• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚାଉଳ ଓ ଭତ୍ତା ପାଇଁ ପାହାଡ଼ରେ ଚାଲୁଛନ୍ତି ୮ କିଲୋମିଟର । ଗାଁକୁ ନାହିଁ ପାଦଚଲା ରାସ୍ତା । ରାସ୍ତା ନଥିବାରୁ ନାହିଁ ନଥିବା ହୀନସ୍ତା । ମୌଳିକ ସୁବିଧା ପାଇଁ ପାହାଡ଼ କନ୍ଦିରେ ଚାଲିବାକୁ ପଡ଼ୁଛି କିଲୋମିଟର କିଲୋମିଟର ବାଟ । ସବୁଦିନିଆ ରାସ୍ତା ଛାଡ଼ନ୍ତୁ ଗାଁକୁ ନାହିଁ ପାଦଚଲା ରାସ୍ତାଟିଏ । ଏମିତି କଲବଲ ଅବସ୍ଥାରେ ଅଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ସାକାଡ଼ି ଗ୍ରାମବାସୀ ।

କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକର ଦଳପଡ଼ା ଗ୍ରାମ ପଞ୍ଚାୟତର ସାକାଡ଼ି ଗାଁ । ଫୁଲବାଣୀ ସହରଠାରୁ ମାତ୍ର ୩୫ କିଲୋମିଟର ଦୂରରେ ଥିବା ଏହି ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର । ପାହାଡ଼ କନ୍ଦିରେ ଚାଲିଚାଲି ଗାଁକୁ ଯାଉଛନ୍ତି ଲୋକେ । ପଞ୍ଚାୟତ କାର୍ଯ୍ୟାଳୟଠାରୁ ୯ କିଲୋମିଟର ଦୂରରେ ଥିବା ଏହି ଗାଁ ସମସ୍ତଙ୍କ ପାଇଁ ଅପହଞ୍ଚ । ଗାଁରେ ନାହିଁ କୌଣସି ମୌଳିକ ସୁବିଧା । ନିର୍ବାଚନ ଆସିଲେ ଗାଁକୁ ନେତାଙ୍କ ଶୁଅ ଛୁଟେ । ସମସ୍ତେ ରାସ୍ତାଟିଏ କରିଦେବେ ବୋଲି କହି ଚାଲିଯାଆନ୍ତି । ଏମିତି କେତେ ନିର୍ବାଚନ ଗଲାଣି । ହେଲେ ଅବସ୍ଥା ଯେମନ୍ତକୁ ସେମନ୍ତ ।

ଗାଁରେ ଶହେରୁ ଅଧିକ ଲୋକ ବସବାସ କରୁଥିଲେ ବି ପ୍ରଶାସନ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ପ୍ରତିଦିନ ପାହାଡ଼, ପଥର, ନଈ ଅତିକ୍ରମ କରି ପଞ୍ଚାୟତ କାର୍ଯ୍ୟାଳୟ ଆସୁଥିବା ଲୋକେ ଏବେ ଥକି ଗଲେଣି । ତୁରନ୍ତ ରାସ୍ତା ନହେଲେ ଆଉ ଭୋଟ ଦେବେନି ବୋଲି ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । 

ଖଜୁରୀପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି ସାକାଡ଼ି ଗାଁରେ ମୌଳିକ ସୁବିଧା ପହଞ୍ଚୁନଥିବା ଅଭିଯୋଗ ଅମ ନଜରକୁ ଆସିଛି । ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ ସହ ସମସ୍ତ ସରକାରୀ ସୁବିଧା ଯୋଗାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।