• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାହା ତ୍ରୁଟିି, ଯନ୍ତ୍ରଣା ଭୋଗୁଛି କିଏ ? କ୍ୟାନସର ଭୂତାଣୁ ନଥାଇ ରୋଗୀକୁ କେମୋ ଦିଆଚାଲିଛି, ଅଙ୍ଗ କଟା ବି ସରିଲାଣି । କଟକ ଏସସିବିକୁ ଚିକିତ୍ସା ପାଇଁ ଆସି ଏବେ ଯମ ଯନ୍ତ୍ରଣା ଭୋଗୁଥିବା କାମାକ୍ଷାନଗର ଅଞ୍ଚଳର ଜଣେ ମହିଳାଙ୍କ ଦୁର୍ଦ୍ଦଶା ପାଇଁ କିଏ ଦାୟୀ, ସେଥିପାଇଁ ନ୍ୟାୟ ମାଗୁଛି ତାଙ୍କ ପୁଅ ।

ଜୀ ଥାଉ ଥାଉ ଏ ଯମ ଯନ୍ତ୍ରଣା ପାଇଁ ଦୋଷ ଦେବେ କାହାକୁ ? ଭାଗ୍ୟକୁ ନା ବିଶ୍ୱସ୍ତରୀୟ ମେଡିକାଲର ଡିଣ୍ଡିମ ପିଟା ଚାଲିଥିବା କଟକ ବଡ଼ ମେଡିକାଲରେ ତ୍ରୁଟିପୂର୍ଣ୍ଣ ନିଦାନ ବ୍ୟବସ୍ଥାକୁ ? କର୍କଟ ଆକ୍ରାନ୍ତ ବୋଲି ଭୁଲ୍ ରିପୋର୍ଟରୁ ନିଜର ଦୁଇଟି ଅଙ୍ଗ ହରାଇବାର ଦୁଃଖ ହେଉ ବା ଅକାରଣରେ କେମୋ ନେବା ପରର ଯନ୍ତ୍ରଣା ସବୁ ଜାଣିବା ପରେ ଯେମିତି ଆଉ କିଛି କହିବାକୁ ଯୁ ନାହିଁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନନ୍ତପୁର ଅଞ୍ଚଳର ପ୍ରଦୀପ୍ତା ଶତପଥୀ ଖାଲି ଜୁଳୁ ଜୁଳୁ କରି ଚାହୁଁଛନ୍ତି, ଆଉ ମନକୁ ମନ ଗୁଣୁଗୁଣେଇ କହୁଛନ୍ତି ହେ ପ୍ରଭୁ ମୋ ଭଳି କଷ୍ଟ ଆଉ କାହାକୁ ନମିଳୁ ।

ବାସ୍ତବରେ ଯାହା ସବୁ ଘଟିଯାଇଛି ପ୍ରଦୀପ୍ତାଙ୍କ କ୍ଷେତ୍ରରେ, ଜାଣିଲେ ମୁଣ୍ଡ ଘୁରେଇ ଯିବ । ଏସସିବି ମେଡିକାଲ ଅଧୀକ୍ଷକଙ୍କ ନିକଟରେ ତାଙ୍କ ପୁଅଙ୍କ ଲିଖିତ ଅଭିଯୋଗ ଅନୁସାରେ, ମାଆଙ୍କ ଛାତିରେ ଏକ ମାଂସ ବଢୁଥିବାରୁ ସେ ଗତ ମାର୍ଚ୍ଚ ୧୬ରେ ଏସସିବିରେ ସର୍ଜରୀ କରାଇଥିଲେ । ଏହା ପରେ ବାୟୋପ୍‌ସି ପାଇଁ ମେଡିକାଲ ହିଷ୍ଟୋପାଥୋଲୋଜିକୁ ପଠାଯାଇଥିଲା । ଏପ୍ରିଲ୍ ୬ରେ ରିପୋର୍ଟରେ ବ୍ରେଷ୍ଟ କ୍ୟାନସର ପଜିଟିଭ ଆସିବା ପରେ ଅଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇ ସଂପୂର୍ଣ୍ଣ ଅଙ୍ଗକୁ କାଟି ଦିଆଯାଇଥିଲା ।

ଖାଲି ସେତିକି ନୁହେଁ ଏଥିସହ ଦୁଇଟି କେମୋ ଦିଆଯିବା ସହ ଆଗକୁ ଲେଜର ଲାଇଟ୍ ଟ୍ରିଟମେଣ୍ଟ ନେଇ ବି ସ୍ଥିର ହୋଇଥିଲା । ଯେଉଁଥିପାଇଁ ବିସ୍ତୃତ କ୍ୟାନସର ପଜିଟିଭ ରିପୋର୍ଟ ଦରକାର ପଡ଼ିଥିଲା । ହେଲେ ଯେତେବେଳେ ତାଙ୍କୁ ପୁଅ ରିପୋର୍ଟ ଆଣିବାକୁ ଗଲେ, ସେତେବେଳେ ତାଙ୍କୁ ତାରିଖ ବଦଳାଇ, ଜୁଲାଇ ୧୯ ତାରିଖରେ କଲମରେ ଭିନ୍ନ ତାରିଖ ପକାଯାଇ ଏକ ରିପୋର୍ଟ ଦିଆଗଲା । ଯେଉଁଥିରେ ତାଙ୍କର କ୍ୟାନସର ନଥିବା ଦର୍ଶାଯାଇଥିଲା । ଯାହାକୁ ନେଇ ବଢିଥିଲା ସନ୍ଦେହ ।

ଏମିତିକି ଏସସିବିରୁ ନମୁନା ନେଇ କଟକର ଏକ ଘରୋଇ ଲ୍ୟାବ୍‌ରେ ମଧ୍ୟ ଟେଷ୍ଟ କରାଇବା ପରେ ତାଙ୍କର କ୍ୟାନସର ନେଗେଟିଭ୍ ଆସିଥିଲା । ଅର୍ଥାତ୍ କ୍ୟାନସର ଭୂତାଣୁ ନଥାଇ ତାଙ୍କ ମାଆଙ୍କର ଅସ୍ତ୍ରୋପଚାର ସହ କେମୋ ଦିଆଯାଇଥିଲା । ତେଣୁ ଏସସିବି ମେଡିକାଲ ପ୍ରଶାସନିକ ଅଧିକାରୀଙ୍କ ପାଖରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ପୁଅ ଶରତଦୀପ ।

ରୋଗୀ ଜଣେ, ହେଲେ ଏସସିବି ପାଥୋଲୋଜି ରିପୋର୍ଟର ତଥ୍ୟ କିନ୍ତୁ ଅଲଗା ଅଲଗା । ଗୋଟିଏରେ ବ୍ରେଷ୍ଟ କ୍ୟାନସର ପଜିଟିଭ୍, ତ ଅନ୍ୟଟିରେ ନେଗେଟିଭ୍ । ତେଣୁ ଏଠି ପ୍ରଶ୍ନ ଏ ସାଂଘାତିକ ତ୍ରୁଟି ପାଇଁ ଦାୟୀ କିଏ ? କାହା ଖାମଖିଆଲିରୁ ଆଜି ଅକାରଣରେ ଅଙ୍ଗ ହରାଇ ଯନ୍ତ୍ରଣାରେ ଛଟପଟ ନିରୀହ ପ୍ରଦୀପ୍ତା ଶପପଥୀ ? ଏନେଇ ପ୍ରତିକ୍ରିୟା ରଖି ପାଥୋଲୋଜି ବିଭାଗୀୟ ମୁଖ୍ୟ କହିଛନ୍ତି, ଆମେ ଯାହା ରିପୋର୍ଟ ଦେଇଛୁ ପୁରା ଠିକ୍ । ରୋଗୀର ବୁଝିବାରେ ତ୍ରୁଟି ଥାଇପାରେ ଆମ ପାଖକୁ ଆସିଥିଲେ ବୁଝେଇ ଦେଇଥାନ୍ତୁ ।

 

ତେଣେ ଅଭିଯୋଗ ପରେ ଏସସିବି ମେଡିକାଲ ପ୍ରଶାସନିକ ଅଧିକାରୀ କହିଛନ୍ତି ଆମେ ବି ପାଥୋଲୋଜି ବିଭାଗର ପ୍ରାରମ୍ଭିକ ତଦନ୍ତରୁ କ୍ୟାନସର ରିପୋର୍ଟ ଠିକ୍ ଥିବା ଜାଣିବାକୁ ପାଇଛୁ । ହେଲେ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଛୁ । ତଦନ୍ତ ରିପୋର୍ଟ ଆସିବା ପରେ କିଏ ଠିକ୍ କିଏ ଭୁଲ୍ ତ ଜଣାପଡ଼ିବ । ହେଲେ ଯଦି ରିପୋର୍ଟ ତ୍ରୁଟିରୁ ବାସ୍ତବରେ ପ୍ରଦୀପ୍ତା ଏ ଦୁର୍ଦ୍ଦଶା ଭୋଗୁଥାନ୍ତି, ତାହାଲେ ଏଥିପାଇଁ ଦାୟୀ କିଏ ?