• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଅଶାନ୍ତ ହୋଇପଡ଼ିଛି ଢିଙ୍କିଆ । ପୁଣି ଲଢ଼େଇ ପୋଲିସ ବନାମ ପବ୍ଲିକ୍ । ଜାରି ରହିଥିବା JSW ବିରୋଧୀ ଆନ୍ଦୋଳନ ବେଳେ ଆଜି ପାନବରଜକୁ ସୁରକ୍ଷା ଦେବାକୁ ଯାଉଥିବା ଲୋକଙ୍କ ସହ ମୁହାଁମୁହିଁ ହୋଇଛି ପୋଲିସ । ସ୍ଥିତି ଅଣାୟତ୍ତ ହେବାରୁ ଲୋକଙ୍କ ଉପରେ ଲାଠିମାଡ଼ ସହ ନିର୍ଘାତ ପ୍ରହାର ହୋଇଛି । ଫଳରେ ବହୁ ଢିଙ୍କିଆ ବାସୀ ଆହତ ହୋଇଥିବା ବେଳେ କିଛି ପୋଲିସ କର୍ମଚାରୀ ବି ପାଲଟା ଆକ୍ରମଣର ଶିକାର ହୋଇଥିବା ଏସ୍ପି କହିଛନ୍ତି ।

ଦିନ ପ୍ରାୟ ସାଢ଼େ ୧୧ଟାରୁ ୨ ଘଣ୍ଟା ଧରି ରଣକ୍ଷେତ୍ର ପାଲଟିଥିଲା ଢିଙ୍କିଆ ଇଲାକା । ଏବେ ବି ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି । ପସ୍କୋ ବିରୋଧୀ ଆନ୍ଦୋଳନବେଳେ ଯେଉଁ ମାଟି ରକ୍ତରଂଜିତ ହୋଇଥିଲା, ସେହି ମାଟି ପୁଣି ଭିଜିବା ଆରମ୍ଭ ହୋଇଛି ନିରୀହଙ୍କ ଲୁହ ଆଉ ଲହୁରେ । ଦୁର୍ବାର ଆନ୍ଦୋଳନର ପ୍ରତିବନ୍ଧକକୁ ଭେଦି ନପାରି ଯେଉଁ ମାଟିରୁ ବିଦାୟ ନେଇଗଲା ପସ୍କୋ, ସେହି ମାଟିରେ ଏବେ ମୁଣ୍ଡ ଟେକୁଥିବା JSWକୁ ନେଇ ଚରମ ଲଢ଼େଇ ।

ଜୀବିକାକୁ ସୁରକ୍ଷା ଦେବାକୁ ଯାଇ ପୋଲିସ ସହ ଢିଙ୍କିଆବାସୀଙ୍କ ଆରପାର୍ ଲଢ଼େଇ । ସକାଳ ପ୍ରାୟ ସାଢ଼େ ୧୧ଟାରେ JSWର ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜାରି ରହିଥିବା ଉଚ୍ଛେଦ କାର୍ଯ୍ୟ ଭିତରେ ଢିଙ୍ଗିଆବାସୀ ନିଜ ନିଜ ପାନବରଜକୁ ସୁରକ୍ଷା ଦେବାକୁ ବାହାରିଥିଲେ । ଏହି ସମୟରେ ମାହାଳ ପଟ ପ୍ରବେଶ ପଥରେ ସଦଳବଳେ ଛକିରହିଥିଲା ପୋଲିସ । ସେଠାରୁ ହିଁ ଉପୁଜିଥିଲା ବିଦ୍ରୋହର ସୂତ୍ରପାତ । ବାଟ ଓଗାଳିଥିବା ପୋଲିସ ଫୋର୍ସ ଉପରକୁ ପିନ୍ଧା ଶାଢ଼ୀ ଫିଙ୍ଗିଥିଲେ ମହିଳା । କିଛି ସମୟ ଧରି ଏଭଳି ମୁହାଁମୁହିଁ ପରେ ଅଣାୟତ୍ତ ହୋଇପଡ଼ିଲା ସ୍ଥିତି । ଶେଷରେ ଆରମ୍ଭ ହୋଇଥିଲା ପୋଲିସର ଲାଠିଚାର୍ଜ । ପୋଲିସ-ପବ୍ଲିକର ସଂଘର୍ଷ ଭିତରେ ରଣକ୍ଷେତ୍ର ପାଲଟିଯାଇଥିଲା ସାରା ଢିଙ୍କିଆ ।

୨୦୨୧, ଡିସେମ୍ବର ୦୧ରେ ବାଲିଟିକିରାରେ ଏବଂ ଡିସେମ୍ବର ୨୧ରେ ମାହାଳ ଗାଁର ସୀମା ପୁନଃନିର୍ଦ୍ଧାରଣ ବେଳେ ପୋଲିସ ସହ ମୁହାଁମୁହିଁ ଏବଂ ଧସ୍ତାଧସ୍ତି ହୋଇଥିଲେ ଢିଙ୍କିଆ ବାସିନ୍ଦା । ଏହାପରେ ଜାନୁୟାରୀ ୧ରୁ ଢିଙ୍କିଆର ପ୍ରବେଶ ପଥ ଗୁଡ଼ିକରେ ଲାଗିରହିଥିଲା ଛକାପଞ୍ଛା । ଲୋକଙ୍କ ଅଭିଯୋଗ, ପୋଲିସ ଲଗାଇ ପାନବରଜ ଗୁଡ଼ିକୁ ପ୍ରଶାସନ ଭାଙ୍ଗୁଛି ଏବଂ ବିରୋଧ କଲେ ମିଛ ମାମଲା ରୁଜୁ କରୁଛି । ଏହାକୁ ବିରୋଧ କରିବା ସହ ଆଜି ପାନବରଜ ସୁରକ୍ଷା ଦେବାକୁ ଯିବାବେଳେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ଢିଙ୍କିଆରେ । ଫଳରେ କାହା ମୁଣ୍ଡ ଫାଟି ଯାଇଛି ତ କାହାର ଗୋଡ଼ ଭାଙ୍ଗିଯାଇଛି । ଏପରିକି କିଛି ଛୋଟପିଲା ବି ଆହତ ହୋଇଥିବା କୁହାଯାଉଛି । ଅନେକ ଲୋକ ନିଜର ସଂପର୍କୀୟଙ୍କ ପତ୍ତା ପାଉନଥିବା ଅଭିଯୋଗ କରିଛନ୍ତି ।

ଏହି ଘଟଣା ପରେ ବର୍ତ୍ତମାନ ଢିଙ୍କିଆରେ ଚାପା ଉତ୍ତେଜନା ଲାଗିରହିଛି । କିଛି ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେପଟେ JSW ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁଙ୍କ ସହ ୫ରୁ ୬ଜଣଙ୍କୁ ପୋଲିସ ଗିରଫ କରିଛି । ଏସ୍‌ପିଙ୍କ କହିବା କଥା, ଆନ୍ଦୋଳନକାରୀ, ପୋଲିସ ଉପରକୁ ପ୍ରଥମେ ଆକ୍ରମଣ କରିବାରୁ କେବଳ ମୃଦୁ ଲାଠିଚାର୍ଜ କରାଯାଇଛି । ଲୋକଙ୍କ ସହମତିରେ ପାନବରଜ ଭଙ୍ଗାଯାଉଛି ।

ସେପଟେ ଢିଙ୍କିଆରେ ପୋଲିସ-ପବ୍ଲିକ ମୁହାଁମୁହିଁ ସ୍ଥିତିକୁ ନେଇ ରାଜନୈତିକ ଆରୋପ । ଶିଳ୍ପ କରାଯାଉ କିନ୍ତୁ ଜନସାଧାରଣଙ୍କ ସହମତିରେ । କୌଣସି ବର୍ବରତା ପ୍ରକାଶ ନପାଉ ବୋଲି କହିଛି ବିଜେପି ।  ରାଜ୍ୟ ସରକାର କିଛି ଲୋକଙ୍କୁ ବୁଝାଇ ପାରିନାହାନ୍ତି ବୋଲି ବିଜେପି ରାଜ୍ୟ ସଭାପତି କହିଥିବାବେଳେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ସହ ଶିଳ୍ପ ବନ୍ଦ କରିବାକୁ ଦାବି କରିଛି କଂଗ୍ରେସ ।