• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦିବ୍ୟାଙ୍ଗଙ୍କ ଉପରେ ଦାଉ ସାଧିଚି ଦଇବ । ପିଲାଟି ବେଳୁ ଆଖି ହରାଇଥିଲେ ଆଉ ଏବେ ପେଟରେ ଟ୍ୟୁମର ହେବାରୁ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି । ଅର୍ଥାଭାବରୁ ଚିକିତ୍ସା ବି କରାଇ ପାରୁନାହାନ୍ତି ତଥାପି ସେ ହାରିନାହାନ୍ତି । ସାଇକେଲ୍ ସଜାଡି ଗୁଜୁରାଣ ମେଣ୍ଟାଉଛନ୍ତି କେନ୍ଦ୍ରାପଡ଼ା ସୂର୍ଯ୍ୟପୁର ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଦିଲ୍ଲୀପ ବରାଳ ।

୫୦ ବର୍ଷୀୟ ଦିଲ୍ଲୀପଙ୍କ ଆଖି ନଥାଇ ବି ସେ ସାଇକେଲ୍ ସଜାଡି ଗୁଜୁରାଣ ମେଣ୍ଟାଉଛନ୍ତି । ଆଖପାଖ ଅଞ୍ଚଳରେ ସେ ଜଣେ ଏକ ନମ୍ବର ସାଇକେଲ୍ ମେକାନିକ । ଭଗବାନ ତାଙ୍କୁ ଆଖି ସିନା ଦେଇ ନାହାନ୍ତି କିନ୍ତୁ ଗାଇବା ପାଇଁ ସୁମଧୁର କଣ୍ଠ ଦେଇଛନ୍ତି । ଗୀତ ଗାଇବା ତାଙ୍କର ନିଶା ଆଉ ସାଇକେଲ୍ ସଜାଡିବା ପେଶା । ସକାଳୁ ସଞ୍ଜ ଯାଏଁ ସେ ତାଙ୍କର ଏହି ଛୋଟିଆ ଦୋକାନରେ ଲାଗିପଡ଼ିଥାନ୍ତି । କାମରେ ପିଲାଟି ବେଳୁ ଦୃଷ୍ଟିହୀନ ହୋଇ ମଧ୍ୟ ସେ ହାର୍ ମାନି ନଥିଲେ ମାତ୍ର ତାଙ୍କ ଉପରେ ପୁଣି ଦାଉ ସାଧିଚି ଦଇବ । ପେଟ ଭିତରେ ଏକ ଟ୍ୟୁମର ହେବା ପରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏହାସହ ଅର୍ଥାଭାବରୁ ଚିକିତ୍ସା ବି କରାଇ ପାରୁନାହାନ୍ତି ।

ଅଢ଼େଇ ବର୍ଷର ହୋଇଥିବାବେଳେ ସେ ଦୁଇଟି ଯାକ ଆଖି ହରାଇ ବସିଥିଲେ । ପରେ ଜୀବିକା ରାହା ଖୋଜୁ ଖୋଜୁ ଏଇ ସାଇକେଲ୍ ଦୋକାନ ଖଣ୍ଡିକ ଖୋଲିଥିଲେ । ସାଇକେଲ୍ ମରାମତି କରୁ କରୁ ସେ ମନେ ମନେ ଅନେକ ଭଜନ ଗୁଣୁଗୁଣେଇଥାନ୍ତି ଓ ଜଣାଣ ଅବସର ସମୟରେ ସେ ଆଖପାଖ ଗାଁରେ ହେଉଥିବା ଭଜନ ଏବଂ ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ବି ସାମିଲ ହୋଇ ଗୀତ ଗାଇଥାନ୍ତି । କେବଳ ଗୀତ ନୁହେଁ ସେ ଭଲ ମୃଦଙ୍ଗ ଓ ଖଜଣି ବି ବଜାଇ ପାରନ୍ତି । ତେବେ ସରକାରୀ କିମ୍ବା ବେସରକାରୀସ୍ତରରେ କିଛି ସହାୟତା ମିଳିଲେ ତାଙ୍କର ଅପରେସନ ହୋଇପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି । ଦିଲ୍ଲୀପଙ୍କ ବିଷୟରେ ଅବଗତ ହେବା ପରେ ତାଙ୍କର ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।