• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଖତ ଖାଉଛି ମୋଟର ଲଞ୍ଚ

  • ପରିତ୍ୟକ୍ତ ଅବସ୍ଥାରେ ନଷ୍ଟ ହୋଇ ପଡିରହିଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ମାଲକାନଗିରି (ଜିତେନ୍ଦ୍ର ବେହୁରା) : ଖତ ଖାଉଛି ମୋଟର ଲଞ୍ଚ । ପରିତ୍ୟକ୍ତ ଅବସ୍ଥାରେ ନଷ୍ଟ ହୋଇ ପଡିରହିଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତିର ମୋଟର ଲଞ୍ଚ । ଯାହା ଦିନେ ସ୍ୱାଭିମାନ ଅଂଚଳର ଲାଇଫଲାଇନ୍ ଥିଲା । ହେଲେ ଆଜି ପରିତ୍ୟକ୍ତ ଅବସ୍ଥାରେ ଏଣେତେଣେ ପଡିରହିଛି । ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହେଉଥିବାବେଳେ କେଉଁ ବୋଟ୍‌ ମାଟିରେ ମିଶିବାକୁ ବସିଲାଣି ତ ଆଉ କେଉଁଟା ପାଣିରେ ବୁଡି କଳଙ୍କି ଲାଗି ଗଲାଣି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଂଚଳର ବାଲିମେଳା ଜଳଭଣ୍ଡାରରେ ପୂର୍ବରୁ ଯିବା‌ ଆସିବା କରିବାପାଇଁ ମୋଟର ଲଞ୍ଚର ବ୍ୟବହାର ହେଉଥିଲା । ସେହି ସମୟରେ ଅଞ୍ଚଳ ବାସୀଙ୍କ ଏକମାତ୍ରା ଭରସା ଥିଲା ଏହି ମୋଟର ଲଞ୍ଚ । କିନ୍ତୁ ଗୁରୁପ୍ରିୟ ସେତୁ ନିର୍ମାଣ ପରେ ଏବେ ରାସ୍ତା ପାଲଟିଛି ଗମନାଗମନର ମୁଖ୍ୟ ମାଧ୍ୟମ । ଯାହା ଫଳରେ ମୋଟର ଲଞ୍ଚର ବ୍ୟବହାର କ୍ରମାଗତ ହ୍ରାସ ପାଇଛି ।

କେବଳ ଏତିକି ନୁହେଁ ବିଭିନ୍ନ ପଞ୍ଚାୟତକୁ ଦିଆଯାଇଥିବା ସ୍ପିଡ଼ ବୋଟ ଗୁଡିକ ମଧ୍ୟ ଏବେ ଅଚଳ ଅବସ୍ଥାରେ ପଡିରହିଛି । କେଉଁ ବୋଟର ଉପରେ ଥିବା ତାରପାଲ ଘୋଡଣି ବର୍ଷା ପାଣିରେ ନଷ୍ଟ ହୋଇ ଯାଇଛି ତ ଆଉ କେଉଁ ବୋଟ ଇଞ୍ଜିନ ଖରାପ ଥିବା ଯୋଗୁଁ ନଦୀ କୂଳରେ ପଡିରହିଛି । ସେଠାରେ ଏବେ କେବଳ ଅଳ୍ପ ତଥା ହାତ ଗଣତି କେତୋଟି ମୋଟର ଲଞ୍ଚ ଚାଲୁଛି । ‘ସରକାର କା ମାଲ୍ ଦରିୟା ମେ ଡାଲ୍’ ନୀତିରେ ରକ୍ଷଣାବେକ୍ଷଣା ଅଭାବରୁ ଏଗୁଡିକ କବାଡିରେ ବିକ୍ରି ହେବା ପରିସ୍ଥିତିରେ ଆସିଲାଣି ବୋଲି ଅଭିଯୋଗ ହୋଇଛି । ଏନେଇ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି କରାଯାଇଛି ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବାଲିମେଳା ବନ୍ଧ ଯୋଜନା ଦ୍ୱାରା ଲୋକଙ୍କ ଉପକୃତ ପାଇଁ ଲଞ୍ଚ ସେବାର ଆରମ୍ଭ ହୋଇଥିଲା । ବର୍ତ୍ତମାନ ସେହି ଲଞ୍ଚ ସବୁ କରାପ୍‌ ତଥା ଅଚଳ ଅବସ୍ଥାରେ ପଡିରହିଛି । ବିଭାଗ ତରଫରୁ କିଛି ମରାମତି ମଧ୍ୟ କରାଯାଉ ନାହିଁ କିମ୍ୱା ଲଞ୍ଚର ଉପଯୁକ୍ତ ବିନିଯୋଗ କରାଯାଉନାହିଁ । ଯାହାର ଉପଯୁକ୍ତ ବିନିଯୋଗ କରାଯାଇଥିଲେ ହୁଏତ ଲୋକ କିଛି ମାତ୍ରାରେ ଉପକୃତ ହୋଇଥାନ୍ତେ । ହେଲେ ଏବେ ଦିନକୁ ମାତ୍ର ଯିବା ଆସିବା ପାଇଁ ୪ଟି ବୋଟ୍‌ର ବ୍ୟବହାର କରାଯାଉଛି । ଇଞ୍ଜିନ୍‌ ଖରାପ୍‌ ହେବା ଦ୍ୱାରା ସବୁ ଲଞ୍ଚ ପଡିରହିଛି । ଯାହାର ମରାମତି କରାଗଲେ ଆଗାମୀ ଦିନରେ ତାହା ବ୍ୟବହାର ଉପଯୋଗ ହୋଇପାରିବ ବୋଲି ଦାବି କରିଛନ୍ତି ଅଞ୍ଚଳବାସୀ ।