କ କହିବା କଥା ଚଢ଼ାଉ ଚାଲିଛି ।

ଏବେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନଜିଟି ଗୃହ ସଚିବ, ପୋଲିସ ଡିଜି ଏବଂ ରାଜ୍ୟ ପ୍ରଦୃଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ମିଳିତ ବୈଠକ କରି ୧୫ ମଧ୍ୟରେ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ରହିଛି । ଏହା ସହ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସିପିସିବି, ଏସ୍ଇଆଇଏଏର ଜଣେ ଅଧିକାରୀଙ୍କ ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନେଇ ଯୁଗ୍ମ କମିଟି ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

ବେଆଇନ ପଥର କାରବାର କିପରି ବନ୍ଦ ହେବ, ପଥର ମାଫିଆଙ୍କୁ ଚିହ୍ନଟ କରାଯିବ । ଏହାସହ ସେମାନଙ୍କ ଠାରୁ କ୍ଷତିଭରଣା ଏବଂ ଖୋଳା ଯାଇଥିବା ସ୍ଥାନର ପୁନରୁଦ୍ଧାର ପାଇଁ ଏହି କମିଟି କାମ କରିବ । ଏନଜିଟିଙ୍କ ନିକଟରେ ୪ ମାସ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବ ଏହି କମିଟି । ବଡ଼କଥା ହେଲା ତିନିବର୍ଷ ଧରି ଏନଜିଟିରେ ମାମଲା ଚାଲିଥିଲା ବେଳେ ବଢ଼ିଚାଲିଛି ବେଆଇନ୍ ଖଣିର ସଂଖ୍ୟା । ଏମିତିକି ୨୦୧୮ରେ ମାମଲା ଆରମ୍ଭ ହେବା ସମୟରେ ୨୬ଟି ବେଆଇନ୍ ଖଣି ଚାଲିଥିଲାବେଳେ ଏବେ ଏହି ସଂଖ୍ୟା ୫୯ରେ ପହଞ୍ଚିଲାଣି ।

ରିପୋର୍ଟ - ବଳରାମ ଲେଙ୍କା ଓ ସୌମ୍ୟ ରଞ୍ଜନ ସାହୁ