• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରହ୍ମଗିରି :  ’ ମୋ ସ୍ୱାମୀଙ୍କୁ ସେ ହିଁ  ମାରିଦେଇଛି  । ୧୧ଟାରେ ନେଇ ପହଞ୍ଚେଇ ଦେବି କହିଲା,ହେଲେ କେହି ଆସିଲେନି । ସଞ୍ଜୟ ଦାସ ବର୍ମା ହିଁତାଙ୍କୁ ଆଣିଦିଅ । ମୋର କିଛି ଦରକାର ନାହିଁ । ତାଙ୍କର କାହା ସହ ଶତ୍ରୁତା ନଥିଲା । ସଞ୍ଜୟ ଦାସବର୍ମାଙ୍କ ନିକଟରେ ସେ କାମ କରୁଥିଲେ । ହେଲେ ସେ ତାଙ୍କ ଜୀବନ ସହ ଖେଳିଲେ । ଯାହାକୁ ନିଜର ଭାବୁଥିଲେ, ସିଏ ଶତ୍ରୁ ହୋଇଗଲା । କାଲି ଆମକୁ ବୁଝେଇ କି ଛାଡ଼ିଦେଲେ । ଆମେ ଆସିନଥାନ୍ତୁ । ସଞ୍ଜୟ ଦାସ ବର୍ମା ସମ୍ପର୍କରେ ଅନୁସନ୍ଧାନ କରାଯାଉ । ଥାନାରେ ଏତଲା ଦେବା ପରେ ଆମକୁ ଘରକୁ ଜୋର ଜବରଦସ୍ତି ପଠାଇ ଦେଲେ । ଭରସା ରଖ କହି, ବିଶ୍ୱାସରେ ବିଷ ଦେଲେ । ଆମକୁ ନ୍ୟାୟ ଦରକାର । ସଞ୍ଜୟ ଦାସବର୍ମାଙ୍କୁ ଦଣ୍ଡ ଦିଆଯିବା ଦରକାର’ କହି କହି କାନ୍ଦୁଛନ୍ତି ମୃତକଙ୍କ ସ୍ତ୍ରୀ ।

ସ୍ୱାମୀକୁ ହରାଇ ଛାତି ବାଡ଼େଇ କାନ୍ଦୁଛି ସ୍ତ୍ରୀ । ସ୍ୱାମୀକୁ ଫେରାଇ ଦିଅ ବୋଲି ବିକଳ ହେଉଛି । ଏସବୁ ପଛରେ ବିଜେଡିର ଟାଣୁଅ ନେତାଙ୍କ ହାତ ଥିବା କହୁଛନ୍ତି । ହତ୍ୟା ଅଭିଯୋଗରେ ସିଧାସଳଖ ଭାବେ ଅଭିଯୋଗ ଆସିଛି ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ବିରୋଧରେ । ତାଙ୍କ ପାଖରେ କାମ କରୁଥିବା ଯୁବକଙ୍କ ହତ୍ୟା ପରେ ପରିବାର ଲୋକେ ତାଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ରାଜନୀତି ପାଇଁ ପୁଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଭରସା ଦେଇ ଭରସାରେ ବିଷ ଦେଇଥିବା କହିଛନ୍ତି । 

bramhagiriଆମେ ଜଗାକୁ ଦାୟୀ କରିବୁ ବୋଲି କହିଛନ୍ତି ମୃତକଙ୍କ ଭାଇ

ବିଜେଡି ନେତା ସଞ୍ଜୟ ଦାସ ବର୍ମାଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଥିଲେ ଚିତ୍ତରଞ୍ଜନ

ଆମେ ଜଗାକୁ ଦାୟୀ କରିବୁ ବୋଲି କହିଛନ୍ତି ମୃତକଙ୍କ ଭାଇ । ମୁଁ ବ୍ରହ୍ମଗିରିରେ ଥିଲା, ମୋତେ ସନ୍ଧ୍ୟା ୭ଟାରେ ଫୋନ୍ ଆସିଥିଲା । ଚିତ୍ତ କୁଆଡ଼େ ଗଲା ପଚାରିବା ପରେ ସାଙ୍ଗରେ ଥିବା ଜଗା କହିଲା ଭିନ୍ନ କଥା । ଆକ୍ସିଡେଣ୍ଟ୍ ହେବା ପରେ ଚିତ୍ତ କୁଆଡ଼େ ଗଲା ଜାଣିନି ବୋଲି କହିଥିଲା । ଜଗା କହିବା ଅନୁସାରେ ଶନିବାର ୨ଟା ରାତିରେ ଦୁର୍ଘଟଣା ହୋଇଛି । ରବିବାର ମଧ୍ୟ ଚିତ୍ତର ପତ୍ତା ମିଳିନଥିଲା । ଫଳରେ ଆମେ ଥାନାରେ ଅଭିଯୋଗ କରିଥିଲୁ । ହେଲେ ନଈରୁ ଶବ ଉଦ୍ଧାର ହେବା ପରେ ସ୍ପଷ୍ଟ ଜଣାପଡ଼ୁଛି ତାକୁ ହତ୍ୟା କରି ଫୋପାଡ଼ି ଦିଆଯାଇଛି ବୋଲି ସେ କହିଛନ୍ତି ।

ବ୍ରହ୍ମଗିରି ନିଖୋଜ ଯୁବକ ଚିତ୍ତରଞ୍ଜନଙ୍କ ମୃତଦେହ ମିଳିବା ପରେ ଶୋକର ଛାୟା ଖେଳିଯାଇଛି । ଚିତ୍ତରଞ୍ଜନଙ୍କ ହତ୍ୟା କରାଯାଇଥିବା ଏବଂ ଏହା ପଛରେ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ  ।  ପୁରୀ ଭାର୍ଗବୀ-ନୂଆନଈ ଠାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ  । ମୃତ ଯୁବକ ବ୍ରହ୍ମଗିରି ଅଞ୍ଚଳର ବୋଲି ଜଣାପଡିଛି । ୨ ଦିନ ହେବ ନିଖୋଜ ଥିଲେ ସମ୍ପୃକ୍ତ ଯୁବକ ।

ଯୁବକ ନିଖୋଜ ନେଇ କାଲି ସଦର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଘଟଣାସ୍ଥଳରୁ ଗୋଟିଏ ଗାଡି ମଧ୍ୟ ଜବତ କରିଛି ପୋଲିସ । ଯୁବକ ନିଖୋଜ ସ୍ଥଳରେ ରକ୍ତ ଛିଟାର ଚିହ୍ନ ଦେଖିବାକୁ ମିଳିଛି । ଚିତ୍ତରଂଜନଙ୍କ ସହ ଥିବା ବନ୍ଧୁ ମଧ୍ୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।