• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମେଧାବୀଙ୍କୁ ମିଳୁନି ଚାକିରି । ଶେଷରେ ଅତିଷ୍ଠ ହୋଇ ନିଜ ସାର୍ଟିଫିକେଟ୍ ବିକ୍ରି ପାଇଁ ସୋସିଆଲ ମିଡିଆର ସାହାରା ନେଲେ ବିଶ୍ୱନାଥ । ଶିକ୍ଷକତା କରିବା ପାଇଁ ସମସ୍ତ ପ୍ରକାର ଯୋଗ୍ୟତା ହାସଲ ପରେ ମଧ୍ୟ ଚାକିରି ନ ପାଇ ଚିନ୍ତାରେ ଦିନ କାଟୁଛନ୍ତି । ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ବିଶ୍ୱନାଥଙ୍କ ସାର୍ଟିଫିକେଟ୍ ବିକ୍ରି ବିଜ୍ଞାପନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ ।

ପିଲାଟି ଦିନରୁ ଶିକ୍ଷକତା କରିବା ଆଶା ଓ ସ୍ୱପ୍ନ ନେଇ ନବରଙ୍ଗପୁର ସହର ଇଚ୍ଛାବତୀଗୁଡ଼ା ସାହିର ବିଜୟକେତନ ବଡ଼ନାୟକଙ୍କ ପୁଅ ବିଶ୍ୱନାଥ ବଡନାୟକ ଜୀବନ କାଟୁଛନ୍ତି । +୨ ପରେ ଉମରକୋଟ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରରୁ ୨୦୧୭ ରେ ପ୍ରଶିକ୍ଷଣ ନେବା ସହ ୨୦୧୬ ରେ ଓଟିଇଟି ପରୀକ୍ଷାରେ ମଧ୍ୟ ପାସ୍ ହୋଇଥିଲେ  । ପରେ +୩ ପଢ଼ିବା ସହ ପରୀକ୍ଷାରେ ସଫଳତା ସହ ଉତୀର୍ଣ୍ଣ ହୋଇଥିଲେ । ଭାବିଥିଲେ ଶିକ୍ଷକତା କରି ନିଜର ଓ ପିଲାଙ୍କ ଭବିଷ୍ୟତ ଗଡ଼ିବେ । କିନ୍ତୁ ଆଶା ଖାଲି ଆଶାରେ ହିଁ ରହିଗଲା । କାରଣ ଦୀର୍ଘ ୫ ବର୍ଷ ଧରି ସରକାର କୌଣସି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ବାହାର ନ କରିବାରୁ ବହୁ ପ୍ରଶିକ୍ଷଣ ପ୍ରାପ୍ତ ଛାତ୍ରଛାତ୍ରୀ ବେକାର ହୋଇ ବୁଲୁଛନ୍ତି ।

ନିଯୁକ୍ତି ପାଇଁ ବାରମ୍ବାର ଆନ୍ଦୋଳନ ସହ ରାଜରାସ୍ତାକୁ ଓହ୍ଲାଉଛନ୍ତି । କିନ୍ତୁ ସରକାର କୌଣସି ଚାକିରି ବ୍ୟବସ୍ଥା ନକରିବାରୁ ବାଧ୍ୟ ହୋଇ ଶିକ୍ଷକ ପ୍ରଶିକ୍ଷଣ ସାର୍ଟିଫିକେଟ୍ ଏବଂ ଓଟିଇଟି ପାସ୍ ସାର୍ଟିଫିକେଟକୁ ଏକ ଲକ୍ଷ ଟଙ୍କା ଲେଖାଏଁ ଦରରେ ବିକ୍ରି କରିବାକୁ ସାମାଜିକ ଗଣମାଧ୍ୟମରେ ନିବେଦନ କରିଥିବା କହିଛନ୍ତି ବିଶ୍ୱନାଥ । ଏବେ ବିଶ୍ୱନାଥଙ୍କ ସାର୍ଟିଫିକେଟ୍ ବିକ୍ରି ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କାର୍ତ୍ତିକ ମଲ୍ଲିକ, ଉମରକୋଟ