• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ନିଖୋଜ ହେବାପରେ ଲୋକେ ଭାବିଲେ କୁମ୍ଭୀର ଟାଣିନେଲା । ଉଦ୍ଧାରକାରୀ ବି ଖୋଜି ଖୋଜି କରି ପାଇଲେ ନାହିଁ । ହେଲେ ୨ ଦିନ ପରେ ନିଖୋଜ ବ୍ୟକ୍ତି ପୁଣି ଗାଁକୁ ଫେରିଲେ ।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ଅଣ୍ଢରା ଗାଁରେ ଏହି ଘଟଣା ଘଟିଛି ।

କୁମ୍ଭୀର ଆତଙ୍କ ଲାଗି ରହିଥିବା ନଦୀକୂଳିଆ ଗାଁରେ ଗତ ୧୮ ତାରିଖରେ ସକାଳୁ ବ୍ରାହ୍ମଣୀ ନଦୀ କୂଳରେ ଗାମୁଛା, ଚପଲ ଓ ବାଇକ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ । ସେସବୁ ସେହି ଗାଁର ୪୭ ବର୍ଷୀୟ ବିକ୍ରାନ୍ତ ମଲ୍ଲିକଙ୍କର ବୋଲି ଜଣାପଡ଼ିଥିଲା । ତାଙ୍କର ବି ଖୋଜ ଖବର ନଥିବାବେଳେ କୁମ୍ଭୀର ଟାଣି ନେଇଥିବା ସନ୍ଦେହ ବଢ଼ିଥିଲା ।

ପରିବାର ଲୋକେ ଓ ଗ୍ରାମବାସୀ ଆଶଙ୍କା ପ୍ରକାଶ କରି ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ, ଓଡ୍ରାଫ ଟିମ୍‌ ନଦୀ ଭିତରେ ଖୋଜିଥିଲେ ମଧ୍ୟ ସନ୍ଧ୍ୟା ଯାଏ ବିକ୍ରାନ୍ତଙ୍କ କୌଣସି ପତ୍ତା ମିଳିପାରି ନଥିଲା । କିନ୍ତୁ ୨ ଦିନ ପରେ ସେ ଘରକୁ ଫେରିଥିଲେ ।

ଘରକୁ ଫେରିବା ପରେ ବିକ୍ରାନ୍ତ କହିଥିଲେ, ଜଣେ ବାବାଙ୍କ କହିବା ଅନୁଯାୟୀ ସେ ନଦୀ କୂଳକୁ  ଯାଇଥିଲେ । ସ୍ନାନ କରି କିଛି ମନ୍ତ୍ର ପଢ଼ିବା ପରେ ତାଙ୍କର କ’ଣ ହୋଇଥିଲା, ସେ ଜାଣିପାରିନଥିଲେ । ଏହାପରେ ସେ ଚାଲି ଚାଲି କଟକ ପଳାଇଥିଲେ ବୋଲି କହିଛନ୍ତି ।  ଏହି ଘଟଣା ପାଇଁ ସେ ପ୍ରଶାସନ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି l 

  • Reported by:
  • PRABIR KUMAR NAYAK