• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନିସ୍ତବ୍ଧ ଶ୍ମଶାନ, ଆଉ ବଣବୁଦାରେ ଢାଙ୍କି ହୋଇ ରହିଛି ମଶାଣୀ । ରାସ୍ତାରେ ଛିଡା ହେଲେ ଶ୍ମଶାନ ବି ଠିକ୍‌ରେ ଦେଖାଯାଉନି । ଖାଲି କୋଠା ଘରଟିଏକୁ ଦେଖିଲେ ଜାଣିପାରିବେ ଏଇଟା ଶ୍ମଶାନ ବୋଲି । ଆଉ ଏଇ ଶୂନଶାନ୍‌ ସ୍ଥାନରେ ବସିଛନ୍ତି ଜଣେ ବୃଦ୍ଧ । ଆଉ ଅପେକ୍ଷା କରିଛନ୍ତି ପୁଅକୁ । କେତେବେଳେ ତାଙ୍କ ପୁଅ ଫେରିବ ? ଆଉ ତାଙ୍କୁ ସାଙ୍ଗରେ ଘରକୁ ଯିବ । କିଛି ବୁଝିପାରିଲେନି ବୋଧହୁଏ, ଶ୍ମଶାନରୁ ପୁଅ କେମିତି ଫେରିବ ସେନେଇ ମନରେ ଉଠିଥିବ ପ୍ରଶ୍ନ । ଘଟଣାଟି ଜାଣିବା ପରେ ଆପଣଙ୍କ ଆଖି ଛଳଛଳ ହୋଇଯିବ ନିଶ୍ଚୟ ।

ଶ୍ମଶାନରେ ବାପା ବସିଛି, ପୁଅର ଫେରିବା ବାଟକୁ ଚାହିଁବସିଛି । ବେଳେ ଡାକ ବି ଛାଡୁଛି । ହେଲେ ପୁଅ ଆସୁନି। ଏବେ ଆସୁନି କି କେବେ ଆସିବନି । କାରଣ ତାଙ୍କ ପୁଅ ଆଉ ଏ ଦୁନିଆରେ ନାହିଁ । ବାପା ନିଜ ପୁଅକୁ ହରାଇ ଏମିତି ଦୁଃଖରେ ଭାଙ୍ଗିପଡିଛନ୍ତି କି ମୃତ୍ୟୁର ସତକୁ ସେ ସ୍ୱୀକାର ବି କରିପାରୁନାହାନ୍ତି । ସେଇଥି ପାଇଁ ତ ଦିନରାତି ଏକ କରି ମଶାଣୀରେ ବସିଛନ୍ତି, ଆଉ ପୁଅର ଫେରିବା ବାଟକୁ ଚାହିଁବସିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପୁଅ ଯେଉଁଠାରେ ପୋଡା ହୋଇଥିଲା, ସେଇଠାରେ ହିଁ ମାସମାସ ଧରି ଏମିତି ବସିଛନ୍ତି ଏହି ବାପା ଜଣକ ।

ସେ ହେଉଛନ୍ତି ପୁରୀ ନିମାପଡା ବ୍ଲକ୍ ଭୁଆଁ ଗାଁର ଗୌତମ ମହାନ୍ତି । ୮ ବର୍ଷ ହେଲା ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ତାଙ୍କ ପୁଅ। ହଠାତ୍‌ ପୁଅର ମୃତ୍ୟୁ ହେବା ପରେ ମାନସିକ ଭାରସ୍ୟାମ ହରାଇ ବସିଲେ ଗୌତମ । ପୁଅର ଅପମୃତ୍ୟୁ ପରେ ନଖାଇ ନପିଇ ଝୁରିଝୁରି ଏଇଠି ଏମିତି ବସିଛନ୍ତି ଗୌତମ । ଯେତେ ଡାକିଲେ କି ଯାହା କଲେ ଶ୍ମଶାନ ଛାଡି ଯାଉନାହାନ୍ତି ସେ । ବେଳେ ବେଳେ କିଛି କହୁଛନ୍ତି ନହେଲେ ଅନେକ ସମୟରେ ଚୁପ୍‌ ବସୁଛନ୍ତି । ତାଙ୍କର ଏମିତି ଅବସ୍ଥା ଦେଖି ଝିଅ ନଳିନୀ ଓ ଜ୍ୱାଇଁ ଗଙ୍ଗାଧର ତାଙ୍କୁ ନିଜ ଘରକୁ ନେଇ ରଖିଲେ । ହେଲେ ସେ ଘରେ ନରହି ଦିନରାତି ଶ୍ମଶାନରେ ବସୁଥିବା ଦେଖିବାକୁ ମିଳିଛି ।

ତେବେ ଶାଶୂଘର ଜଞ୍ଜାଳ ଭିତରେ ବି ବାପାଙ୍କ ସେବାଯତ୍ନ କରିବାରେ ବ୍ୟସ୍ତ ଅଛନ୍ତି ଝିଅ ନଳୀନି । ଖାଲି ସେବା କରୁଛନ୍ତି ତାହା ନୁହେଁ ବରଂ ଚିକିତ୍ସା ବି କରାଉଛନ୍ତି । ହେଲେ ବାପା ପୂରା ଭଲ ହେବାକୁ ହେଲେ ବଡ ଡାକ୍ତରଖାନା ନେବାକୁ ପଡିବ । କିନ୍ତୁ ଜ୍ୱାଇଁ ରାଜମିସ୍ତ୍ରୀ କାମ କରୁଥିବାରୁ ଚିକିତ୍ସା ପାଇଁ ଟଙ୍କାର ବି ଅଭାବ ରହୁଛି। ତେଣୁ ସରାକରୀ ସହାୟତାକୁ ଏବେ ରହିଛି ଅପେକ୍ଷା ।

କଥାରେ ଅଛି ବାପା-ମାଆ ଇଏ ଏମିତି ଦୁଇଜଣ, ଯିଏ ପିଲାଙ୍କୁ କେବେ ବି ଛାଡିପାରନ୍ତିନି କି ଭୁଲି ବି ପାରନ୍ତିନି। ତେଣୁ ଯାହାକୁ କୋଳେଇ କାଖେଇ ମଣିଷ କରିଥିଲେ, ଆଜି ଯେତେବେଳେ ସେ ଏ ଦୁନିଆରେ ନାହିଁ । ତାହାକୁ ସହଜରେ ଜଣେ ବାପା ହୋଇ ଗ୍ରହଣ କରିପାରିବେ ବା କେମିତି? ତେବେ ଗୌତମଙ୍କ ଦୁଃଖ ଦେଖିଲେ ନିଶ୍ଚୟ ଆପଣ ବି କହିବେ ଭଗବାନ କୌଣସି ବାପା ସହିତ ଏମିତି ନକରୁ ।

(ରିପୋର୍ଟ- ନିଆଳୀରୁ ବିନୟ ମିଶ୍ର)