• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପହିଲି ରଜରେ ଗାଁରୁ ସହର ଚାରିଆଡ଼େ ହସଖୁସିର ଆସର ଜମିଥିବା ବେଳେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ମା’ର କୋଳଶୂନ୍ୟ କରିଦେଇଛି କୁମ୍ଭୀର । ବ୍ରାହ୍ମଣୀ ନଦୀ କୂଳରୁ ନାବାଳକକୁ କୁମ୍ଭୀର ଝାମ୍ପି ନେଇଥିବା ବେଳେ କାନ୍ଦବୋବାଳିରେ ଫାଟି ପଡ଼ୁଛି ଗାଁ । ପୁଅକୁ ହରାଇ ଛାତି ବାଡ଼େଇ କାନ୍ଦୁଛି ଅଭାଗିନୀ ମା’ । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ନିମପୁର ଗାଁ ନିକଟରେ ।

ମୃତକ ହେଲେ ପଞ୍ଚମ ଶ୍ରେଣୀର ଛାତ୍ର ଆଶୁତୋଷ ଆଚାର୍ଯ୍ୟ । ମା’ଙ୍କ ସହ ଆଜି ସକାଳୁ ସେ ନଦୀକୁ ଗାଧୋଇବାକୁ ଯାଇଥିଲେ। ମା’ ଗାଧୋଉଥିବା ବେଳେ କିଛି ଦୂରକୁ ଶୌଚ ପାଇଁ ଯାଇଥିବା ବେଳେ ଆଶୁତୋଷ ହଠାତ୍‌ ଚିତ୍କାର କରିଥିଲେ । ପୁଅର ଚିତ୍କାର ଶୁଣି ମା’ ଦୌଡ଼ି ଯାଇଥିଲେ । ହେଲେ ତାଙ୍କ ଆଖି ସାମ୍ନାରେ ପୁଅକୁ ଟାଣି ନେଇଥିଲା କୁମ୍ଭୀର ।

ପୁଅକୁ ରକ୍ଷା କରିବା ପାଇଁ ସେ ଚିତ୍କାର କରି ଗାଁ ଲୋକଙ୍କୁ ଡାକିଥିଲେ । ତାଙ୍କ ଡାକ ଶୁଣି ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ କିଛି ସମୟ ପରେ ସେମାନେ ଆଶୁତୋଷଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

ରଜ ପାଇଁ ସମସ୍ତେ ଖୁସିରେ ପର୍ବ ପାଳୁଥିବା ବେଳେ କାନ୍ଦି କାନ୍ଦି ମାଟିରେ ଲୋଟି ପଡ଼ୁଛନ୍ତି ଆଶୁତୋଷଙ୍କ ମା’ । ହଠାତ୍‌ ତାଙ୍କରି ଆଖି ସାମ୍ନାରେ ଯେ ପୁଅର ଜୀବନ ଚାଲିଯାଇଛି , ସେ ଗ୍ରହଣ କରିପାରୁ ନାହାନ୍ତି । ମୋତେ ପୁଅ ପାଖକୁ ଛାଡ଼ିଦିଅ କହି ନେହୁରା ହେଉଛନ୍ତି ।

ସେପଟେ ଦୀର୍ଘ ଦୁଇ ଘଣ୍ଟା ହେଲା ଘଟଣାସ୍ଥଳରେ ପଡ଼ି ରହିଛି ନାବାଳକଙ୍କ ମୃତଦେହ । ଅନେକ ସମୟ ଧରି ପ୍ରଶାସନିକ ଅଧିକାରୀ, ବନ ଅଧିକାରୀ, ଅଗ୍ନିଶମ ଅଧିକାରୀ କିମ୍ବା ପୋଲିସ୍‌  ପହଞ୍ଚି ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ପ୍ରଶାସନିକ ଅଧିକାରୀ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରୁଥିବା ଜଣାଯାଇଛି।

  • Reported by:
  • PRABIR KUMAR NAYAK