• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ନିମପୁରର ଚାଷୀ ଅନ୍ତର୍ଯ୍ୟାମୀ ବାରିକ । ଗାଧୋଇବା, ଶୌଚ ହେବା ପାଇଁ ନଦୀ ବିନା ସେମାନଙ୍କର ପାଖରେ ଅନ୍ୟ ବାଟ ନାହିଁ । ହେଲେ ୧୫ ଦିନରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର । ଭୟରେ ଗ୍ରାମବାସୀଙ୍କ ଦ୍ୱାରା ତିଆରି ତାରଜାଲି ବନ୍ଧା ନଦୀ ଘାଟରେ ତରତରରେ ଗାଧୋଇ ଫେରିବାକୁ ପଡ଼ୁଛି ।

ଏବେ ରାଜ୍ୟର ଏସବୁ ନଦୀ ଘାଟ ପାଲଟିଛି ମରଣ ଘାଟ । କେବେ କୁମ୍ଭୀର ଝାମ୍ପରେ ଜୀବନ ଯାଉଛି ତ’ ଆଉ କେବେ ଗାଧୋଉଥିବା ବେଳେ ପାଣିର ପ୍ରଖର ସୁଅରେ । ପ୍ରତିବର୍ଷ ନଦୀରେ ଅନେକ ଜୀବନ ଯିବାପରେ ସରକାରଙ୍କୁ ଏବେ ଘାରିଛି ନଦୀଘାଟ ସୁରକ୍ଷା ଚିନ୍ତା । ଏଥିପାଇଁ ଜଳସମ୍ପଦ ଓ ବନ ବିଭାଗ ସହ ସମନ୍ୱୟ ରକ୍ଷା କରି କାମ ଆରମ୍ଭ କରିଛି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ- OSDMA । ଫେନ୍ସିଂ ନେଟ୍ ଜରିଆରେ ନଦୀଘାଟ ସୁରକ୍ଷିତ କରିବାକୁ ପ୍ରସ୍ତୁତ ହୋଇଛି ନୂଆ ବ୍ଲୁ ପ୍ରିଣ୍ଟ ।

ପ୍ରାରମ୍ଭିକ ଭାବେ ଲୋକଙ୍କ ଦ୍ୱାରା ବହୁଳ ବ୍ୟବହୃତ ଶହେଟି ନଦୀ ଘାଟରେ ଫେନ୍ସିଂ ନେଟ୍ ଲଗାଇବାକୁ ଯୋଜନା ହୋଇଛି । ନଦୀଘାଟରେ ବାଡ଼ ଦିଆଯିବା ସହ ବ୍ୟବହୃତ ଅଞ୍ଚଳରେ ଫେନ୍ସିଂ ନେଟ୍ ଲଗାଇବାକୁ ନିଷ୍ପତ୍ତି ହୋଇଛି । ଫଳରେ ନଦୀ ଭିତରୁ ଆସୁଥିବା କୁମ୍ଭୀର ଗାଧୁଆ ଘାଟ ଭିତରକୁ ପଶିପାରିବେ ନାହିଁ । ଅନ୍ୟପକ୍ଷରେ ଗାଧୋଉଥିବା ବେଳେ ପାଣି ସୁଅରେ ଭାସିଯାଉଥିବା ଲୋକେ ଫେନ୍ସିଂ ନେଟ୍ ଜରିଆରେ ରକ୍ଷା ପାଇପାରିବେ ।

ସରକାରଙ୍କ ନଦୀଘାଟ ଫେନ୍ସିଂ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ । କହିଛନ୍ତି, ନଦୀ ଘାଟ ଏକ ବିରାଟ ଅଞ୍ଚଳ। ଏହାକୁ କିଭଳି ଫେନ୍ସିଂ କରିବେ? ଏହା କେତେ ଜନ ଉପଯୋଗୀ ହୋଇପାରିବ ? ଆହୁରି ମଧ୍ୟ କହିଛନ୍ତି ନଦୀ ମୃତ୍ୟୁ ରୋକିବାକୁ ଫେନ୍ସିଂ ଏକମାତ୍ର ବିକଳ୍ପ ନୁହେଁ । ସରକାରଙ୍କୁ ଅନ୍ୟ ବିକଳ୍ପ ଉପରେ ବି ବିଚାର କରିବାର ଆବଶ୍ୟକତା ରହିଛି ।

ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, ଗତ ୫ ବର୍ଷରେ ନଦୀ, ପୋଖରୀ ତଥ୍ୟ ଅନ୍ୟ ଜଳ ଉତ୍ସରେ ବୁଡ଼ି ୫ ହଜାର ୨୧୧ ଜଣ ଲୋକଙ୍କ ଜୀବନ ଯାଇଛି । ୨୦୧୭-୧୮ରେ ପାଣିରେ ବୁଡ଼ି ୮୨୦ ଲୋକଙ୍କ ଜୀବନ ଯାଇଥିବା ବେଳେ ୨୦୧୮-୧୯ରେ ୯୯୯, ୨୦୧୯-୨୦ରେ ୧୨୦୦, ୨୦୨୦-୨୧ରେ ୯୮୩ ଓ ୨୦୨୧-୨୨ରେ ୧୨ଶହ ୯ ଜଣ ଲୋକଙ୍କ ଜୀବନ ଯାଇଛି । ଏଭଳି ସ୍ଥିତିରେ ସରକାର ନଦୀଘାଟ ଫେନ୍ସିଂ ବ୍ଲୁ ପ୍ରିଣ୍ଟ କେତେ ସଫଳ ହେଉଛି, ଦେଖିବାକୁ ବାକି ରହିଲା ।

  • Reported by:
  • KAPILENDRA PRADHAN , PRABIR KUMAR NAYAK