• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମାଟି ତଳେ ପୋତି ହୋଇଯାଇଛି ଲକ୍ଷଲକ୍ଷ ଟଙ୍କାର ବର୍ଷାଜଳ ଅମଳ ପ୍ରକଳ୍ପ ।  କରୋନା କାଳରେ ଜୀବିକା ହରାଇଥିବା ସହରାଞ୍ଚଳ ଶ୍ରମିକ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ କାମ ଯୋଗାଇବା ପାଇଁ ସରକାର ଆରମ୍ଭ କରିଥିଲେ ମୁକ୍ତା ଯୋଜନା । କିନ୍ତୁ ବର୍ଷେ ଭିତରେ ଯୋଜନା ହୋଇଛି ବାଟବଣା । ପ୍ରକଳ୍ପର ଖୋଜ୍ ଖବର ନାହିଁ, କେବଳ ଫଳକ ଲାଗିଛି ଯାହା  । ଆଉ ମାଟି ଖୋଳି ନାମକୁ ମାତ୍ର ଇଟା ଯୋଡ଼ି କାର୍ଯ୍ୟ ଶେଷ କରିଦେଇଛି ନବରଙ୍ଗପୁର ପୌର ପରିଷଦ ।

କେବଳ ଗୋଟିଏ ପ୍ରକଳ୍ପ ନୁହେଁ, ନବରଙ୍ଗପୁର ପୌର ପରିଷଦରେ ଏପରି ଅନେକ ପ୍ରକଳ୍ପ ନିଖୋଜ ଅବସ୍ଥାରେ ରହିଛି । ସ୍ଥାନୀୟ ଦଶହରା ପଦାସାହି ଓ ମହିଳା ମହାବିଦ୍ୟାଳୟ ନିକଟ ଶ୍ମଶାନ ଘାଟରେ ନିର୍ମାଣ ହୋଇଥିବା ବର୍ଷାଜଳ ଅମଳପ୍ରକଳ୍ପର ଅବସ୍ଥା ନକହିଲେ ଭଲ । ସରକାରୀ ତଥ୍ୟ କହୁଛି, ୩୩୦ଟି ପ୍ରକଳ୍ପ ପାଇଁ ବ୍ୟୟଅଟକଳ ରହିଛି, ୮୦ ଲକ୍ଷ ୩ ହଜାର ଟଙ୍କା । ପ୍ରତିପ୍ରକଳ୍ପ ପାଇଁ ୨୫ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ, ପୌରାଞ୍ଚଳର ୧୭ଟି ୱାର୍ଡ଼ରେ ଦୁଇଟି ପର୍ଯ୍ୟାୟରେ ୬୭ ଲକ୍ଷ ୫୭ ହଜାର ଟଙ୍କା ଖର୍ଚ୍ଚରେ ୨୯୬ଟି ପ୍ରକଳ୍ପ ନିର୍ମାଣ ହୋଇଛି l ଏଥିସହ ଯାଗା ଚି଼ହ୍ନଟ ହୋଇନଥିବାରୁ ବଳକା ୩୪ଟି ପ୍ରକଳ୍ପ ପର୍ଯ୍ୟନ୍ତ ନିର୍ମାଣ କରାଯାଇନାହିଁ l

ତେବେ କାର୍ଯ୍ୟରେ ଲାଗିବା ପୂର୍ବରୁ କେଉଁଠି ଗଛ ଲତା ମାଡିବସିଲାଣି ତ ଆଉ କେଉଁଠି ଚି଼ହ୍ନବର୍ଣ ନଥିବା ଦେଖିବାକୁ ମିଳିଛି l ଯାହାକୁ ନେଇ ପୌରାଞ୍ଚଳବାସୀ ଅସନ୍ତୋଷ ପ୍ରକାଶ  କରିବା ସହ ଦୁର୍ନୀତିର ଗନ୍ଧ ବାରିଛନ୍ତି । କିଛି ପ୍ରଶାସନିକ ଅଧିକାରୀ, ମହିଳା SHG ଓ ଦଲାଲମାନଙ୍କ ମଧୁ ଚନ୍ଦ୍ରିକାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ପୌରାଞ୍ଚଳବାସୀ ।

ସେହିଭଳି ପ୍ରକଳ୍ପ ଗୁଡିକର ନିର୍ମାଣ, କାର୍ଯ୍ୟକାରିତା ଓ ପ୍ରଶାସନର ସ୍ୱଚ୍ଛତାକୁ ନେଇ ୪ ନମ୍ବର ୱାର୍ଡ଼ର କାଉନସିଲର ଶର୍ମିଷ୍ଠା ଦେଓ ଗୁରୁତର ଅଭିଯୋଗ ଆଣିଛନ୍ତି l ସରକାରୀ ତଥ୍ୟ ଓ ଗ୍ରାଉଣ୍ଡ ଜିରୋର ବାସ୍ତବିକ ତଥ୍ୟ ମଧ୍ୟରେ ତାଳ ମେଳନଥିବା ସେ କହିଛନ୍ତି । ତାଙ୍କ ୱାର୍ଡ଼ରେ କେବଳ ୪ ଟି ପିଟ ନିର୍ମାଣ ହୋଇଥିବାବେଳେ ୫ ନମ୍ବର ୱାର୍ଡ଼ରେ ଗୋଟିଏ ବି ନିର୍ମାଣ ହୋଇନଥିବା କହିଛନ୍ତି l ତେଣୁ ତଦନ୍ତକଲେ ପ୍ରାୟ ୧୦୦ଟି ପିଟି ନିର୍ମାଣକରି କିଭଳି ୨୯୬ ଟିର ଟଙ୍କା ଆତ୍ମସାତ କରାଯାଇଛି ଜଣାପଡ଼ିବ ବୋଲି ସେ କହିଛନ୍ତି । ଅନ୍ୟପଟେ ନବରଙ୍ଗପୁର ପୌରପାଳିକାର ଅଧ୍ୟକ୍ଷ କୁନୁନାୟକ ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ତଦନ୍ତ କରାଯିବ ଓ ଦୁର୍ନୀତି ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି l

 

 

  • Reported by:
  • Naba Ghana Bishoi