• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଗୁରୁ ହେବ ତ ଏମିତି !

  • ବିଦାୟ ଦେବାକୁ ଗ୍ରାମବାସୀ କଲେ ୭ କିଲୋମିଟର ଶୋଭାଯାତ୍ରା

ଖଡିଆଳ(କୁନାଲ ଚରଣ ବେହେରା): ଶିକ୍ଷକଙ୍କୁ ନିଆରା ଅବସର କାଳୀନ ବିଦାୟ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବଙ୍କାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଝିଆ ମେହେରଙ୍କୁ ଭିନ୍ନ ଢଙ୍ଗରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଙ୍କାପୁର ଗ୍ରାମବାସୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଛାତତ୍ରଛାତ୍ରୀମାନେ ସାମିଲ୍ ହୋଇଥିଲେ। ଗାଁର ବିଭିନ୍ନ ସ୍ଥାନରେ ମହିଳା ମାନେ ତାଙ୍କୁ ବନ୍ଦାପନା ମଧ୍ୟ କରିଥିଲେ ।

ମଝିଆ ମେହେର ଗତ ୧୯୮୨ ମସିହାରୁ ଶିକ୍ଷକତା ଆରମ୍ଭ କରି ଦୀର୍ଘ ୩୯ ବର୍ଷକାଳ ନିରବଚ୍ଛିନ୍ନ ଭାବରେ ଶହଶହ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରି ଖଡ଼ିଆଳ ଅଞ୍ଚଳରେ ଖୁବ୍‌ ଲୋକପ୍ରିୟ ଅଛନ୍ତି । ଜଣେ ସରଳ, ନିଷ୍ଠାପର, ମିଷ୍ଟଭାଷୀ ଓ ମେଳାପୀ ବ୍ୟକ୍ତି ଭାବରେ ତାଙ୍କୁ ପାଖଆଖ ଲୋକ ଓ ପିଲାମାନେ ଖୁବ୍‌ ଭଲପାଇଥାନ୍ତି । ସେଥିପାଇଁ ତାଙ୍କୁ ବିଦାୟ ଦେବାକୁ ଏହିପରି ନିଆରା ଆୟୋଜନ କରାଯାଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ନିଜ ଗାଁରୁ ପ୍ରଧାନଶିକ୍ଷକ ମଝିଆ ମେହରଙ୍କ ଗାଁ ତୁକଲା ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ଧରି ଏକ ଶୋଭାଯାତ୍ରା କରିଥିଲେ । ଜଣେ ଆଦର୍ଶ ଶିକ୍ଷକ ଭାବରେ ସେ ଚିର ସ୍ମରଣୀୟ ରହିବେ ବୋଲି ବକ୍ତା ଓ ଅତିଥି ମାନେ ପ୍ରକାଶ କରିଥିଲେ । ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ । କେବଳ ଏତିକି ନୁହେଁ ସାରଙ୍କୁ ତାଙ୍କ ଘରେ ନେଇ ମଧ୍ୟ ଛାଡିଥିଲେ । ଏହା ପରେ ଶିକ୍ଷକଙ୍କ ଘରେ ତାଙ୍କୁ ବନ୍ଦାପନା କରିଥିଲେ । ଏଭଳି ଏକ ଚମତ୍କାର ବିଦାୟ ଶୋଭାଯାତ୍ରା ପାଇଁ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

‘ଦୀର୍ଘ 39 ବର୍ଷ ଚାକିରୀ କାଳରେ ସମ୍ମାନିତ ହୋଇ ଆଜି ମତେ ବହୁତ୍‌ ଖୁସି ଲାଗୁଛି । ପ୍ରାୟ କ୍ୱଚିତ୍ ଗ୍ରାମରେ ଏଭଳି ଦେଖିବାକୁ ମିଳିଥାଏ ଯାହା ଆଜି ମତେ ମିଳିଛି ଏଥିପାଇଁ ମୁଁ ବହୁତ୍ ଖୁସି ଅଛି’ ବୋଲି କହିଛନ୍ତି ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ମଝିଆ ମେହେର ।

 ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂବ୍ରହ୍ମ,ତସ୍ମୈ ଶ୍ରୀଗୁରବେ ନମଃ । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ଆଲୋକ ବର୍ତ୍ତିକା ସାଜିଥାନ୍ତି । ଗୁରୁ କେବେ ଆକଟ ଭରା କଠୋର ଅନୁଶାସନ ତ ପୁଣି କେବେ ତାଙ୍କ ଉତ୍ସାହପ୍ରଦ ପ୍ରେରଣା ଜଣଙ୍କୁ ସାଧାରଣରୁ ଅସାଧାରଣରେ ପରିଣତ କରିଥାଏ । ପାଠ ହେଉ କି ସଂଗୀତ , ଖେଳ ହେଉ ଅବା ନୃତ୍ୟ ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ କୃତୀ ପ୍ରତିଭାଙ୍କ ପାଇଁ ପ୍ରସିଦ୍ଧି ତଥା ଉନ୍ନତି ଆଣି ଦେଇଛି । ବର୍ତ୍ତମାନ ଯୁଗର ଯୁବ ପିଢି ଧିରେ ଧିରେ ଗୁରୁଙ୍କ ଗୁରୁତ୍ୱକୁ ଭୁଲି ଯାଉଛନ୍ତି ।  ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକରେ ଶିକ୍ଷକଙ୍କୁ ଏପରି ସମ୍ମାନ ପ୍ରଦାନ କରି ସମାଜରେ ଏକ ନିଆରା ଉଦାହରଣ ସୃଷ୍ଟି କରିପାରିଛନ୍ତି ।