• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍କୁଲ ପିଲାଙ୍କ ପାଇଁ ସରକାର ଦେଉଛନ୍ତି ମଧ୍ୟାହ୍ନ ଭୋଜନ । ହେଲେ ଏଥିପାଇଁ କିଣା ହେଉଥିବା ଖାଦ୍ୟ ସାମଗ୍ରୀରେ ଅନିୟମିତତା ଜାଲ୍ ରସିଦରେ ଚାଲିଛି ମଧ୍ୟାହ୍ନ ଭୋଜନ । ଖୋର୍ଦ୍ଧା ବାଣପୁର ବ୍ଲକ ତାଳବୋରେଇରେ ଥିବା ସରକାରୀ ଆଶ୍ରମ ସ୍କୁଲରେ ଏଭଳି ଚାଲିଛି ଦୁର୍ନୀତି । ଯେଉଁ ସମୟରେ କରୋନାର ଭୂୟଙ୍କର ରୂପ ଚାଲିଥିଲା, ସ୍କୁଲ ଛୁଟି ଥିଲା, ସେତେବେଳେ ମଧ୍ୟ ସ୍କୁଲ ପ୍ରଧାନ ଶିକ୍ଷକ କିଣିଛନ୍ତି ରାସନ୍, ପରିବା ଓ ଅଣ୍ଡା ଆରଟିଆଇ ତଥ୍ୟ ଖୋଲିଦେଇଛି ଏହାର ଗୁମର ।

ଆରଟିଆଇ ତଥ୍ୟରୁ ମିଳିଥିବା ତଥ୍ୟ ଖୋଲିଛି ବାଣପୁର ବ୍ଲକ ତାଳବୋରେଇ ଆଶ୍ରମ ସ୍କୁଲର ଗୁମର । ସ୍କୁଲ କର୍ତ୍ତୃପକ୍ଷ ମଧ୍ୟାହ୍ନ ଭୋଜନ ପାଇଁ ଆଣୁଥିବା ରାସନ୍, ପରିବା ଓ ଅଣ୍ଡାରେ କରିଛନ୍ତି ସାଂଘାତିକ ଜାଲିଆତି । ଆରଟିଆଇରୁ ମିଳିଥିବା ରସିଦ୍ ଅନୁସାରେ ବାଣପୁରରେ ଥିବା କନ୍ୟାକୁମାରୀ ଷ୍ଟୋରରୁ ରାସନ୍, ତାରିଣୀ ଭଣ୍ଡାରରୁ ପରିବା ଏବଂ ଜେନା ଏଗ୍ ସେଣ୍ଟରରୁ ଅଣ୍ଡା କିଣାଯାଇଛି । କିନ୍ତୁ ବାଣପୁରରେ ଜେନା ଏଗ୍ ସେଣ୍ଟର ବୋଲି କୌଣସି ଦୋକାନ ନାହିଁ । ସେହିପରି ତେଜରାତି ଓ ପରିବା ଦୋକାନୀଙ୍କ ନାଁରେ ବି ଜାଲ୍ ରସିଦ୍ କରି ମନଇଚ୍ଛା ରେଟ୍ ପକାଯାଇଛି । ରସିଦ୍ ସେମାନଙ୍କର ନୁହେଁ ବୋଲି ସଫା ସଫା କହିଛନ୍ତି ଦୋକାନୀ ।

ଫେକ୍ ରସିଦ୍ ଛପାଯାଇଛି, ମନଇଚ୍ଛା ରେଟ୍ ପଡିଛି । ଗୋଟିଏ ଦିନରେ ହୋଇଛି ୪-୫ଟି ବିଲ୍ । ୧୧.୦୬.୨୦୧୮ରେ କନ୍ୟାକୁମାରୀ ଷ୍ଟୋରରୁ କିଣାଯାଇଛି ଡାଲି, ସୋୟାବିନ୍, ଲୁଣ, ତେଲ ଇତ୍ୟାଦି । ଦୋକାନ ଗୋଟେ, ତାରିଖ ବି ସମାନ ହେଲେ ୬ଟି ବିଲ୍, ଆଉ ଦର ବି ଅଲଗା ଅଲଗା ।

ବିଲ୍ ନମ୍ବର ୧,୯, ୧୩, ୧୭ରେ ଡାଲି ଦର କେଜି ୮୦ ଟଙ୍କା ଥିବାବେଳେ ବିଲ୍ ନମ୍ବର ୨୧ରେ ଡାଲି କିଲୋ ୭୦ ଟଙ୍କା ପଡିଛି । ପରିବା ଦୋକାନରେ ମଧ୍ୟ ସମାନ ହିସାବ, ଗୋଟିଏ ଦିନରେ କିଣାଯାଇଥିବା ପରିବାରେ ଦର କେମିତି ଅଲଗା ରହିଛି, ତାହା ବଡ଼ ପ୍ରଶ୍ନ । ଦୁର୍ନୀତିକୁ ଘୋଡ଼େଇବା ପାଇଁ ତରବରିଆ ଭାବେ ରସିଦ୍ ପ୍ରସ୍ତୁତ କରିବା ବେଳେ ଭୁଲ୍ ହୋଇଯାଇଛି ଗଣିତ ?

ତାଳବୋରେଇ ଆଶ୍ରମ ସ୍କୁଲରେ ପୂରା ଜାଲିଆତିରେ ଚାଲିଛି ଏମଡିଏମ୍

ଜାଲିଆତି ନମ୍ବର ୧

ସ୍କୁଲ ଓ ଦୋକାନ ଅସଲି କିନ୍ତୁ ରସିଦ୍ ନକଲି । ଆରଟିଆଇରେ ମାଗିବା ପରେ ତରବରିଆ ଭାବେ କେଉଁ ପ୍ରେସ୍ ଦୋକାନରେ ବିଲ୍ ବହି ଛପାଯାଇଛି ଜାଲିଆତି । ନମ୍ବର ୨

୨୦୧୫ରୁ ଲାଗୁ ହେଲାଣି ଜିଏସଟି, କିନ୍ତୁ ୨୦୧୮, ୨୦୧୯ ଓ ୨୦୨୦ରେ ଭ୍ୟାଟ୍ ବିଲ୍ ପଡିଛି ।

ଜାଲିଆତି ନମ୍ବର ୩

ଗୋଟିଏ ତାରିଖରେ ଗୋଟିଏ ଦୋକାନରୁ ତେଜରାତି ଜିନିଷ କିଣିବା ବେଳେ ଡାଲି, ସୋୟାବିନରେ ଆସୁଛି ଭିନ୍ନ ଭିନ୍ନ ଦର

ଜାଲିଆତି ନମ୍ବର ୪

୨୦୨୦ ମାର୍ଚ୍ଚରେ କରୋନାର ଭୟଙ୍କର ରୂପ ଯୋଗୁଁ ରାଜ୍ୟ ସରକାର ସବୁ ସ୍କୁଲକୁ ମାର୍ଚ୍ଚ ୨୦ରୁ ଛୁଟି ଘୋଷଣା କଲେ । ତେବେ ଠିକ୍ ଗୋଟେ ସପ୍ତାହ ପୂର୍ବରୁ ଅର୍ଥାତ୍ ୧୩.୦୩.୨୦୨୦ରେ ୬ କୁଇଣ୍ଟାଲ ଆଳୁ, ୧୦୦ କିଲୋ ପିଆଜ, ୫୮ କେଜି ବାଇଗଣ, ପାଖାପାଖି ସାଢେ ୪ ହଜାର ଅଣ୍ଡା , ତେଲ ୧୦୦ କେଜି ଇତ୍ୟାଦି କିଣିଥିଲେ ସ୍କୁଲ ପ୍ରଧାନଶିକ୍ଷକ ।

ସେହିଭଳି ୨୨.୦୭ ୨୦୨୦ରେ ମଧ୍ୟ କିଣାଯାଇଛି ମିଡ୍ ଡେ ମିଲ୍ ସାମଗ୍ରୀ । ଏଠି ପ୍ରଶ୍ନ, ସ୍କୁଲ ବନ୍ଦ ହେବା ପରେ କୁଆଡେ ଗଲା ରାସନ୍, ପରିବା ଓ ଅଣ୍ଡା ? କରୋନା ସମୟରେ ତ ପିଲା ନଥିଲେ, ତେବେ ଏତେ ପରିମାଣର ଖାଦ୍ୟ ସାମଗ୍ରୀ ଆସିଲା କାହିଁକି ?

ପିଲାଙ୍କ ପାଇଁ ଆସୁଥିବା ଖାଦ୍ୟ ସାମଗ୍ରୀର ଜାଲ୍ ରସିଦ୍ ବୟାନ କରୁଛି ପ୍ରଧାନଶିକ୍ଷକଙ୍କ ଦୁର୍ନୀତି । ସ୍କୁଲ କମିଟି ଚେୟାରମ୍ୟାନ ମଧ୍ୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ । ସବୁ ରସିଦରେ ତାଙ୍କ ଦସ୍ତଖତର ଜାଲି କରାଯାଇଥିବା କହିଛନ୍ତି ସ୍କୁଲ କମିଟି ଚେୟାରମ୍ୟାନ୍ ।

ତାଳବୋରେଇ ସରକାରୀ ଆଶ୍ରମ ସ୍କୁଲରେ ଫେକ୍ ରସିଦ୍ କରି ହଜାର ହଜାର ଟଙ୍କାର ଖାଦ୍ୟ ସାମଗ୍ରୀ କିଣାଯାଉଛି । ତେବେ ଏହି ସାମାନ୍ କିଣାରେ ବ୍ୟାପକ ହେରଫେର ହେଉଥିବାର ଗୁମର ଖୋଲିଛି ଆରଟିଆଇ ତଥ୍ୟ ।