• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜଳ ଯନ୍ତ୍ରଣାର ଇଲାକା ବଣ୍ଡା ଘାଟି । ପାହାଡ଼ ଖୋଲରୁ ବୋହି ଯାଉଥିବା ପାଣିକୁ ପ୍ଲାଷ୍ଟିକ୍ ଚା-ଛଣାରେ ଛାଣି ନେଉଛନ୍ତି ନିରୀହ ବଣ୍ଡା ଅଦିବାସୀ । ସ୍ୱାଧୀନତାର ୭୭ବର୍ଷ ପରେ ବି କେମିତି ମଣିଷ ମାନେ ସର୍ବନିମ୍ନ ଆବଶ୍ୟକତା ପାଇଁ କରୁଛନ୍ତି ସଂଘର୍ଷ । ତାସହ ସରକାରଙ୍କ ଘର ଘର ଜଳ ଯୋଜନାର ବାହାସ୍ଫୋଟକୁ ଯେମିତି କଟାକ୍ଷ କରୁଛି ଏଭଳି ଅବସ୍ଥା । କେଉଁଠି ସାମାନ୍ୟ ସଫା ତ କେଉଁଠି ଗୋଳି‌ଆ, ଦିନ ତମାମ ଏମିତି ପାଣି ସଂଗ୍ରହରେ ବିତିଯାଉଛି ।

ଆଦିମ ଜନଜାତି ଲୋକଙ୍କ ଦୁର୍ବିସହ ଜୀବନ । ଡହ ଡହ ଖରାରେ କାହାକୁ ଗରା ମୁଣ୍ଡେଇ ଯିବାକୁ ପଡ଼ୁଛି, ଆଉ କିଏ ଭାରା କରି ପାହାଡ଼ ଚଢ଼ୁଛି । ୩ କିଲୋମିଟର ବାଟ ପାଣି ବୋହି ନେବାବେଳେ ଜାଗା ଜାଗାରେ ବିଶ୍ରାମ ନେଉଛି ମୁଦୁଲିପଡ଼ା ପଞ୍ଚାୟତର କିରସାନିପଡ଼ା, ପିଣ୍ଡାଡଗର, ଭୋଗରପଡ଼ା ଓ କିଚପଡ଼ା ଆଦି ଗାଁର ଲୋକେ । ପ୍ରାୟ ୨ଶହରୁ ଅଧିକ ପରିବାରଙ୍କ ପାଇଁ ଏହା ନିତି ଦିନିଆ କଥା ।

ଗାଁରେ ନଳକୂଅ ନାହିଁ ହେଲେ ଯେଉଁ ଦୁଇଟି ଅଛି ତା ଅବସ୍ଥା ବେହାଲ । ହାଣ୍ଡେଲ ମାରି ମାରି ଲୋକେ ହାଲିଆ ହୋଇପଡ଼ୁଛନ୍ତି । ବଡ଼କଷ୍ଟରେ ଟୋପେ ପାଣି ଆସୁଛି । ତାପୁଣି ସମ୍ପୂର୍ଣ୍ଣ ବ୍ୟବହାର ଅନୁପଯୁକ୍ତ ଆଉ କେଉଁଠି ଅଚଳ ଟ୍ୟୁବେଓ୍ୱଲ୍ । ତେଣୁ ପାଣି ମୁନ୍ଦେ ପାଇଁ ମାଇଲ୍ ମାଇଲ୍ ବାଟ ଚାଲି ଲୋକେ । କେଉଁଠି ଚୂଆ, ନହେଲେ ନାଳ ଖୋଜନ୍ତି । ସେଇ ପାଣିରେ ଖିଆପିଆ, ଗାଧୁଆ ପାଧୁଆ । ଏ ସ୍ଥିତି ଦେଖି ନିରୀହ ଜନଜାତିର ମଣିଷ ମାନେ ବି ଠିକ୍ ବୁଝିଲେଣି ଭୋଟ୍ ଆସିଲେ ନେତା ପ୍ରତିଶ୍ରୁତି ଦିଅନ୍ତି, ସରିଗଲେ ଉଡ଼ନ୍ ଛୁ ।

ବଣ୍ଡାଘାଟିର ୨ଟି ପଞ୍ଚାୟତ ଅନ୍ତର୍ଗତ ୩୨ଟି ଗାଁରେ ବର୍ଷ ତମାମ ଏମିତି ଜଳ କଷ୍ଟ ଅଭିଯୋଗକୁ ଖଇରପୁଟ ବିଡିଓ ବି ସ୍ୱୀକାର କରିଛନ୍ତି । କହିଛନ୍ତି ସେଠି ଅଧିକ ନଳକୂଅ ଖୋଳିବାକୁ ସରକାରଙ୍କ ପ୍ରସ୍ତାବ ରହିଛି ତେବେ ଏଥିରେ ବାଧକ ସାଜୁଛି ପାହାଡ଼ି ରାସ୍ତା ।

ଉପାନ୍ତଠୁ ବି କୌଣସି ଗୁଣରେ କମ୍ ନୁହେଁ ଉପକୂଳର ଉତ୍କଟ ସ୍ଥିତି । କେନ୍ଦ୍ରାପଡ଼ାର ଅଜଗର ପାଟିଆରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଏଠି ପାଣି ପାଇଁ ତ ପୁରା ରାତି ଅନିଦ୍ରା । ଗରା ମାଠିଆ ଧରି ମହିଳାଙ୍କ ଲମ୍ବା ଲାଇନ୍ ଲାଗୁଛି । ଏକମାତ୍ର ନଳକୂଅ ପାଖେ ପାଳି ଆସିବାକୁ ଅପେକ୍ଷା ରାତି ୩ଟାରୁ ଘରୁ ବାହାରିବାକୁ ପଡୁଛି ।

ରାତି ପାହିଲାବେଳକୁ ୨ କିମ୍ବା ୩ ଗରା ପାଣି ମିଳିବା ଭାଗ୍ୟର କଥା ଗାଁର ୯୦ ପରିବାରର ୫ଶହରୁ ଅଧିକ ଲୋକ ଜଳକଷ୍ଟ ଭୋଗୁଛନ୍ତି । କାରଣ ଗାଁରେ ୬ଟି ନଳକୂଅ ଅଛି, ହେଲେ ୪ଟିରୁ ଲୁଣାପାଣି ଆସୁଛି ତ ବାକି ୨ଟି ଅଚଳ । ଏକଥା ଉପଜିଲ୍ଲାପାଳଙ୍କୁ ପଚାରିବାରେ, ଘଟଣାକୁ ସେ ସ୍ୱୀକାର ଓ ଶୀଘ୍ର ସମାଧାନ ପ୍ରତିଶ୍ରୁତି ବି ଦେଇଛନ୍ତି ।

ଗାଁଠୁ ସହର ସବୁଠି ଲୋକଙ୍କୁ ସ୍ୱଚ୍ଛ ପାଣି ଦେବାକୁ ସରକାରଙ୍କ ମାଳ ମାଳ ଯୋଜନା, ହେଲେ କେତେ ସଫଳ ଏ ଦୁଇ ଚିତ୍ରରୁ ତାହା ସ୍ପଷ୍ଟ ଅନୁମେୟ ।

ମାଲକାନଗିରି ବଣ୍ଡାଘାଟିରୁ ଜୀତେନ୍ଦ୍ର ବେଉରା ଓ ପଟ୍ଟାମୁଣ୍ଡାଇରୁ ପ୍ରବୀର ନାଏକଙ୍କ ରିପୋର୍ଟ