• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁବର୍ଣ୍ଣପୁର (ଦିଲ୍ଲୀପ କୁମାର ସାହୁ) : ଅକାତ କାତ ପାଣିରେ କମାଲ ଦେଖାଉଛି ଶିଶୁକନ୍ୟା । ବୟସ ଅଳ୍ପ ସିନା, ସାହସ ଅନେକ । ବିନା ଭୟରେ ପାଣି ଭିତରକୁ ଲମ୍ଫ ପ୍ରଦାନ କରୁଛି , କୌଶଳ ପ୍ରଦର୍ଶନ କରୁଛି । ଗାଁ ପୋଖରୀରେ ୧୦ ମିନିଟ୍‌ରେ ୩ ଶହ ମିଟର ପହଁରି ପାରୁଛି ସୁବର୍ଣ୍ଣପୁରର କୁନି ଝିଅ ଅର୍ପିତା  । ଆଉ ତା’ର ଏପରି ଦକ୍ଷତା ପାଇଁ ସ୍ଥାନୀୟ ଅଞ୍ଚଳରେ କୁନୀ ଜଳପରୀ ନାମରେ ସେ ପରିଚିତ । ଛୋଟ ବୟସରେ ତାର ଏଭଳି ସାହସିକତାକୁ ଦେଖି ସମସ୍ତେ ଚକିତ ହୋଇଯାଉଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ବରିହାପଡାର ପ୍ରଶାନ୍ତ ସେଠୀଙ୍କ ବଡ ଝିଅ ଅର୍ପିତା ସେଠୀ । ବୟସ ୬ ବର୍ଷ । ଏବେ ସେ ପ୍ରଥମ ଶ୍ରେଣୀରେ ପାଠ ପଢୁଛି । ହେଲେ ପାଣି ସହିତ ତା'ର ଭାରି ଦୋସ୍ତି । ପୋଖରୀ ଦେଖିଲେ ତାଙ୍କର ହାତ, ପାଦ ଥୟ ଧରେନି । ବଡ ପୋଖରୀର   ଗଭୀର ପାଣି ଭିତରେ ଆରାମରେ ପହଁରି ପାରୁଛି । ସତେ ଯେମିତି ସେ ଗୋଟିଏ ଜଳପରୀଟିଏ । ଜଳପରୀଙ୍କ ପରି ଅତି ସହଜରେ ଏ କୂଳରୁ ସେ କୂଳକୁ ପହରିଯାଉଛି ।

କୁନି ଜଳପରୀ ଅର୍ପିତାଙ୍କ ବାପା ଜଣେ ଦିନ ମଜୁରିଆ । ଧନ ନଥିଲେ କ’ଣ ହେଲା ମନ ତାଙ୍କର ବଡ଼ । ମଜୁରୀ କରି ଘରକୁ ଫେରିଲା ପରେ ଗାଁର ବଡ ପୋଖରୀରେ ନିଜ ଝିଅକୁ ପ୍ରଶିକ୍ଷଣ ଦେଇଥାନ୍ତି । ଆଉ ଗାଁର ଶତାଧିକ ଲୋକ ମଧ୍ୟ ଉପସ୍ଥିତ ରହି ତାଳି ମାରି ଜଳପରୀକୁ ଉତ୍ସାହିତ କରିଥାନ୍ତି । ତେବେ ବାପାଙ୍କ ପ୍ରେରଣା ଓ ଗାଁ ଲୋକଙ୍କ ଉତ୍ସାହ ଯୋଗୁଁ ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ ପହଁରି ପାରୁଛି ଅର୍ଚ୍ଚିତା । ନିକଟରେ ୩ ଶହ ମିଟର ପହଁରି ସାହସିକତାର ପରିଚୟ ଦେଖାଇଛନ୍ତି ।

ରାମପୁରର ଏଇ କୁନି ଜଳପରୀଙ୍କ ସାହସିକତା ଦେଖି ସମସ୍ତେ ତାଜୁବ୍ । ସରକାରଙ୍କ ପକ୍ଷରୁ ତାଙ୍କୁ ପ୍ରଶିକ୍ଷଣ ମିଳିଲେ ସେ ରାଜ୍ୟ ଓ ଜାତୀୟ ସ୍ତରରେ ଖେଳିପାରନ୍ତେ । ଏହାସହ ସେ ରାଜ୍ୟ ତଥା ଦେଶର ନା ରଖିପାରିବ ବୋଲି ପରିବାର ଏବଂ ଗ୍ରାମବାସୀ ଆଶା ରଖିଛନ୍ତି । ଅପରପକ୍ଷରେ ରାମପୁର ତହସିଲଦାର ମଧ୍ୟ ଅର୍ଚ୍ଚିତାଙ୍କ ସାହସିକତାକୁ ତାରିଫ କରିଛନ୍ତି ।