/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667387733.jpg)
Special story
ଦିନ ଯେତିକି ଗଡୁଛି, ଦୁଃଖ ସେତିକି ବଢୁଛି । ଶୀତ ରାତିରେ ସମସ୍ତେ ଚାତକ ପରି ଚାହିଁ ବସିଛନ୍ତି, ଗାଁକୁ କେବେ ଫେରିବ ଶାନ୍ତି ତଥା ସ୍ୱାଭାବିକ ସ୍ଥିତି । ଗୁଣିଗାରେଡି ସନ୍ଦେହରେ ଆକ୍ରମଣ ଓ ହତ୍ୟା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ୩୩ ଜଣ ଗିରଫ ହୋଇଛନ୍ତି । ଭୟରେ ଅନ୍ୟ ସମସ୍ତେ ଗାଁ ଛାଡି ଚାଲିଯାଇଛନ୍ତି । ଗାଁରେ ଏବେ ପଡି ରହିଛନ୍ତି ବୃଦ୍ଧ ବୃଦ୍ଧା ଓ ଅସହାୟ । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମଧୁରଝୋଳ ଗାଁ ରେ ଘଟିଥିବା ଏଭଳି ଘଟଣାକୁ ୫ ଦିନ ବିତିଯିବା ପରେ ସ୍ଥିତି କହିଲେ ନସରେ ।
ଗୁଣିଗାରେଡି ସନ୍ଦେହରେ ଗତ ୨୬ ତାରିଖରେ ଗାଁର କିଛି ଲୋକଙ୍କ ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଏନେଇ ଆହତଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ । ଥାନାରେ ମାମଲା ରୁଜୁ ହେବାରୁ ଜଣେ ମହିଳାଙ୍କୁ ପିଟିପିଟି ମାରିଦେଇଥିଲେ । ଏହି ଘଟଣାରେ ଗାଁର ୩୩ ଜଣ ପୁରୁଷ ଓ ମହିଳାଙ୍କୁ ଗିରଫ କରିଥିଲା ପୋଲିସ । ଆଉ ତା’ପରେ ଅନ୍ୟ ସମସ୍ତ ପରିବାର ଗିରଫ ଭୟରେ ଗାଁ ଛାଡି ଚାଲିଗଲେ । ହେଲେ ରହିଗଲେ କିଛି ସ୍କୁଲ ପଢିବା ପିଲା । କାହାର ବାପା ଜେଲରେ ଅଛି ତ ଆଉ କାହା ବାପା ଗାଁ ଛାଡ଼ି ଲୁଚିଛି ।
କେବଳ ସେତିକି ନୁହେଁ, ମୁହଁ ଖୋଲି କଥା କହିପାରୁନଥିବା ଘରର ପଶୁମାନେ ଭୋକ ଉପାସରେ ପଡ଼ି ରହିଛନ୍ତି । ଫଳରେ ଗାଁର କିଛି ବୃଦ୍ଧ ମହିଳା କିଛି ମହିଳା ନିଜେ ଭୋକ ଉପାସରେ ଥିଲେ ମଧ୍ୟ ଗାଈ ଗୋରୁ ପାଇଁ ଘାସ କାଟି ଆଣି ଖାଇବାକୁ ଦେଉଛନ୍ତି ।ଏସବୁର ବିକଳ ଚିତ୍ର ଦେଖିବାକୁ ମିଳୁଛି ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମଧୁରଝୋଳ ଗ୍ରାମରେ ।
ଏପରିକି ଗାଁର ବୁଢ଼ାବୁଢ଼ୀ ମଧ୍ୟ କର୍ମକୁ ଆଦରି ପଡ଼ି ରହିଛନ୍ତି । ପୁଅବୋହୁ , ନାତିନାତୁଣୀ ସମସ୍ତେ ଘରଛାଡି ଚାଲିଯାଇଛନ୍ତି । ଖାଇବା ମୁଠେ ଦେବାକୁ କେହି ନାହାଁନ୍ତି ।ପରିଣତ ବୟସର ମଣିଷ ମାନେ ଅସହାୟ ହୋଇ ଘରେ ପଡିରହିଛନ୍ତି । ଗଣ୍ଡେ ଖାଇବା ପାଇଁ ଯୋଗାଡ଼ କରିବା ମଧ୍ୟ ତାଙ୍କୁ କଷ୍ଟକର ହେଉଛି । କିଏ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି ତ ଆଉ କିଏ ବାର୍ଦ୍ଧକ୍ୟରେ ।
ଗୁଣିଗାରେଡି ପ୍ରତି ବିଶ୍ୱାସ , ଏହାକୁ କେନ୍ଦ୍ରକରି ଆକ୍ରମଣ , ହତ୍ୟା , ଗିରଫ , ଗିରଫ ଭୟରେ ଗାଁ ଛାଡ଼ିବା, ଘରର ବୃଦ୍ଧବୃଦ୍ଧା ମାନେ ଅସହାୟ ଅବସ୍ଥାରେ ପଡ଼ିରହିବା ଏବଂ ଗାଁ ଶୂନଶାନ୍ ପାଲଟିଯିବା ….ଏ ସମସ୍ତ ଘଟଣାରୁ ସ୍ପଷ୍ଟ ହୋଇଛି, ମଧୁରଝୋଳି ଗାଁରେ ଘଟିଥିବା ଘଟଣାରେ କାହାକୁ ଲାଭ ମିଳିନି । ସମସ୍ତଙ୍କର କ୍ଷତି ହିଁ ଅଧିକ ହୋଇଛି । ଏବେ ସମସ୍ତେ ଚାହିଁ ରହିଛନ୍ତି, ଗାଁ କୁ କେବେ ଫେରିବ ସ୍ୱାଭାବିକ ସ୍ଥିତି ।
(ରିପୋର୍ଟ- ମନୋଜ ମୁନି, ଆସିକା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)