• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରମିକ ମାନଙ୍କୁ ହାତ ପାହାନ୍ତାରେ ବର୍ଷସାରା କାମ ଯୋଗାଇବା ପାଇଁ ସରକାରଙ୍କ ମନରେଗା ଯୋଜନା । ହେଲେ ସରକାରୀ ବାବୁମାନଙ୍କ ପାଇଁ ଯୋଜନା ହେଉଛି ବାଟବଣା । କେଉଁଠି ପୁରୁଣା କାମକୁ ନୂଆ ବିଲ୍ କରାଯାଉଛି ତ ଆଉ କେଉଁଠି ମଣିଷ କାମକୁ ମେସିନ୍ କରି ଲକ୍ଷାଧିକ ଟଙ୍କା ଚଳୁ ହେଉଛି । ଭଦ୍ରକ ଚାନ୍ଦବାଲି ବ୍ଲକର ତେନ୍ତୁଳିଡିହି ଓ ଗୋପୀନାଥପୁର ପଞ୍ଚାୟତରେ ମନରେଗା ଯୋଜନାର ଦୂରୁପଯୋଗ ।

ତେନ୍ତୁଳିଡିହି ପଞ୍ଚାୟତର ସୁନା ଭୂଇଁ ନାଳ , ଗତବର୍ଷ ଚିଙ୍ଗୁଡ଼ି ଚାଷୀମାନେ ନିଜ ପୋଖରୀକୁ ପାଣି ନେବା ପାଇଁ ବ୍ୟକ୍ତିଗତ ଭାବେ ନାଳ ଖୋଳିଥିଲେ । ହେଲେ ଚଳିତ ବର୍ଷ ପଞ୍ଚାୟତ ତରଫରୁ ମନରେଗାରେ କାର୍ଯ୍ୟ ହୋଇଥିବା କହି ୫ ଲକ୍ଷ ଟଙ୍କାର ବିଲ୍ କରାଯାଇଥିବା ଫଳକ ବୟାନ କରୁଛି । ସେହି ୨୦୨୧-୨୨ରେ ତେନ୍ତୁଳିଡିହି ପଞ୍ଚାୟତରେ ଲଲାଟେନ୍ଦୁ ରାୟଙ୍କ ଜମି ଠାରୁ ବିବସ ରାଉଳ ଘର ପର୍ଯ୍ୟନ୍ତ କେନାଲ ଖନନ ପାଇଁ ୫ ଲକ୍ଷ ଟଙ୍କାର କାର୍ଯ୍ୟ ହୋଇଥିବା ଫଳକ ଲାଗିଛି । ଏଠି ବି ସମାନ ଅଭିଯୋଗ । ଏହି ନାଳକୁ ମଧ୍ୟ ସ୍ଥାନୀୟ ଲୋକେ ପାଣି ନେବା ପାଇଁ ଖୋଳିଥିଲେ ।

ଖାଲି ଏହି ଦୁଇଟି ନାଳ ନୁହେଁ, କୁଲିବିନ୍ଧା ପଞ୍ଚାୟତ ପୋଖରୀ ଓ କମଳପୁର ପଞ୍ଚାୟତ ପୋଖରୀର ପୁନରୁଦ୍ଧାର ଲାଗି ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ସୂଚନା ଫଳକ ଲଗାଯାଇଛି । କେଉଁଦିନ ୭ ଜଣ ତ କେଉଁଦିନ ୯ ଜଣ କାମ କରିଛନ୍ତି । ହେଲେ ମଷ୍ଟର ରୋଲରେ ପ୍ରତିଦିନ ୮୦ ଜଣ, ୯୦ ଜଣ ଲେଖାଏଁ କାମ କରିଥିବା ଦର୍ଶାଇ ବିଲ୍ କରାଯାଇଛି ।

କୁଲିବିନ୍ଧା ପଞ୍ଚାୟତ ପୋଖରୀ ମନରେଗା ୱେବସାଇଟରେ ଦିଆଯାଇଥିବା ଗୋଟିଏ ଗୋଟିଏ ମଷ୍ଟର ରୋଲ୍ ସିରିଏଲ ନମ୍ବରରେ ୬୦ ଜଣ, ୪୮ ଜଣ, ୫୪ ଜଣ କାର୍ଯ୍ୟ କରିଥିବା ଦର୍ଶାଇ ଲକ୍ଷାଧିକ ଟଙ୍କା ପେମେଣ୍ଟ କରାଯାଇଥିବା ତଥ୍ୟ କହୁଛି । ପଞ୍ଚାୟତରେ ଏମିତି ପାଖାପାଖି ୫ ଲକ୍ଷ କରି ୪ଟି ପ୍ରକଳ୍ପରେ ଲକ୍ଷ ଲକ୍ଷ ସରକାରୀ ଟଙ୍କା ଆତ୍ମସାତ୍ କରାଯାଇଛି । କିଛି ଲୋକ କାମ କରିଥିଲେ ମଧ୍ୟ ମଜୁରି ପାଇନଥିବା ଅଭିଯୋଗ ହୋଇଛି ।

ଖାଲି ତେନ୍ତୁଳିଡିହି ନୁହେଁ, ଗୋପୀନାଥପୁର ପଞ୍ଚାୟତରେ ରିନୋଭେସନ୍ ଅଫ୍ କେନାଲ ବାଲିଦଣ୍ଡିଠୁ ନୂଆନଈ ୫ ଲକ୍ଷ ଟଙ୍କାର ମନରେଗା ପ୍ରକଳ୍ପକୁ ରାତିରେ ମେସିନ୍ ସାହାଯ୍ୟରେ କାର୍ଯ୍ୟକରି ଟଙ୍କା ହଡପ ହୋଇଛି । ସରକାର ଲୋକଙ୍କୁ ଜବ୍ କାର୍ଡ ଦେଲେ, କାମ ପାଇଁ ପ୍ରକଳ୍ପ ମଧ୍ୟ ହେଲା ହେଲେ ମେସିନ୍ କଲା ମଣିଷ କାମ, ଜବ୍ କାର୍ଡ ରଖି ଘରେ ହାତ ବାନ୍ଧି ବସିଲେ ଶ୍ରମିକ ।

କେବଳ ଫଳକ ମାରିଦେଇ ବେସରକାରୀ କାମକୁ ସରକାରୀ ବିଲ୍ କରିବା ସମ୍ପର୍କରେ ଗ୍ରାମବାସୀ ବିଡିଓ, ଜିଲ୍ଲାପାଳ, ପିଡି ଡିଆରଡିଏଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ହେଲେ କେହି ଶୁଣିନାହାନ୍ତି । ଏହି ଦୁଇ ପଞ୍ଚାୟତ ଦାୟିତ୍ୱରେ ଥିବା ଜେଇ ପ୍ରଭାତ ବେହେରାଙ୍କୁ ପଚାରିବାରୁ ସେ ମେସିନରେ କାମ ହୋଇଥିବା କଥା ସ୍ୱୀକାର କରିଛନ୍ତି ।