• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଜେଲରେ ଚୋରୀ । ଏମିତି ସେମିତି ଚୋରୀ ନୁହେଁ ବରଂ ୩ ବର୍ଷ ଧରି ସିଧାସିଧା ଚାଲିଛି ବିଜୁଳି ଚୋରି । ରାସ୍ତା ଉପର ଖୁଣ୍ଟରୁ ବାଇପାସ୍ କରି ନିଆଯାଇଛି ବିଦ୍ୟୁତ ଲାଇନ୍ । ବାସ୍ ଏହା ଜଣାପଡିବା ପରେ ପୂରା ଜିଲ୍ଲାରେ ଜୋର ଧରିଛି ଚର୍ଚ୍ଚା ।

ମାଲକାନଗିରି ଜିଲ୍ଲା ଉପ-କାରାଗାର । ଏଠାରେ ରହୁଛନ୍ତି ୬୦୦ରୁ ଅଧିକ କଏଦୀ । ସରକାରଙ୍କ ପକ୍ଷରୁ କଏଦୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥାଏ । କିନ୍ତୁ ଏଠାରେ କଏଦୀଙ୍କ ଲାଗି ଚୋରାରେ ଯାଉଛି ବିଜୁଳି । ହେଲେ କାହିଁକି ଏମିତି ଚୋରାରେ ବିଜୁଳି ଯାଉଛି? ବିଭାଗୀୟ କର୍ତ୍ତୃପକ୍ଷ ଅବଗତ ଅଛନ୍ତି କି ନାହିଁ? ତାହା ଜାଣିବା ଲାଗି ଆମେ ପହଞ୍ଚିଥିଲୁ ବିଜୁଳି ବିଭାଗ କାର୍ଯ୍ୟାଳୟରେ । ଜେଲକୁ ଏମିତି ଚୋରାରେ ବିଜୁଳି ଯାଉଥିବା କଥା ଜଣାଇଥିଲୁ । ହେଲେ ୨ ଦିନ ପରେ ବି ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନେଇନି ବିଜୁଳି ବିଭାଗ । କେବଳ ଜଣେ ଲାଇନମ୍ୟାନଙ୍କୁ ପଠାଇ କାମ ସାରିଦେଇଛନ୍ତି ।

ଲାଇନମ୍ୟାନ କ’ଣ ଦେଖିଲେ ? ଉପରିସ୍ଥ ଅଧିକାରୀଙ୍କୁ କ’ଣ ରିପୋର୍ଟ ଦେବେ ? ସେ ସମ୍ପର୍କରେ କ୍ୟାମେରା ଆଗରେ କିଛି କହିନାହାନ୍ତି । ଜେଲ ସମ୍ମୁଖରେ ଥିବା ଏକ ପୋଲରୁ ହୁକ୍ ମାଧ୍ୟମରେ ଜେଲକୁ ବିଜୁଳି ଯାଇଥିବା ଏବଂ ଭିତରେ ମଧ୍ୟ ଅଧିକାଂଶ ସ୍ଥାନରେ ବାଇପାସ୍ କରାଯାଇଥିବା ପରୋକ୍ଷରେ ସୂଚନା ମିଳୁଛି । ତେବେ ଏମିତି ଚୋରା କାରବାର ଉପରେ ବିଦ୍ୟୁତ ବିଭାଗ ସ୍ପଷ୍ଟୀକରଣ ରଖିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜେଲକୁ ଏମିତି ଚୋରାରେ ବିଜୁଳି ଯିବା କଥା ନେଇ ସୁପରିଟେଣ୍ଡେଣ୍ଟଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ । ହେଲେ ସେ ବିରକ୍ତି ପ୍ରକାଶ କରିବା ସହ ଖବର ପ୍ରସାରଣ ନକରିବାକୁ ସିଧାସଳଖ କହିଥିଲେ ।

ଅନେକ ସମୟରେ ଆମେ ଦେଖିଛନ୍ତି, ସାମାନ୍ୟ କଥାକୁ ନେଇ ବିଜୁଳି ସଂଯୋଗ କାଟିଦେଇଥାଏ ବିଜୁଳି ବିଭାଗ । ହେଲେ ଏଇଠି ଦିନ ଦ୍ୱିପ୍ରହରେ ଏମିତି ଚୋରା କାରବାର ଚାଲିଛି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ଟାଟା । ତେଣୁ ଜେଲ କର୍ତ୍ତୃପକ୍ଷ ଓ ଟାଟାପାୱାରଙ୍କ ମଧ୍ୟରେ କିଛି ସଲାସୁତୁରା ରହିଥିବା ଚର୍ଚ୍ଚା ଚାଲିଛି...ତେବେ ଏନେଇ ଜେଲ୍‌ ବିଭାଗ ଓ ଟାଟା କର୍ତ୍ତୃପକ୍ଷ କେହି ହେଲେବି ପ୍ରତିକ୍ରିୟା ଦେବାକୁ ରାଜି ହୋଇନାହାନ୍ତି...

 

  • Reported by:
  • JITENDRA BEURA