• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କ୍ୟାବିନେଟ ବୈଠକରେ ନୂଆ ଯୋଜନା ‘ମୋ ଘର’କୁ ମିଳିଛି ମଞ୍ଜୁରୀ । ନିମ୍ନ ପରିବାରର ଯେଉଁ ହିତାଧୀକାରୀ କୌଣସି ସରକାରୀ ଯୋଜନାରେ ଘର ପାଇନଥିବେ ସେମାନେ ଏହି ଯୋଜନାର ଲାଭ ପାଇପାରିବେ । ଏହି ଯୋଜନାରେ ହିତାଧିକାରୀ ନୂଆ ଘର କିମ୍ବା ଭଙ୍ଗାଘରକୁ ସଜାଡି ପାରିବ ତଥା ଅସଂପୂର୍ଣ୍ଣ ଘରକୁ ସଂପୂର୍ଣ୍ଣ କରିପାରିବେ ।

ଏହି ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ ବ୍ୟାଙ୍କଋଣ ପାଇପାରିବେ । ଦଶ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାର ସୁବିଧା ରହିଛି । ୧ ଲକ୍ଷ ଋଣ କଲେ ସାଧାରଣ ବର୍ଗଙ୍କୁ ୩୦, ST/SCଙ୍କୁ ୪୦ ହଜାର ସବସିଡି । ଜଣେ ହିତାଧିକାରୀ ଅତି କମରେ ୧ ଲକ୍ଷ, ଦେଢ ଲକ୍ଷ, ୨ଲକ୍ଷ ଏବଂ ୩ଲକ୍ଷ ଟଙ୍କା ଋଣ ପାଇପାରିବେ । ଦେଢ଼ ଲକ୍ଷରେ ୪୫ ଓ ୫୫ ହଜାର, ୨ ଓ ୩ ଲକ୍ଷରେ ୬୦ ଓ ୭୦ ହଜାର ସବସିଡି ପାଇବେ । ପ୍ରଥମ ବର୍ଷକୁ ବାଦ୍ ଦେଇ ବାକି ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିପାରିବେ ।

କଚ୍ଚା ଘର ଥିଲେ କିମ୍ବା ଗୋଟିଏ ବଖରା ଛାତ ଘର ଥିଲେ ହିତାଧିକାରୀ ପାଇପାରିବେ ଋଣ । ପରିବାରର ମାସିକ ଆୟ ୨୫ ହଜାରରୁ କମ୍ ଥିଲେ ଋଣ ପାଇବେ । ୫ ଏକର ଜଳସେଚିତ, ୧୫ ଏକର ଅଣଜଳସେଚିତ ଜମିରୁ କମ୍ ଥିଲେ ମଧ୍ୟ ମିଳିବ ଋଣ । ଋଣ ପାଇବାକୁ ସ୍ୱତନ୍ତ୍ର ୱେବସାଇଟରେ ଜୁନ୍ ୧୬ରୁ ଆବେଦନ ଆରମ୍ଭ ହେବ । ହିତାଧିକାରୀ ଇଛା କଲେ ୧୦ ବର୍ଷ ପୂର୍ବରୁ ଋଣ ପରିଶୋଧ କରିପାରିବେ ।

ବ୍ୟକ୍ତିଗତ ବ୍ୟବହାର କିମ୍ବା ବ୍ୟବସାୟ ପାଇଁ ବ୍ୟବହାର ପାଇଁ ଚାରିଚକିଆ ଯାନ ଥିଲେ ଯୋଜନାର ଲାଭମିଳିବନି । ସେହିପରି ପରିବାର ସଦସ୍ୟ ସରକାରୀ ଚାକିରୀ କିମ୍ବା ପେନସନ ଭୋଗୀ ହୋଇଥିଲେ ଯୋଜନାର ଲାଭ ମିଳିବନି ବୋଲି କୁହାଯାଇଛି ।

ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ଉପରେ ମୋହର ବାଜିଛି  । ମୋଟ ୧୮ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । 'ମୋ ଘର' ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ସହାୟତା ଯୋଜନା ହେଉଛି ‘ମୋ ଘର’ । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୩୩୦.୧୭ କୋଟି ମଂଜୁର ହୋଇଛି । VSSUTର ଉନ୍ନତୀକରଣ ପାଇଁ ୨୦୦୦ କୋଟିର ଅନୁମୋଦନ ମିଳିଛି ।

ସେହିପରି ବଲାଙ୍ଗୀର ଜିଲ୍ଲାରେ ପାନୀୟ ଜଳର ଆବଶ୍ୟକତା ପାଇଁ ୬ଟି ପାଇପ ପାଣି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୨୨୨ଟି ଗାଁର ୧.୬୧ ଲକ୍ଷରୁ ଅଧିକ ବାସିନ୍ଦା ଉପକୃତ ହେବେ । ଗଜପତି ଜିଲ୍ଲାର ଗୁମ୍ମା ଓ ରାୟଗଡ଼ା ବ୍ଲକରେ ପାଇପ ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ ମୋହର ବାଜିଛି । ଖରିଫ ଓ ରବି ଋତୁ ଚାଷପାଇଁ ଭୂତଳ ଜଳର ପୋଷନୀୟ ବିନିଯୋଗ ପାଇଁ ୩୬୪.୪୦ କୋଟି ଟଙ୍କା ମଂଜୁର ହୋଇଛି ।

ସଦ୍ୟ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଜ୍ୱିଗୋଟୋ ଏବଂ ଓଡ଼ିଆ ଚଳଚ୍ଚିତ୍ର ଡେଲିଭରି ବୟକୁ କରମୁକ୍ତ କରିବାକୁ ଅନୁମୋଦନ ମିଳିଛି । କୋଣାର୍କ ଓ ଏକାମ୍ର କ୍ଷେତ୍ରର ଉନ୍ନୟନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାପତିତ୍ୱରେ ବୈଠକ ବସିଥିଲା ।

  • Reported by:
  • HARIHARA CHAND