/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674138448.jpg)
Mahanadi River
ଶୁଖିଲା ପଡ଼ିଛି ମହାନଦୀ । ଚାରିଆଡ଼େ ପାଣିର ମରୁଡି, ମରୁଭୂମି ଭଳି ମହାନଦୀର ଦୃଶ୍ୟ । ଛତିଶଗଡ କଲମା ବ୍ୟାରେଜ ତଳମୁଣ୍ଡରେ ଥିବା ସିଂପୁରୀ ଗାଁର ଖରାଦିନ ନଆସୁଣୁ ଗମ୍ଭୀର ଅବସ୍ଥା । ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡର ଚିତ୍ର ଚିନ୍ତାଜନକ.. ହୀରାକୁଦ ତଳମୁଣ୍ଡରେ ବି ବିକଳ ସ୍ଥିତି । ଏଠି ବି ଶୁଖିଲା ପଡିଛି ଚିରସ୍ରୋତା ମହାନଦୀ.. । ସୁବର୍ଣ୍ଣପୁର ରେ ଏବେ ଚାଲିଛି ରବି ଧାନ ଚାଷ । ହଜାର ହଜାର ହେର ଜମିରେ ତଳି ପଡିଛି, କିଛି ସ୍ଥାନରେ ରୁଆ ବି ଆରମ୍ଭ ହେଲାଣି । ହେଲେ ପାଣି ନଥିବାରୁ କେମିତି ଫସଲ ବଂଚାଇବେ ସେହି ଚିନ୍ତା ଘାରିଛି ଚାଷୀଙ୍କୁ ।
ଶୀତ ଦିନେ କାହିଁକି ଶୁଖିଲା ପଡିଲା ମହାନଦୀ? ହୀରାକୁଦ ଜଳଭଣ୍ଡାର ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଡ୍ୟାମକୁ ଇନଫ୍ଲୋ କ୍ରମାଗତ କମିବାରେ ଲାଗିଛି । ଗତବର୍ଷ ଆଜିର ଦିନରେ ଜଳଭଣ୍ଡାରକୁ ହାରାହାରି ୯ହଜାର ୮୪୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା । ସମାନ ପରିମାଣର ଜଳ ଡ୍ୟାମରୁ ନିଷ୍କାସିତ ହେଉଥିଲା । ହେଲେ ଆଜିର ଦିନରେ ଜଳଭଣ୍ଡାରକୁ ଇନଫ୍ଲୋ ରହିଛି ମାତ୍ର ୫୮୫ କ୍ୟୁସେକ୍ । ନିଷ୍କାସିତ ହେଉଛି ୮ ହଜାର ୧୮୦ କ୍ୟୁସେକ୍ ପାଣି.. ।
ହୀରାକୁଦକୁ କମିଥିବା ଜଳର ପରିମାଣ ସହ ଜଳପତ୍ତନ ବି ଚିନ୍ତା ବଢାଇଛି । ଓଏଚସିସିର ତଥ୍ୟ କହୁଛି, ଗତବର୍ଷ ଆଜିର ଦିନରେ ଡ୍ୟାମର ଜଳପତ୍ତନ ୬୨୭.୨୯ ଫୁଟ୍ ରହିଥିଲା , ଏବେ ଏହା ପ୍ରାୟ ୩ ଫୁଟ୍ ହ୍ରାସ ପାଇ ୬୨୪.୬୭ ଫୁଟରେ ପହଁଚିଛି ।
ଏବେଠୁ ଡ୍ୟାମକୁ ଏତେ କମ୍ ପରିମାଣର ଜଳ ପ୍ରବେଶ କରୁଥିବାରୁ ଖରାଦିନେ ସ୍ଥିତି ସାଂଘାତିକ ହେବା ନେଇ ଆଶଙ୍କା କରାଯାଉଛି । ବିଶେଷ କରି ଜଳସେଚନ, ପିଇବା ପାଣି ଏବଂ ଜଳ ବିଦ୍ୟୁତ୍ ଉତ୍ପାଦନ ସମସ୍ୟା ଉପୁଜିପାରେ । ପ୍ରଶ୍ନ ଉଠୁଛି, ଉପର ମୁଣ୍ଡରେ ପାଣି ବନ୍ଦ କରିଦେଲାଣି କି ଛତିଶଗଡ? ଖରାଦିନେ ପାଣି ନପାଇ ଶୁଖିଲା ପଡ଼ିବ କି ଜମି? ଦେଖାଯିବ କି ଘନ ଘନ ବିଦ୍ଯୁତ୍ କାଟ୍ ସମସ୍ୟା?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)