• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଭିନ୍ନ ସ୍ଥାନରେ ଧାନମଣ୍ଡି ଅବ୍ୟବସ୍ଥା ଅଭିଯୋଗ ପ୍ରସଙ୍ଗ

  • ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିକ୍ରିୟା

  • ଅଦିନିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଧାନ ଓଦା ହୋଇଛି

  • ଓଦା ଧାନ କିଣିବାକୁ ମିଲର୍ସ ଅମଙ୍ଗ ହେଉଥିବାରୁ ସମସ୍ୟା ହେଉଛି

ଧାନମଣ୍ଡି ଅବ୍ୟବସ୍ଥା ଅଭିଯୋଗ ନେଇ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି । ପାଣିପାଗ ଯୋଗୁଁ କିଛି ଜିଲ୍ଲାରେ ମଣ୍ଡି ସମସ୍ୟା ହୋଇଥିବା ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ । ଅଦିନିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଧାନ ଓଦା ହୋଇଛି । ଏହି ଓଦା ଧାନ କିଣିବାକୁ ମିଲର୍ସ ମାନେ ଅମଙ୍ଗ ହେଉଥିବାରୁ ସମସ୍ୟା ଦେଖାଦେଉଛି ।

ତେବେ ଯେଉଁଠି ଶୁଖିଲା ଧାନ ମଣ୍ଡିକୁ ଆସୁଛି, ସେଠାରେ କିଛି ସମସ୍ୟା ହେଉନି । ଯେଉଁଠି ସମସ୍ୟା ଦେଖାଦେଉଛି, ସେଠାରେ ବିଭାଗ ଯୁଦ୍ଧକାଳୀନ ଭାବେ ସାମ୍ନା କରୁଛି ଏବଂ ଚାଷୀଙ୍କର ସୁବିଧା ହେବା ଭଳି ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେପଟେ ଟୋକନ୍ ଅବଧି ଶେଷ ହେବାକୁ ବସିଲାଣି ହେଲେ ମଣ୍ଡିରୁ ଉଠୁନି ଧାନ । ଗଂଜାମ ଜିଲ୍ଲା ଧରାକୋଟ ବ୍ଲକର ଜଗମୋହନ ପଞ୍ଚାୟତରେ ଏହି ଘଟଣା ଦେଖିବାକୁ ମିଳିଛି । ଏକାଧିକ ଚାଷୀ ଆଜି ଧରାକୋଟ ତହସିଲଦାରଙ୍କ ସମ୍ମୁଖରେ ବିକ୍ଷୋଭ କରିବା ସହିତ ତହସିଲଦାରଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଗତ ମାସ ୨୯ ତାରିଖରୁ ଗଞ୍ଜାମରେ ମଣ୍ଡି ଖୋଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବ୍ଲକର ଅନେକ ଚାଷୀଙ୍କ ଧାନ ମଣ୍ଡିକୁ ଉଠିନି ।

ଏପଟେ ଚାଷୀଙ୍କ ଟୋକନ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ ଏବେ ଧାନ କିପରି ମଣ୍ଡିକୁ ଯିବ ତାକୁ ନେଇ ଚିନ୍ତାରେ ଚାଷୀ । ମିଲର ମାନେ ଆଉ ଟାର୍ଗେଟ ନାହିଁ କହି ଚାଷୀଙ୍କ ଧାନ ନେଉନଥିବା ବେଳେ ଏହାର ସମାଧାନ ପାଇଁ ଜଗମୋହନ ପଞ୍ଚାୟତର ବହୁ ଚାଷୀ ଧରାକୋଟ ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।