• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୃଷ୍ଣପ୍ରସାଦ, ଖୋର୍ଦ୍ଧା ( ନୀଳକଣ୍ଠ ପ୍ରଧାନ ଓ ବଳରାମ ଲେଙ୍କା) : ଚିଲିକା ଇଲାକାରେ ପୁଣି ବିଦେଶୀ ବିହଙ୍ଗ ଶୀକାର । ଶତାଧିକ ବିଦେଶୀ ପକ୍ଷୀଙ୍କୁ ରାଜପଥ କଡ଼ ବିଲରେ ମାରି ଫୋପାଡ଼ି ଦିଆଯାଇଛି । ଢାବା ଓ ହୋଟେଲ୍ ଗୁଡ଼ିକରେ ବିଦେଶୀ ପକ୍ଷୀ ମାଂସରେ ସିକ୍ରେଟ୍ ଡିସ୍ ପ୍ରସ୍ତୁତ ହୁଏ ବୋଲି କୁହାଯାଉଛି । ଆଉ ଗ୍ରାହକଙ୍କ ଚାହିଦା ମୁତାବକ ଚଢ଼ା ଦର ନେଇ ବିଦେଶୀ ପକ୍ଷୀ ମାଂସର ଖାଦ୍ୟ ଖୁଆନ୍ତି ଢାବା ଓ ହୋଟେଲ୍ ବ୍ୟବସାୟୀ । ସେହି ଆଶଙ୍କାରେ ବନ୍ୟପ୍ରାଣୀ ବିଭାଗ ଜାରି ରଖିଥିଲା ଚଢ଼ାଉ । ଆଉ ଚଢ଼ାଉ ଭୟରେ ମୃତପକ୍ଷୀଙ୍କୁ ଫିଙ୍ଗି ଦେଇଥିବା ଆଶଙ୍କା କରାଯାଉଛି । ତେବେ ଏନେଇ ଖୋଳତାଡ଼ ଜାରି ରହିଥିବାବେଳେ ବିଦେଶୀ ବିହଙ୍ଗଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ ।

ଚିଲିକା ଅଞ୍ଚଳର ହୋଟେଲ୍ ଗୁଡ଼ିକରେ ମେଲିଛି କି ବିଦେଶାଗତ ପକ୍ଷୀଙ୍କୁ ନେଇ ପ୍ରସ୍ତୁତ ଖାଦ୍ୟ ପସରା ? ପର୍ଯ୍ୟଟନ ଋ଼ତୁରେ ଢାବା ଗୁଡ଼ିକରେ ଅତିଥି ବିହଙ୍ଗ ବନିଯାଇଛନ୍ତି କି ପର୍ଯ୍ୟଟକଙ୍କ ସୁସ୍ୱାଦୁ ଖାଦ୍ୟ ? ଗରାଖଙ୍କୁ ଭିନ୍ନ ସ୍ୱାଦ ଚଖାଇ ମାଲାମାଲ୍ ହେବା ପାଇଁ ନିରୀହ ପକ୍ଷୀଙ୍କୁ ସିକ୍ରେଟ୍ ଡିସ୍ରେ ସାମିଲ କରିନାହାଁନ୍ତି ତ ଢାବା ଓ ହୋଟେଲ୍ ମାଲିକ ? କାରଣ ରାଜପଥ କଡ଼ ବିଲରେ ପକ୍ଷଙ୍କୁ ମାରି ଫୋପଡ଼ା ଯାଇଥିବା ଦୃଶ୍ୟ ସତରେ ବେଶ୍ ହୃଦୟ ବିଦାରକ । ବିଲରେ ମାଳ ମାଳ ବିଦେଶାଗତ ପକ୍ଷୀଙ୍କ ମୃତଦେହ । ଖୋର୍ଦ୍ଧା ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ୧୬ ନମ୍ବର ଏନ୍ଏଚ୍ ରତାପଡା ଛକର ଏକ ବିଲରେ ପଡ଼ିରହିଛନ୍ତି ଶବ ହୋଇ । ଆଶଙ୍କା କରାଯାଉଛି, ଶୀକାରି ହିଁ ଏସବୁ ପକ୍ଷୀଙ୍କୁ ବିଷ ଦେଇ ମାରି ଦେଇଛନ୍ତି ।

ହତ୍ୟାର ଶିକାର ପକ୍ଷୀମାନେ ଋ଼ଷ୍, ସାଇବେରିଆ, ଲଦାଖ ଆଦି ଅଞ୍ଚଳର ବୋଲି ଜଣାପଡ଼ିଛି । ମୃତ ପକ୍ଷୀ ଗୁଡ଼ିକ ପିଣ୍ଟେଲ୍, ଗଡୱା ଲ, ସୋଭଲର୍ ଏବଂ କମନ୍କୁ ଟ୍ ପ୍ରଜାତିର ବୋଲି କୁହାଯାଉଛି । ଏଭଳି ବିଭିନ୍ନ ପ୍ରଜାତିର ପକ୍ଷୀ ସବୁ ସାଧାରଣତଃ ସେପଟେମ୍ବରରୁ ଜାନୁୟାରୀ ମଧ୍ୟରେ ଆସିଥାନ୍ତି ମରାଳ ମାଳିନୀ ନିଳାମ୍ବୁ ଚିଲିକାକୁ । ସେହି ମଉକା ଦେଖି ଶିକାରୀ ସକ୍ରିୟ ହୋଇଉଠନ୍ତି ।

କୁହାଯାଉଛି, ଏହି ପର୍ଯ୍ୟଟନ ତୁରେ ବିଦେଶାଗତ ପକ୍ଷୀଙ୍କ ମାଂସରେ ରାଜପଥ କଡ଼ ହୋଟେଲ୍ ଓ ଢାବା ପ୍ରସ୍ତୁତ କରୁଛନ୍ତି ସିକ୍ରେଟ୍ ଡିସ୍ । ବଡ଼ଦିନ ଏବଂ ନୂଆବର୍ଷବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଯୋଗାନ୍ତି ସୁସ୍ୱାଦୁ ଖାଦ୍ୟ । ଏକଥା ବନବିଭାଗ ମଧ୍ୟ ଜାଣିଛି । ସେହି ଆଶଙ୍କାରେ ଜାରି ରହିଥିବା ରେଡ୍ ଭିତରେ ଶତାଧିକ ବିଦେଶୀ ପକ୍ଷୀଙ୍କ ମୃତଦେହ ମିଳିବା ବନ୍ୟପ୍ରାଣୀ ବିଭାଗ ପାଇଁ ପାଲଟିଛି ଖୋଲା ଚାଲେଞ୍ଜ ।

ଏପଟେ କୃଷ୍ଣପ୍ରସାଦ ବ୍ଲକ ଚିଲିକା ନୂଆପଡ଼ା ନଟାସାହିରେ ଦେଖିବାକୁ ମିଳିଛି କାଉ ସହ ଦେଶୀ କୁକୁଡ଼ା ମଡ଼କ । ଗତ କିଛିଦିନ ତଳେ ଦୈନିକ ୧୫/୨୦ଟି କାଉ ଏବଂ ଦେଶୀ କୁକୁଡା ଅକାଳରେ ପ୍ରାଣ ହରାଉଛନ୍ତି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।