• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପେଶା ଶିକ୍ଷକ, ହେଲେ ନିଶା ପରିବେଶକୁ ସୁସ୍ଥ ରଖିବା । ମୟୂରଭଞ୍ଜ କପ୍ତିପଦା ବ୍ଲକ ବିଶୋଳ ଗାଁର ସନ୍ତୋଷ ସାହୁ । ଜଣେ ଆଦର୍ଶ ଶିକ୍ଷକ ଭାବେ ସେ ଯେତିକି ପରିଚିତ ତାହାଠାରୁ ଅଧିକ ପରିବେଶ ସୁରକ୍ଷା ପାଇଁ । ଖାଲି ପରିବେଶ ସୁରକ୍ଷା କଥା ସେ ଚିନ୍ତା କରୁଛନ୍ତି ତାହା ନୁହେଁ ବରଂ ନିଜେ ବି ପରିଶ୍ରମ କରୁଛନ୍ତି । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।

ପରିବେଶକୁ ସୁରକ୍ଷିତ ରଖିବାକୁ ବିଭିନ୍ନ ସ୍ଥାନରେ ତାଳମଞ୍ଜି ଲଗାଉଛନ୍ତି । ଗାଁକୁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହିତ କେମିତି ପରିବେଶ ସୁରକ୍ଷିତ ରହିବ ସେନେଇ ଲୋକଙ୍କୁ ବୁଝାଉଛନ୍ତି । ବର୍ତ୍ତମାନ ରାଜ୍ୟରେ ବଜ୍ରାଘାତ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ତେବେ ତାଳ ଗଛ ବଜ୍ରାଘାତକୁ ପ୍ରତିହତ କରିଥାଏ । ତେଣୁ ସନ୍ତୋଷ ଆଜକୁ ୭ ବର୍ଷ ଧରି ଏହି ଅଭିଯାନ ଆରମ୍ଭ କରିଛନ୍ତି । ନିଜସ୍ଵ ଖର୍ଚ୍ଚରେ ତାଳମଞ୍ଜି ସଂଗ୍ରହ କରି ବିଭିନ୍ନ ସ୍ଥାନରେ ଲଗାଇଛନ୍ତି । ଖାଲି ତାଳ ଗଛ ନୁହେଁ ବରଂ ଜଙ୍ଗଲ ସୁରକ୍ଷା ଦିଗରେ ସେ କାମ ବି କରୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ତାଙ୍କୁ କରାଯାଉଛି ପ୍ରଶଂସା ।

ସନ୍ତୋଷ ସ୍ଥାନୀୟ କପ୍ତିପଦା ବଡ଼ଝାଡ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବା ବେଳେ ଛୁଟିଦିନ ହେଲେ ଗାଁକୁ ଗାଁ ବାହାରି ପଡ଼ନ୍ତି ତାଳ ଗଛ ଲଗାଇବା ପାଇଁ । ଜାଣିଆଶ୍ଚର୍ଯ୍ୟ ହେବେ କି ବର୍ତ୍ତମାନ ସୁଦ୍ଧା ୫ ହଜାର ତାଳମଞ୍ଜି ଲଗାଇ ସାରିଲେଣି ସେ । ଖାଲି ଏବେ ନୁହେଁ ବରଂ ଆଗାମୀ ଦିନରେ ଗଛ ଲଗାଇବା ଜାରି ରହିବ ବୋଲି ସେ କହିଛନ୍ତି । ସତରେ ଏମିତି ଶିକ୍ଷକ ନିଶ୍ଚୟ ନିଆରା ।

 

  • Reported by:
  • Manas Pani