• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସେ ଥିଲେ ରାଜ୍ ପରିବାରର ଦାୟାଦ । ହେଲେ ରାଜନୀତିରେ ରହି ବି କେବେ ରଖି ନଥିଲେ ପଦ ଆଉ କ୍ଷମତାର ମୋହ । ଖଲ୍ଲିକୋଟର ରାଣୀ ଭାବେ ସମ୍ମାନ ଆଉ ସ୍ୱାଭିମାନର ଟେକ ରଖିଥିଲେ ବର୍ଷିୟାନ ରାଜନେତ୍ରୀ ଭି. ସୁଜ୍ଞାନ କୁମାରୀ ଦେଓ । ଜନତାଙ୍କ ଅକୁଣ୍ଠ ସ୍ନେହ, ଆଦର ଏବଂ ସମ୍ମାନ ପାଇ ଦଶ-ଦଶ ଥର ବିଧାୟକ ବନିଥିଲେ ବି କେବେ ବି ନଥିଲା ମନ୍ତ୍ରୀ ହେବାର ଅଭିଳାଷ ।

ଆଉ ଜୀବନ ତମାମ ସେହି ପଣ ରଖି ଶେଷରେ ଆଖି ବୁଜିଛନ୍ତି ସୁଜ୍ଞାନ କୁମାରୀ । ଯାହାଙ୍କୁ ଝୁରୁଛି ଗଞ୍ଜାମ ମାଟି, ଝୁରୁଛନ୍ତି ତାଙ୍କ ସାନ୍ନିଧ୍ୟ ପାଇଥିବା ନେତା ଓ ଜନତା । ନିସ୍ତବ୍ଧ ହୋଇ ଯାଇଛି ଖଲ୍ଲିକୋଟ ରାଜବାଟୀ...ଶୋକସନ୍ତପ୍ତ ଜନତା... । ରାଣୀ ସାହେବାଙ୍କ ନିଧନ ପରେ ଝୁରୁଛି ରାଜତନ୍ତ୍ରଠୁ ରାଜନୀତି ଯାଏଁ ମୁକସାକ୍ଷୀ ସାଜିଥିବା ଅଟ୍ଟାଳିକା...।

ରାଣୀ ମା’ଙ୍କ ବିଚ୍ଛେଦ ପରେ ଶୋକାକୂଳ ପରିବେଶ । କାହା ପାଇଁ ସେ ଥିଲେ ରାଣୀ ତ ଆଉ କାହାର ଥିଲେ ଭାଗ୍ୟ ବିଧାତା । ୫୦ ବର୍ଷର ଲମ୍ବା ରାଜନୈତିକ ଯାତ୍ରା ଭିତରେ କେତେ ଜନତାଙ୍କ ଦୁଃଖହରଣ କରିଛନ୍ତି, ଆଜି ସବୁ ଗୋଟି ଗୋଟି ହୋଇ ଭାସିଆସୁଛି ଆଖିର ଲୁହ ସାଜି । ସେଥିପାଇଁ ତ ସେ ବିଧାୟିକା ନଥିଲେ, ବରଂ ସେ ଥିଲେ ମା’ ।

ସୁଜ୍ଞାନ କୁମାରୀ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଗତରାତି ୧୨ଟା ୪୪ ମିନିଟରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ୮୭ ବର୍ଷ ବୟସ୍କା ସୁଜ୍ଞାନ ଅସୁସ୍ଥ ଥିବା ଖବର ପାଇ କାଲି ସଂଧ୍ୟାରେ ଚେନ୍ନାଇ ଯାଇଥିଲେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟବସ୍ଥା କଥା ବୁଝିଥିଲେ । କିନ୍ତୁ ଏହାର କିଛି ଘଣ୍ଟା ପରେ ତାଙ୍କର ଦେହାନ୍ତ ନେଇ ଘୋଷଣା କରିଥିଲେ ମେଡ଼ିକାଲ କର୍ତ୍ତୃପକ୍ଷ ।

ଏ ଖବର ପରଠୁ ଶୋକରେ ବୁଡ଼ିଛି ସାରା ଗଞ୍ଜାମ, କାନ୍ଦୁଛି ଖଲ୍ଲିକୋଟଠୁ କବିସୂର୍ଯ୍ୟନଗର ଯାଏଁ । ଭି.ସୁଜ୍ଞାନ କୁମାରୀ ଦେଓ । ୧୯୩୭ ଅଗଷ୍ଟ ୫ରେ ଜନ୍ମ । ବାପାଙ୍କ ନାଁ ରାଜା ଆର.ଭି.ଏମ୍. ନୀଳାଦ୍ରି ରାଓ ଏବଂ ସ୍ୱାମୀଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓ । ରାଜ୍ୟ ରାଜନୀତିର ଏହି ଚର୍ଚ୍ଚିତ ନେତ୍ରୀ, ରାଜନୈତିକ ଇତିହାସରେ ଏକ ବିରଳ ବ୍ୟକ୍ତିତ୍ୱ ।

ଯିଏ ଖଲ୍ଲିକୋଟରୁ ୮ ଥର ଓ କବିସୂର୍ଯ୍ୟନଗରରୁ ୨ ଥର ବିଧାୟିକା ବନିଥିଲେ । ପ୍ରଥମ ଥର ପାଇଁ ୧୯୬୧ରେ ଜାତୀୟ କଂଗ୍ରେସ ଟିକଟରେ ଖଲ୍ଲିକୋଟରୁ ଆରମ୍ଭ କରିଥିଲେ ଜୟଯାତ୍ରା । ୧୯୭୪ରେ ଉତ୍କଳ କଂଗ୍ରେସରୁ, ୧୯୭୭ ଏବଂ ୧୯୮୫ରେ ଜନତା ପାର୍ଟି, ୧୯୯୦ ଏବଂ ୧୯୯୫ରେ ଜନତା ଦଳରୁ ଲଢ଼ି ନିର୍ବାଚିତ ହୋଇଥିଲେ ।

ପରେ ବିଜେଡି ଟିକେଟରେ ୨୦୦୦ରୁ ୨୦୦୯ ଯାଏଁ ୨ ଥର ଖଲ୍ଲିକୋଟ ଏବଂ ୨୦୦୯ ଓ ୨୦୧୪ରେ ୨ ଥର କବିସୂର୍ଯ୍ୟନଗର ବିଧାୟିକା ହୋଇଥିଲେ ସୁଜ୍ଞାନ । ରାଜନୈତିକ ଜୀବନ ଭିତରେ ଅନେକ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଥିବା ସୁଜ୍ଞାନ ବରିଷ୍ଠ ସଦସ୍ୟା ଭାବେ ୨୦୦୦ରେ କାମଚଳା ବାଚସ୍ପତି ସାଜି ନବୀନ ପଟ୍ଟନାୟକଙ୍କୁ ପ୍ରଥମ ଥର ବିଧାୟକ ଭାବେ ଶପଥପାଠ କରାଇଥିଲେ ।

ବଡ଼କଥା ହେଉଛି, ସୁଜ୍ଞାନ କେବେ ବି ମନ୍ତ୍ରୀ ହେବାର ଆଗ୍ରହ ରଖିନଥିଲେ । କହୁଥିଲେ, ସେ ରାଣୀ... ମନ୍ତ୍ରୀ କାହିଁକି ହେବେ । ସୁଜ୍ଞାନଙ୍କ ଅବର୍ତ୍ତମାନରେ ଆଜି ରାଜନୀତିରେ ଛାଇଯାଇଛି ଶୂନ୍ୟତା । ତାଙ୍କ ପରଲୋକରେ ରାଜ୍ୟପାଳ ରଘୁବର ଦାସ, ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।

  • Reported by:
  • ASHOK BRAHMA , Pitabasa Das , Silu Biswal