Advertisment

ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ : ନୀରିହଙ୍କ ମନକଥା ବୁଝି ଖାଇବାକୁ ଓ ପିଇବାକୁ ଦିଅନ୍ତି ହିମାଂଶୁ

ଏମିତି ଜଣେ ଯୁବକ, ଯିଏ ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ। ଯାହାଙ୍କ ଅନାବିଳ ଭଲ ପାଇବା ଆଗରେ ସବୁ କିଛିକୁ ପଛରେ ପକାଇ ଦେଇଛି। ଚାକିରି ଜୀବନରୁ ଅବସର ସମୟ କାଢି ଟଙ୍କା ଖର୍ଚ୍ଚ କରି ପଶୁପକ୍ଷୀଙ୍କ ସେବା କରି ଚାଲିଛନ୍ତି। ଭେଟନ୍ତୁ, ଢେଙ୍କାନାଳର ପଶୁପକ୍ଷୀ ପ୍ରେମୀ ହିମାଂଶୁ ବାରିକଙ୍କୁ...

author-image
Prangyan Parimita
special report

special report

ପ୍ରେମ-ଶାଶ୍ୱତ ଓ ଚିରନ୍ତନ। ମଣିଷ ହେଉ କି ପଶୁ ସମସ୍ତେ ପ୍ରେମରେ ବନ୍ଧା। ସମସ୍ତଙ୍କ ପରି ସାଧାରଣ ମଣିଷ ହୋଇ ବି ଯୁବକ ଜଣକ ପଶୁପକ୍ଷୀଙ୍କ ପ୍ରେମରେ ପଡି ଯାଇଛନ୍ତି । ନାଁ ହିମାଂଶୁ ଭୂଷଣ ବାରିକ । ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବାରିହାପୁର ଗାଁରେ । ପେଶାରେ ହିମାଂଶୁ ଜଣେ ପ୍ଲାଣ୍ଟ କର୍ମଚାରୀ ହୋଇଥିଲେ ମଧ୍ୟ ନିଶା ପଶୁପକ୍ଷୀଙ୍କ ସେବା । ଖାଲି ନିଜ ଗାଁ କାହିଁକି ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ତାଙ୍କ ସେବାର ଝଲକ ଦେଖିବାକୁ ମିଳିଥାଏ।

Advertisment

ବର୍ଷର ସବୁ ସମୟରେ ପଶୁପକ୍ଷୀଙ୍କ ସେବାରେ ଲାଗିଥାନ୍ତି ହିମାଂଶୁ। ଖାଇବା ଦେବାଠାରୁ ଆରମ୍ଭ କରି ପିଇବାକୁ ପାଣି ଦେବା ପର୍ଯ୍ୟନ୍ତ ସବୁ କିଛି ପିଲାମାନଙ୍କୁ ଧରି ହିମାଂଶୁ କରିଥାନ୍ତି। ପ୍ରବଳ ଖରା ଯୋଗୁ ଜଙ୍ଗଲରେ ପାଣି ମିଳୁ ନଥିବା ବେଳେ ପଶୁପକ୍ଷୀଙ୍କ ପାଇଁ ହିମାଂଶୁ ପାଣି ବ୍ୟବସ୍ଥା କରିଛନ୍ତି। ଏହା ବାଦ ବୁଲା ଗାଈଗୋରୁ ଓ କୁକୁରଙ୍କୁ ଖାଇବା ଦେଇ ଆନନ୍ଦ ପାଇଥାନ୍ତି ହିମାଂଶୁ। ତାଙ୍କ ସେବା ମନୋବୃତ୍ତି ଦେଖି ବେଳେ ବେଳେ ତାଙ୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି ପଶୁପକ୍ଷୀ।

ଢେଙ୍କାନାଳର ଏକ ଷ୍ଟିଲ କଂପାନୀରେ କାମ କରନ୍ତି ହିମାଂଶୁ। ଯାହା କିଛି ଦରମା ମିଳେ ସେଥିରୁ ପରିବାର ଚଳାଇବା ସହ କିଛି ଟଙ୍କା ଖର୍ଚ୍ଚ କରି ପଶୁପକ୍ଷୀଙ୍କ ସେବା କରିଥାନ୍ତି। ଘଞ୍ଚ ଜଙ୍ଗଲ ଭିତରେ ଠେକି ଓ ମାଠିଆରେ ପଶୁପକ୍ଷୀମାନଙ୍କ ପାଇଁ ଖାଦ୍ୟ ଓ ଜଳ ଯୋଗାଇବା, ରାସ୍ତା କଡରେ ବୁଲା କୁକୁର ଓ ଗାଈଗୋରୁଙ୍କୁ ଖାଦ୍ୟ ଦେବା ତାଙ୍କର ନିତିଦିନିଆ କାମ। ବାଟରେ ଯାଉଥିବା ବେଳେ ପଶୁପକ୍ଷୀଙ୍କ ମୋହ ସତେ ଯେପରି ତାଙ୍କୁ ଆକର୍ଷଣ କରି ନେଇଥାଏ।

Advertisment

୨୦୦୮ ମସିହାଠାରୁ ହିମାଂଶୁଙ୍କ ପଶୁପକ୍ଷୀଙ୍କ ପ୍ରତି ଅନବରତ ପ୍ରେମ ଜାରି ରହିଛି। ପ୍ରକୃତି ପ୍ରତି ହିମାଂଶୁଙ୍କ ଅନାବିଳ ଭଲ ପାଇବା ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ। ସେଥି ପାଇଁ ହିମାଂଶୁଙ୍କ ସେବାକୁ ସବୁଠି ମିଳୁଛି ପ୍ରଶଂସା। ବୁଦ୍ଧିଜୀବୀଙ୍କ ଠାରୁ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ହିମାଂଶୁଙ୍କୁ କରିଥାନ୍ତି ପ୍ରଶଂସା।

ବର୍ଷା, ଶୀତ ହେଉ ଅବା ଅସହ୍ୟ ତାତି, ପଶୁପକ୍ଷୀଙ୍କୁ ସେବା କରିବାରେ କେବେ ହେଳା କରନ୍ତି ନାହିଁ ହିମାଂଶୁ। ସେବାଙ୍କୁ ଜୀବନର ବ୍ରତ ଭାବେ ଗ୍ରହଣ କରି ହିମାଂଶୁ ଏବେ ମାନବ ସମାଜ, ପ୍ରକୃତି ପ୍ରେମୀ ଓ ଯୁବଗୋଷ୍ଠୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରୁ ବିଦ୍ୟାଧର ବରାଳଙ୍କ ରିପୋର୍ଟ

Special Report
Advertisment
Advertisment