• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନିଆରା ନେତା ବିଧାୟକ ଅଙ୍ଗଦ କହଁର

  • ଲୋକଙ୍କ ସେବା କରିବା ସହ କୌଳିକ ବୃତ୍ତିକୁ ଭୁଲି ନାହାନ୍ତି

  • ବିଧାୟକ ହେବା ପରେ ବି ଚାଷ କାମ କରୁଛନ୍ତି

ଫୁଲବାଣୀ(ତ୍ରିନାଥ ସାହୁ) : କାଦୁଅ ବିଲରେ ଖଟୁଛନ୍ତି, ଠୋଲାରେ ଭାତ ଖାଉଛନ୍ତି । ନେତା ହେବା ପରେ ବି ବଦଳି ନାହାନ୍ତି । ଆଜିକାଲି ନେତା ମାନେ ପଦ ପଦବୀ ପାଇଗଲା ସେମାନଙ୍କ ଢାଞ୍ଚା ବଦଳି ଯାଉଥିବା ଦେଖାଯାଉଛି । ଏମିତି କି ନିଜ ମାଟି ଏବଂ ବୃତ୍ତିକୁ ମଧ୍ୟ କିଛି ନେତା ଭୁଲିଯାଇ ଆଧୁନିକ ଜୀବନ ଓ ସହରୀ ଚାକଚକ୍ୟରେ ମଜି ଯାଉଛନ୍ତି । ହେଲେ ସମସ୍ତେ ସମାନ ନୁହଁନ୍ତି । ଚାରିଥର ସରପଞ୍ଚ, ଥରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଥରେ ଜିଲ୍ଲା ପରିଷଦ ସଦସ୍ୟ ଆଉ ଏବେ ବିଧାୟକ ତଥାପି ତାଙ୍କୁ ଛୁଇଁପାରିନି ଭିଆଇପି କଲଚର୍ । ପଦବୀ ପାଇବାର ପରେ ବି ତାଙ୍କର ଚାଲିଚଳନ, ଆଚାର ବ୍ୟବହାରରେ କିଛି ପରିବର୍ତ୍ତନ ଆସିନି ।  ଅତି ସାଧାରଣ ଜୀବନ ବିତାଉଛନ୍ତି ଜଣେ ନିରୀହ, ସରଳ ଏବଂ ଆଦିବାସୀ ଚାଷୀରୁ ବିଧାୟକ ହୋଇଥିବା ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଅଙ୍ଗଦ କହଁର ।

ବିଧାୟକ ଅଙ୍ଗଦ କହଁରଙ୍କ ଘର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଦୁର୍ଗମ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପକାରୀ ଗ୍ରାମରେ । ପରିବାର କହିଲେ ସ୍ତ୍ରୀ ,୪ ପୁଅ ,ଦୁଇ ଝିଅ ନାତିନାତୁଣୀ । ବିଧାୟକ ହେବା ପରେ ତିନି ତାଲା ବିଲ୍ଡିଂ ଘର କରିନାହାନ୍ତି । ବାପା ଜେଜେବାପା ଅମଳର ପଟାବାଡିଆ କାନ୍ଥ ଥିବା ମାଟି ଘରେ ସପରିବାରେ ଖୁସରେ ରହୁଛନ୍ତି । ତେବେ ବର୍ତ୍ତମାନ ନିଜ ଘର ପାଖରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଏକ ଦୁଇ ବଖରା ବିଶିଷ୍ଟ ପକ୍କା ଘରଟିଏ କରିଛନ୍ତି । କିନ୍ତୁ ପୁରୁଣା ମାଟିଘରେ ହିଁ ବିଧାୟକ ଏବଂ ତାଙ୍କ ସପରିବାର ରହୁଛନ୍ତି । ବିଧାୟକଙ୍କ ବୟସ ପ୍ରାୟ ୫୯ ବର୍ଷ । ସେ ପ୍ରଥମ ଥର ପାଇଁ ୧୯୮୫ରେ ରାଜନୀତିରେ ପାଦ ଦେଇ ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତର ସରପଞ୍ଚ ଭାବେ ପ୍ରଥମେ ନିର୍ବାଚିତ ହୋଇଥିଲେ । ତାପରେ ଏହା ମଧ୍ୟରେ ସେ ୪ ଥର ସରପଞ୍ଚ ,ଗୋଟିଏ ଥର ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷ । ଥରେ ଜିଲ୍ଲା ପରିଷଦ ସଦସ୍ୟ ଏବଂ ଥରେ ଲ୍ୟାମ୍ପ ସଭାପତି ହୋଇଥିଲେ । ଆଉ ବର୍ତ୍ତମାନ ବିଧାୟକ ଅଛନ୍ତି ।

ବିଧାୟକ ହେବା ପରେ ମଧ୍ୟ ମାମାଟିକୁ ଭୁଲି ନାହାନ୍ତି । ନିଜ ମୂଳ ବୃତ୍ତି ଚାଷ କାର୍ଯ୍ୟ କରୁଛନ୍ତି ଏବଂ ନିଜ ପାରମ୍ପରିକ ଜୀବନ ବିତାଉଛନ୍ତି । ସକାଳ ୬ ଟା ହେବାମାତ୍ରେ ଘରୁ ହଳ ଲଙ୍ଗଳ ଧରି ଜମି ଆଡ଼କୁ ବାହାରି ଯାଆନ୍ତି । କେବଳ ସେ ନୁହଁ ପୁଅ ମାନଙ୍କୁ ମଧ୍ୟ ଚାଷ କାମରେ ଲଗାଇଛନ୍ତି । ଜଣେ ସାଧାରଣ କୃଷକ ପରି ବିଲରେ ହଳ କରିବା ମାଟି କାଦୁଅରେ ତଳି ଲଗାଇବା ପରି ସବୁ କାର୍ଯ୍ୟ କରନ୍ତି । ବିଧାୟକ ହୋଇ ମଧ୍ୟ ସେ ଏବଂ ତାଙ୍କ ପରିବାର ମଧ୍ୟ ଭୋଗ ବିଳାସ ଠାରୁ ବହୁ ଦୂରରେ ରହି ସାଧାରଣ ଜୀବନ ଜାପାନ ଅତିବାହିତ କରୁଛନ୍ତି । ଏବେ ମଧ୍ୟ ବିଧାୟକଙ୍କ ପତ୍ନୀ ନିଜେ ଘରେ ଲିପା ପୋଛା କରିବା ସହିତ ପତ୍ରରେ ଖଲି ଦନା ପ୍ରଭୃତି ପ୍ରସ୍ତୁତ କରୁଛନ୍ତି । ଏବଂ ପୂରା ପରିବାର ପାରମ୍ପରିକ ଦନା ପତ୍ରରେ ଭୋଜନ କରୁଛନ୍ତି । 

ତେବେ ବିଧାୟକ କହିଛନ୍ତି ତାଙ୍କର ମୂଳ ବୃତ୍ତି ହେଉଛି ଚାଷ । ତେଣୁ ସେ ପ୍ରଥମେ ଜଣେ ଚାଷୀ ତାପରେ ଅନ୍ୟ କିଛି । ଚାଷ କଲେ ବର୍ଷ ଯାକର ଖାଇବାକୁ ହୋଇଯିବ । ପ୍ରିୟ ବିଧାୟକ ସବୁବେଳେ ଲୋକଙ୍କ ସହିତ ମିଶନ୍ତି ଓ ସେମାନଙ୍କ ଦୁଃଖ ସୁଖରେ ସାମିଲ ହୁଅନ୍ତି । ଘରୁ ଚାଷବାସ କାର୍ଯ୍ୟ ସାରି ଥରେ ବାହାରି ପଡ଼ିଲେ, କେତେବେଳେ ଫେରନ୍ତି ତାର କିଛି ସଠିକ ସମୟ ନଥାଏ । ତେଣୁ ବିଧାୟକଙ୍କ ପ୍ରତି ଲୋକଙ୍କର ଯଥେଷ୍ଟ ସମ୍ମାନ ରହିଛି ।