• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବହୁରୂପୀ ବେଶ ହୋଇଛନ୍ତି । ହାତରେ ସଚେତନତାର ବ୍ୟାନର ଧରି ରାସ୍ତାରେ ବୁଲୁଛନ୍ତି । ପୁଣି ଗୁଟଖା ପାଟିରେ ପକାଇବାର ଅଭିନୟ କରୁଛନ୍ତି । ଏମିତି ଦୃଶ୍ୟ ଦେଖିବା ପରେ ଆପଣ ଭାବୁଥିବେ ସେହି ବ୍ୟକ୍ତିଙ୍କର ବୋଧହୁଏ ମାନସିକ ସ୍ଥିତି ଭଲନାହିଁ । ସେଇଥି ପାଇଁ ସେମିତି ଅଭିନୟ କରୁଛନ୍ତି । ହେଲେ ଦୃଶ୍ୟ ପଛର ସତ ଜାଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । କାରଣ ୟାଙ୍କର ମାନସିକ ଭାରସାମ୍ୟ ଖରାପ ହୋଇନି ବରଂ ଲୋକଙ୍କ ଜୀବନ ବଞ୍ଚାଇବାକୁ କରୁଛନ୍ତି କସରତ ।

ଆମେ ସମସ୍ତେ ଜାଣିଛନ୍ତି ପ୍ରତିବର୍ଷ ମେ’ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ରୂପେ ପାଳନ କରାଯାଏ । ପ୍ରତିବର୍ଷ ତମାଖୁ ସେବନ ଦ୍ୱାରା ବିଶ୍ୱରେ ପାଖାପାଖି ୮ ମିଲିଅନ ଲୋକ ପ୍ରାଣ ହରାଉଥିବା ବେଳେ ବହୁ ଲୋକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ବିଶେଷକରି ଗଞ୍ଜାମ ଜିଲ୍ଲାରେ ତମାଖୁ ସେବନକାରୀଙ୍କ ସଂଖ୍ୟା ଅଧିକ ରହିଛି l ତେଣୁ କେମିତି ସାଧାରଣ ଲୋକ ତମାଖୁ ସେବନରୁ ଦୂରେଇ ରହିବେ ସେନେଇ କସରତ ଆରମ୍ଭ କରିଛନ୍ତି ଗଂଜାମ କବିସୂର୍ଯ୍ୟନଗରର ସମାଜସେବୀ ବ୍ରହ୍ମାନନ୍ଦ ଆଚାରୀ ।

ସେଇଥି ଲାଗି ତ କଳାରଙ୍ଗର ଭୟାନକ ବେଶ ସାଙ୍ଗକୁ ହାତରେ ବିଭିନ୍ନ ପ୍ରକାରର ତମାଖୁ ଦ୍ରବ୍ୟ ଧରି ଗାଁ ଦାଣ୍ଡରେ ଲୋକଙ୍କୁ କରୁଛନ୍ତି ସଚେତନ l ନିଜ ସାଇକେଲରେ ତମାଖୁ ବର୍ଜନ ସଚେତନତା ପୋଷ୍ଟର ଲଗାଇ ଗାଁ ଗାଁ ବୁଲି ତମାଖୁ ସେବନ ଠାରୁ ଦୂରରେ ରହିବାକୁ ଲୋକଙ୍କୁ ଦେଉଛନ୍ତି ପରାମର୍ଶ । ଆଉ ବ୍ରହ୍ମାନନ୍ଦଙ୍କ ଏମିତି ପ୍ରୟାସକୁ ସ୍ଥାନୀୟ ଅଂଚଳରେ ବି କରାଯାଉଛି ପ୍ରଶଂସା । ଅନେକ ସମୟରେ ଆମେ ଦେଖିଥାଆନ୍ତି କିଛି ଭିନ୍ନ ରୂପରେ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରନ୍ତି ସମାଜସେବୀ । ହେଲେ ତମାଖୁକୁ ବର୍ଜନ କରିବା ଉଦ୍ଦେଶ୍ୟ ନେଇ ଇଏ ଯେମିତି ବହୁରୂପୀ ବେଶ ହୋଇ ଗାଁକୁ ଗାଁ ବୁଲୁଛନ୍ତି ତାହା ନିଶ୍ଚୟ ପ୍ରଶଂସା ଯୋଗ୍ୟ ।

 

  • Reported by:
  • Pitabasa Das