• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଯାଯାବର ଜୀବନ ଜିଇଁଥିବା ସୀମାଞ୍ଚଳ ଫେରିଲେ ୪୦ ବର୍ଷ ପରେ

  • ଆନ୍ଧ୍ରରୁ ବ୍ରହ୍ମପୁର ବଦଳରେ ଟ୍ରେନରେ ଚାଲିଗଲେ ମଧ୍ୟପ୍ରଦେଶ ବୁରାହନପୁର

ଦିଗପହଣ୍ଡି(ଅଶୋକ ବ୍ରହ୍ମା) : ବର୍ଷେ କି ଦି ବର୍ଷ ନୁହେଁ ଦାଦନ ଖଟିବାକୁ ଯାଇ, ଠିକଣା ଭୁଲି ଯାଯାବର ଜୀବନ ଜିଉଁଥିବା ମଣିଷଟି ୪୦ ବର୍ଷ ପରେ ପୁଣି ଗାଁକୁ ଫେରିଛି । କିଛି ସ୍ୱେଚ୍ଛାସେବୀ ସଂସ୍ଥା ଓ ସହୃଦୟ ମଣିଷଙ୍କ ପାଇଁ ସେ ପୁଣି ଘର ମୁହଁ ଦେଖିବାର ସୌଭାଗ୍ୟ ପାଇଛନ୍ତି । ଗଞ୍ଜାମ ଦିଗପହଣ୍ଡି ବ୍ଲକ୍ ଏସ୍. ଟିକରପଡ଼ା ଗାଁର ସୀମାଞ୍ଚଳ ରଣାଙ୍କ କଥା । ଜୁଆନ୍ ବୟସରେ ଗାଁରେ ମୂଷା ନାଁରେ ପରିଚିତ ଲୋକଟିକୁ ଏତେ ଦିନ ପରେ ଗାଁରେ ପାଇ ଲୋକେ ଯେତିକି ଆଶ୍ଚର୍ଯ୍ୟ, ତାଙ୍କ ଘର ଫେରନ୍ତା କାହାଣୀରେ ବି ରହିଛି ସେତିକି ରୋମାଞ୍ଚ ।

ସୀମାଞ୍ଚଳ ରଣା ବୟସ-୬୭ ଗାଁରେ ଡାକ ନାଁ ମୂଷା । ୪୦ ବର୍ଷ ତଳୁ ଯେଉଁ ନିଖୋଜ ମଣିଷର ନାଁଟିକୁ ଲୋକେ ଭୁଲି ଆସୁଥିଲେ, ଏବେ ତାଙ୍କୁ ନେଇ ଘରେ ଘରେ ଚର୍ଚ୍ଚା । ତେବେ ଏହା ପଛରେ ରହିଛି ବଡ଼ କାହାଣୀ । ୨ ମାସର ଶିଶୁ କନ୍ୟାର ମୃତ୍ୟୁ ପରେ ୨୫ ବର୍ଷର ସୀମାଞ୍ଚଳ ପ୍ରଥମେ ମହାରାଷ୍ଟ୍ର ଓ ସେଠୁ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିରେ । ଘରେ ଏକା ଥିଲେ ସ୍ତ୍ରୀ ହେଲେ ସେଠୁ ଠିକରେ କାମ ନମିଳିବାରୁ ପୁଣି ଗାଁକୁ ଫେରିବାକୁ ବ୍ରହ୍ମପୁରକୁ ଟ୍ରେନ୍ ଟିକେଟ୍ କାଟିଥିଲେ ।

ହେଲେ ଏଇଠୁ ବଦଳି ଗଲା ସୀମାଞ୍ଚଳଙ୍କ ଜୀବନର ମୋଡ଼ । ବ୍ରହ୍ମପୁର ବଦଳରେ ମଧ୍ୟପ୍ରଦେଶର ବୁରହନପୁର ଷ୍ଟେସନରେ ଓହ୍ଲାଇବାରୁ ସନ୍ଦେହରେ ରେଲେଓ୍ୱ ପୋଲିସ୍ ତାଙ୍କୁ ଗିରଫ ବି କରି ପରେ ଛାଡ଼ି ଦେଇଥିଲା । ହେଲେ ସେଠି ନା ସେ କାହାକୁ ଜାଣିଥିଲେ, ନା ତାଙ୍କ ଭାଷା ବି କିଏ ବୁଝୁଥିଲା କି ସେ କାହା ଭାଷା । ଏଠି ସେଠି ବୁଲି କାମ ପାଇଲେ ଖାଉଥିଲେ, ନହେଲେ ଓପାସ୍ । ତେବେ ଏହାରି ଭିତରେ ଅନେକ ବର୍ଷ ବିତିଗଲା । ସେ ଧିରେ ଧିରେ ଜୁଆନରୁ ବୁଢ଼ା ହେଉଥିଲେ, ତା ସାଙ୍ଗକୁ ନିଜ ଗାଁ, ନିଜ ଭାଷା ବି ଭୁଲି ଆସୁଥିଲେ ।

ତେବେ ବୁରାହନପୁରରେ ରୋଟି ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଯାଯାବର ସୀମାଞ୍ଚଳଙ୍କ ସଂସ୍ପର୍ଶରେ ଆସିବା ପରେ ସୀମାଞ୍ଚଳ ଓଡ଼ିଆ ଓ ଘର ଗଞ୍ଜାମ ବୋଲି ଜଣାପଡ଼ିଲା । ତାପରେ ଆରମ୍ଭ ହେଲା ସୀମାଞ୍ଚଳକୁ ଓଡ଼ିଶା ପଠାଇବାର ଅଭିଯାନ । ରୋଟି ସଂସ୍ଥାଠୁ ସୀମାଞ୍ଚଳଙ୍କ ଏକ ଭିଡିଓ ପହଞ୍ଚିଲା କଟକର ସ୍ୱେଚ୍ଛାସେବୀ କମଲ ରାଠିଙ୍କ ପାଖରେ । କମଲ ସୀମାଞ୍ଚଳଙ୍କ ସହ ଫୋନ୍ ଯୋଗେ କଥା ବି ହେଲେ ।

ଏହା ପରେ ସୀମାଞ୍ଚଳଙ୍କ ଗାଁ, ଘର ଠିକଣା ସବୁ କିଛି ସ୍ପଷ୍ଟ ହେବା ପରେ ଶେଷରେ ତାଙ୍କୁ ଗାଁକୁ ଫେରାଇ ଆଣିବାର ବ୍ୟବସ୍ଥା ହେଲା । ଆଉ ଗତ ୧୬ ତାରିଖରେ ଗାଁକୁ ଫେରିଛନ୍ତି ସୀମାଞ୍ଚଳ । ଜୁଆନ୍ ଅବସ୍ଥାରେ ଗାଁ ଛାଡ଼ିଥିବା ମଣିଷଟି ଏବେ କିନ୍ତୁ ରୋଗାକ୍ରାନ୍ତ । ଆଶାବାଡ଼ି ବିନା ଚାଲିବା ଅବସ୍ଥାରେ ବି ନାହାନ୍ତି ସେ । ନିଖୋଜ ହେବା ପରଠୁ ପତ୍ନୀ ବି କୁଆଡ଼େ ଚାଲିଯାଇଛନ୍ତି ହେଲେ ପୁତୁରାଙ୍କ ପରିବାର କାକାଙ୍କୁ ଫେରିପାଇ ବେଶ୍ ଖୁସି ।