• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେନ୍ଦ୍ର ସରକାରଙ୍କ ମନରେଗା ଯୋଜନା ଯେତିକି ବଡ଼, ସେଥିରେ ଦୁର୍ନୀତି ମଧ୍ୟ ସେତିକି ବଡ଼ । ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଅର୍ଥ ଆତ୍ମସାତ୍ ହେଉଥିବା ନିଇତି ଅଭିଯୋଗ ଆସୁଛି । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ବଡ଼ଗାଁମାଲ ଗାଁରେ କେନାଲ, ରାସ୍ତା ଓ ଖେଳପଡ଼ଇା ନିର୍ମାଣ କାର୍ଯ୍ୟରେ ପାଖାପାଖି ୨୦ ଲକ୍ଷ ଟଙ୍କା କିକବ୍ୟାକ୍ ହୋଇଥିବା ସାମ୍ନାକୁ ଆସିଛି । ପୂରା ଘୋଟାଲାରେ ରହିଛି ପିଇଓ, ଜିଆରଏସ୍ ଓ ଜେଇଙ୍କ ମଧୁଚନ୍ଦ୍ରିକା ।

୨୦୨୧-୨୨ରେ ବଡ଼ଗାଁମାଲ ଶାଖା କେନାଲ ମରାମତି ପାଇଁ ବ୍ୟୟ ଅଟକଳ ହୋଇଥିଲା ୯ ଲକ୍ଷ ୯୯ ହଜାର ଟଙ୍କା । ମନରେଗା ୱେବସାଇଟ୍ ତଥ୍ୟ କହୁଛି, ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୩ ଲକ୍ଷ ୭୯ ହଜାର ଟଙ୍କା । କେନାଲ ମରାମତିରେ କାମ କରିଥିବା ଶ୍ରମିକଙ୍କୁ ଏତକ ଟଙ୍କା ପ୍ରଦାନ କରାଯାଇଥିବା ଦର୍ଶାଯାଇଛି । ହେଲେ ଗ୍ରାଉଣ୍ଡ ଜିରୋରେ ଚିତ୍ର ଭିନ୍ନ କଥା କହୁଛି । କେନାଲଟିକୁ ଦେଖିଲେ ଲାଗୁଛି, ବର୍ଷ ବର୍ଷ ଧରି କୌଣସି ମରାମତି ହୋଇନି । କାଦୁଅ ଓ ଘାସରେ ଭରପୁର ଏହି କେନାଲଟିର ମରାମତି ହୋଇଛି କେବଳ ଦସ୍ତାବିଜରେ । ଗାଁ ଲୋକଙ୍କ ଅଭିଯୋଗ, ୧୦-୧୫ ଜଣ ଶ୍ରମିକ ୨ରୁ ୩ ସପ୍ତାହ କାମ କରିଛନ୍ତି । ସ୍ଥାନେ ସ୍ଥାନେ ଅଳ୍ପ ମାଟି ଖୋଳି ସଫା କରିଛନ୍ତି । ଏହି ଖେଳପଡ଼ିଇା ଉନ୍ନତିକରଣ ନାଁରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ହଡପ୍ ହୋଇଛି ।

ଲେଫ୍ରିପଡ଼ା ପଞ୍ଚାୟତ ବଡ଼ଗାଁମାଲରେ ପତ୍ରଫଡିଠାରୁ ଡମପଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ବି ଗଫଲତି । ୨୦୨୧-୨୨ରେ ମଞ୍ଜୁର ହୋଇଥିବା ଏହି କାର୍ଯ୍ୟର ବ୍ୟୟ ଅଟକଳ ମଧ୍ୟ ଥିଲା ସେହି ୯ ଲକ୍ଷ ୯୯ ହଜାର । ଏଠି ମଧ୍ୟ ସମାନ ଅଭିଯୋଗ, କାମ ଅଳ୍ପ ହୋଇଛି, ବିଲ୍ ଅଧିକ ହୋଇଛି ମନରେଗା ୱେବସାଇଟ୍ ତଥ୍ୟ ଅନୁସାରେ କେବଳ ଲେବର ପେମେଣ୍ଟ ବାବଦକୁ ଖର୍ଚ୍ଚ ହୋଇଛି ୭ ଲକ୍ଷ ଟଙ୍କା । ଏହି ରାସ୍ତାରେ ମୋରମ୍ ପଡିବା ସହ କଲଭର୍ଟ ତିଆରି ହେବା କଥା ତେବେ ରାସ୍ତାରେ ଅଳ୍ପ ମାଟି ପକାଇ ୭ ଲକ୍ଷ ଟଙ୍କା ବିଲ୍ ହୋଇଯାଇଛି । ଯେଉଁଥିରେ ବଡ଼ଧରଣର ଦୁର୍ନୀତି ହୋଇଥିବା କଥା କହିଛନ୍ତି ଗ୍ରାମବାସୀ ।

ମଷ୍ଟର ରୋରେ ଶ୍ରମିକଙ୍କ ନାଁ ଏଣ୍ଟ୍ରି କରିବା କାର୍ଯ୍ୟ ଜିଆରଏସଙ୍କର । ଏହାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ମଞ୍ଜୁର କରିବା ପରେ ବିଲ୍ ଉଠିଥାଏ । ଜେଇଙ୍କର ମଧ୍ୟ ତଦାରଖ କରିବା ଗୁରୁଦାୟିତ୍ୱ ରହିଛି । ତେବେ କେନାଲ, ଖେଳପଡ଼ଇା ଓ ରାସ୍ତା କାମରେ ଏସବୁ କିଛି ନହୋଇ ମଧୁଚନ୍ଦ୍ରିକାରେ ଟଙ୍କା ହରିଲୁଟ୍ ହୋଇଥିବା ଜଳଜଳ ଦିଶୁଛି ।

ସେପଟେ ମନରେଗାର ସମସ୍ତ କାର୍ଯ୍ୟ ତଦାରଖ କରୁଥିବା ଗ୍ରାମସାଥୀ କୌଣସି ଦୁର୍ନୀତି ହୋଇନଥିବା କହିଛନ୍ତି । ବଡ଼ଗାଁମାଲରେ ଦୁର୍ନୀତି ନେଇ ପଞ୍ଚାୟତଠୁ ବ୍ଲକ, ବ୍ଲକରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସବୁଠି ଗୁହାରି କରିଛନ୍ତି ଗ୍ରାମବାସୀ । ହେଲେ ତଦନ୍ତ ହେଉନି ଓଲଟି ଲେଫ୍ରିପଡ଼ା ବିଡିଓଙ୍କୁ ଅଭିଯୋଗ କରିବାରୁ ସେ ଲୋକଙ୍କୁ ଧମକ ଚମକ ଦେଇଥିଲେ ।

ଏହି ଘୋଟାଲା ନେଇ ପିଇଓ, ଜେଇ, ଜିଆରଏସ୍, ବିଡିଓ କେହି ମୁହଁ ଖୋଲୁନଥିବା ବେଳେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି, ତଦନ୍ତ କରାଯିବ । ବାରମ୍ବାର ମନରେଗାରେ କିପରି ହେଉଛି ଦୁର୍ନୀତି ? ଜେଇ, ଜିଆରଏସ୍, ପିଇଓଙ୍କ ବିରୋଧରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ?