• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେତେ ମାନସିକ କରି କୋଳରେ ପୁଅଟିଏ ଦେଇଥିଲେ ଠାକୁର । ହେଲେ ଜନ୍ମ ହେଲା କାଳରୁ ସେ ଯନ୍ତ୍ରଣା ଭୋଗୁଛି । କେମିତି ବଞ୍ଚିବ ସେ ? ଠାକୁରଙ୍କୁ ନିବେଦନ କରୁଛି, ତାକୁ ଭଲ କରିଦିଅ । ମୋର ଧନଜନ କିଛି ଦରକାର ନାହିଁ । ପୁଅକୁ ଭଲ କରିବି ବୋଲି ଯିଏ ଯାହା କହିଲା ସବୁ କଲି । ସବୁ ଠାକୁରଙ୍କ ନିକଟରେ ଯାଚି ସାରିଛି । ପୂଜାପାଠ, ମାନସିକ କରି କରି ଥକିଗଲାଣି ଅଭାଗିନୀ ମାଆ ।

ରକ୍ତ କର୍କଟ ରୋଗରେ ପୀଡ଼ିତ ୬ ବର୍ଷର କୁନି ପୁଅ ସତ୍ୟର ଜୀବନ ଭିକ୍ଷା କରି ସଧବା ହୋଇ ମଧ୍ୟ ଶଙ୍ଖା, ସିନ୍ଦୂର, ଅଳତା ପିନ୍ଧୁନି । ଯେ ପର୍ଯ୍ୟନ୍ତ ପୁଅର ଦେହ ଭଲ ହୋଇ ନାହିଁ ସେପର୍ଯ୍ୟନ୍ତ ହାତରେ ନାଲିଶଙ୍ଖା ମଥାରେ ନାଲି ସିନ୍ଦୁର ଲଗାଇବେ ନାହିଁ କି ସ୍ୱାମୀ ସ୍ତ୍ରୀର ସମ୍ପର୍କ ମଧ୍ୟ ରଖିବେ ନାହିଁ ବୋଲି ପଣ କରିଛନ୍ତି । ଶେଷରେ ଆଶା ହରାଇବା ପରେ ସହାୟତା ପାଇଁ ବିକଳ ହୋଇ ଅନୁରୋଧ କରୁଛନ୍ତି ଅସହାୟ ମା' ।

ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ବଡ଼ପୁଟ ପଞ୍ଚାୟତର ବୀରକେଶରପୁର ଗାଁର । ଏହି ଗ୍ରାମରେ ବାସ କରନ୍ତି ଉଛବ ସ୍ୱାଇଁ । ପରିବାର କହିଲେ ସ୍ତ୍ରୀ ଡ଼ଲି ସ୍ୱାଇଁ ୬ବର୍ଷର ପୁଅ ସତ୍ୟ ଙ୍କ ସହିତ ଦୁଇ ଝିଅ ଏବଂ ବାପା ମା' । ଅନେକ ଠାକୁରଙ୍କୁ ପୂଜାର୍ଚ୍ଚନା କରି ପୁଅ ଟିଏ ପାଇଥିଲେ ବୋଲି ସତ୍ୟଙ୍କ ଜେଜେ ମା କହିଛନ୍ତି । ପୁଅ ଧିରେ ଧିରେ ବଡ଼ ହେବାରେ ଲାଗିଲା । ପାଞ୍ଚ ବର୍ଷର ହେବା ପରେ ବେକ ପାଖରେ ଛୋଟିଆ ଆବୁ ଟିଏ ହୋଇଥିଲା । ଏହାପରେ ସତ୍ୟଙ୍କୁ ନେଇ ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକ ଶିଶୁ ଭବନରେ ଚିକିତ୍ସା କରାଇବା ପାଇଁ ଲାଗି ପଡ଼ିଲେ । ଏହାପରେ ସେଠାରେ ଜଣା ପଡ଼ିଲା ତାଙ୍କୁ ରକ୍ତ କର୍କଟ ହୋଇଛି ।

ଏ ସ୍ୱାସ୍ଥ୍ୟକେନ୍ଦ୍ରରୁ ସେ ସ୍ୱାସ୍ଥ୍ୟକେନ୍ଦ୍ର ଏପଟ ବେଡ଼ରୁ ସେପଟ ବେଡ଼କୁ ଯାଇ ଚାଲିଛି ସତ୍ୟଙ୍କ ଚିକିତ୍ସା । ସୁନା ଗହଣା ଠାରୁ ଆରମ୍ଭ କରି ସବୁ କିଛି ଚାଲି ଗଲାଣି ସତ୍ୟର ଚିକିତ୍ସା ପାଇଁ । ହାତ ଉଧାରି ମଧ୍ୟ ବହୁତ ହୋଇଗଲାଣି । ବାପା ଟଙ୍କା ଯୋଗାଡ଼ କରିବାରେ ବ୍ୟସ୍ତ ମା' ଭଗବାନଙ୍କ ନିକଟରେ ନିଜର ଶଙ୍ଖା ସିନ୍ଦୂର ବନ୍ଧା ପକାଇଛି ।

ଯେଉଁ ଶଙ୍ଖା ସିନ୍ଦୂର ତାଙ୍କୁ ପରିଚୟ ଦେଇଛି, ଆଜି ଜଣେ ସଧବା ହୋଇ ବି ସେ ସେଥିରୁ ଦୂରେଇ ରହିଛନ୍ତି । ନିଜର ୬ ବର୍ଷର ପୁଅ କୁ ବଞ୍ଚାଇବା ପାଇଁ ଜଣେ ମା' ନିଜ ହୃଦୟକୁ ଏତେ ଯେ ପଥର କରି ଦେଇପାରେ, ତାହା ଏହି ଚିତ୍ରକୁ ଦେଖିଲେ ଜଣା ପଡ଼େ । ଆଶା ବିଶ୍ୱାସ ଅଛି, ଭାଗବାନ କାହାକୁ ଖାଲି ହାତରେ ଫେରାନ୍ତି ନାହିଁ । ସେ ନିଶ୍ଚେ ପୁଅକୁ ଭଲ କରିବେ ।

ସେପଟେ ଗାଁ ଲୋକେ ମଧ୍ୟ ସହାୟତାର ହାତ ବଢାଉଛନ୍ତି । ଯାହା ଦେଉଛନ୍ତି ତାହା ସମୁଦ୍ରକୁ ଶଙ୍ଖେ । ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡ଼କ୍ରସ ସହାୟତାରେ ତହସିଲଦାର ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ତେବେ ଏବେ ଦରକାର ପଡ଼ୁଛି ଅଧିକ ଟଙ୍କା । ଯାହା ପାଇଁ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ପରିବାର ଲୋକେ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ।

ସତ୍ୟଙ୍କ ଜୀବନ ରକ୍ଷା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ୫୪ଟି କ୍ଲେମ୍ ଦିଆଯାଇଥିବା ବେଳେ ଏବେ ତାଙ୍କର ଚିକିତ୍ସା ପାଇଁ ଜରୁରୀ ହୋଇପଡ଼ିଛି ଲକ୍ଷାଧିକ ଟଙ୍କା । ସହୃଦୟ ବ୍ୟକ୍ତି ସାହାଯ୍ୟ କଲେ ହିଁ କୁନି ପୁଅର ଚିକିତ୍ସା କରାଯାଇପାରିବ ।

ପିପିଲିରୁ ଦ୍ୱିତୀକୃଷ୍ଣ ପଟ୍ଟନାୟକଙ୍କ ରିପୋର୍ଟ