• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଢଳେଇ ରାସ୍ତା ହୋଇଛି, ହେଲେ ସବୁଆଡ଼େ ଫାଟି ଆଁ କଲାଣି । ମାତ୍ର ବର୍ଷକ ତଳେ ତିଆରି ହୋଇଥିବା ରାସ୍ତାର ଅବସ୍ଥା ଦେଖିଲେ ଯିଏ ନାହିଁ ସିଏ କହିବ କାମରେ କେତେ ପରିମାଣରେ ହେଉଛି ଦୁର୍ନୀତି । ଠିକାଦାର ରାସ୍ତା କାମ କରି ସିନା ଛୁ ମାରିଲେ ହେଲେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ ।

ଯାଜପୁର ଏସ୍‌ପି ଅଫିସଠାରୁ ଖଣ୍ଡରପୁରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ପୂରା ବେହାଲ l ରାସ୍ତା ଉପରେ ତିନୋଟି ପଞ୍ଚାୟତର ଲୋକେ ନିର୍ଭର ବି କରନ୍ତି l ପ୍ରତିଦିନ ପାଖାପାଖି ୧୦ ହଜାର ଲୋକ ସେହି ରାସ୍ତା ଦେଇ ଯାଆସ ବି କରନ୍ତି । ହେଲେ ରାସ୍ତା ଅବସ୍ଥା ଏତେ ବେହାଲ ଯେ କେତେବେଳେ ଦୁର୍ଘଟଣା ଘଟିବ ତାହା କେହି କହିପାରିବେ ନାହିଁ । ଏମିତିକି ରାସ୍ତା ମରାମତି ଲାଗି ବାରମ୍ବାର ଦାବି ହେବା ପରେ ବି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

୫ କୋଟି ୭୫ ଲକ୍ଷ ୧୪ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦରେ ନିର୍ମାଣ ହୋଇଥିବା ସେହି ୧୩ କିଲୋମିଟର ରାସ୍ତା ବର୍ଷେ ନପୁରୁଣୁ ଫାଟି ଆଁ କରିଛି । ତେଣୁ କେତେ ନିମ୍ନମାନର କାମ ହୋଇଛି ତାହା ଜଳଜଳ ହୋଇ ଦିଶୁଛି । ରାସ୍ତା ମରାମତି ପାଇଁ ଠିକାଦାରଙ୍କଠାରୁ ଆରମ୍ଭ କରି ପ୍ରଶାସନ ପାଖରେ ଗୁହାରି କରିକରି ଥକିଗଲେଣି ସ୍ଥାନୀୟ ଲୋକେ । ହେଲେ ସ୍ଥିତି ଯଥାପୂର୍ବଂ ତଥା ପରଂ । ଶେଷରେ ଉପାୟଶୂନ୍ୟ ହୋଇ ଆନ୍ଦୋଳନ କରିବାକୁ ସଜବାଜ ହେଲେଣି ଗାଁ ଲୋକେ ।

ରାସ୍ତା ଖରାପ ସମ୍ପର୍କରେ ଜିଲ୍ଲାପାଳ ଅବଗତ ହେବା ପରେ କହିଛନ୍ତି, ତଦନ୍ତ କରାଯିବ । ଯଦି ନିମ୍ନମାନର କାର୍ଯ୍ୟ ହୋଇଥାଏ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଖୁବ୍‌ କମ୍‌ ଦିନ ଭିତରେ ରାସ୍ତା ମରାମତି କାମ ଆରମ୍ଭ ହେବ ।  ଗାଁକୁ ରାସ୍ତା ନାଁରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରକୃତରେ କେତେ ନିମ୍ନମାନର କାମ ହେଉଛି ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ।

  • Reported by:
  • JANMEJAY DASH