• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶିଶୁ ପୁତ୍ରକୁ ଦେଖିବା ପୂର୍ବରୁ ଟାଣିନେଲା ମୃତ୍ୟୁର ଦୂତ । କୁଆଁ କୁଆଁ ଡାକ ଶୁଣିବା ଆଗରୁ ଅଫେରା ରାଇଜକୁ ଚାଲିଗଲେ ଶିବପ୍ରସାଦ । ସ୍ୱାମୀ ବିନା କେମିତି ବଞ୍ଚିବେ ସରସ୍ୱତୀ ? କାନ୍ଦି କାନ୍ଦି ମୂର୍ଚ୍ଛା ଯାଉଛନ୍ତି ।  ବ୍ରତ ଓ ମାନସିକ କରି ପୁଅ ଟିଏ ଆଶା କରୁଥିବା ମଣିଷ ଆଉ ନାହିଁ । ପୁଅ ଜନ୍ମ ହେଲା ସତ ହେଲେ ପୁଅ ମୁହଁ ଦେଖିବା ଆଗରୁ କୁମ୍ଭୀର ମୁହଁରେ ଚାଲିଗଲା ଶିବପ୍ରସାଦଙ୍କ ଜୀବନ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକରେ ନଳପାହୀ ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ।

ନଳପାହୀ ଗ୍ରାମର ଶିବପ୍ରସାଦ ବେହେରା । ବୟସ ୪୦ ବର୍ଷ । ୩ ଝିଅ, ପତ୍ନୀ ସରସ୍ୱତୀଙ୍କୁ ନେଇ ଅଭାବୀ ସଂସାର ହସଖୁସିରେ ଚଳୁଥିଲା । ହେଲେ ହଠାତ୍ ମାଡି ଆସିଲା ଦୁଃଖର କଳାପାହାଡ । ଗତ ୪ ତାରିଖ ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଥିଲେ ଶିବପ୍ରସାଦ । ଘରକୁ ଫେରିବାକୁ ବିଳମ୍ବ ହେବାରୁ ଗ୍ରାମବାସୀ ନଦୀ ନିକଟରେ ଖୋଜିବାରୁ ତାଙ୍କ ଗାମୁଛା ଓ ଚପଲ ଦେଖିବାକୁ ପାଇଥିଲେ । ତେବେ ନଦୀରେ ଏକ କୁମ୍ଭୀର ବୁଲୁଥିବାର ଦେଖି କୁମ୍ଭୀର ଝାମ୍ପି ନେଇଥିବା ସନ୍ଦେହ କରି ବନବିଭାଗକୁ ଖବର ଦିଆଯାଇଥିଲା ।

ଖବର ପାଇବା ପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । ଗ୍ରାମବାସୀଙ୍କ ସହ ମିଳିତ ଭାବେ ରାତିସାରା ବନବିଭାଗ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ପତ୍ତା ମିଳିନଥିଲା । ତେବେ ୫ତାରିଖ ସକାଳୁ ଶିବପ୍ରସାଦଙ୍କୁ ଖୋଜା ଚାଲିଥିବା ବେଳେ ଏପଟେ ପତ୍ନୀ ସରସ୍ଵତୀ ଘରେ ପ୍ରସବ ବେଦନାରେ ଛଟପଟ ହେଉଥିଲେ । ତୁରନ୍ତ ତାଙ୍କୁ ସରସ୍ୱତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ଶିବ ପ୍ରସାଦଙ୍କ କ୍ଷତାକ୍ତ ଶବ ଉଦ୍ଧାର କରାଯାଇଥିଲା । ତାଙ୍କ ୨ ହାତ କୁମ୍ଭୀର ଖାଇ ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିଲା ।

ଆଉ ଏହାର ଠିକ୍ ୨ ଦିନ ପରେ ସରସ୍ୱତୀ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ହେଲେ ପୁଅ ଟିଏ ପାଇଁ ବ୍ରତ ଓ ମାନସିକ ରଖିଥିବା ବାପାଙ୍କ ଜୀବନ କୁମ୍ଭୀର ଆକ୍ରମଣରେ ଚାଲିଯାଇଛି । ପୁଅ ଜନ୍ମହେବା ଖୁସିରେ ସରସ୍ଵତୀ ଖୁସି ହେବେ କ'ଣ, ସ୍ଵାମୀଙ୍କୁ ଝୁରି ଆଖିରୁ  ଅହରହ ଲୁହ ଗଡ଼ାଉଛନ୍ତି । ସ୍ୱାମୀ ଚାଲିଯିବା ପରେ ୪ଜଣ ଛୋଟ ପିଲାଙ୍କ ମୁହଁରେ କେମିତି ଆହାର ଦେବେ ସେଚିନ୍ତା ଏବେ ଘାରିଛି ସରସ୍ୱତୀଙ୍କୁ।

ଆଳିରୁ ବନମାଳୀ ସାହୁ