• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରେମ ଆଗରେ ଫିକା ପଡ଼ିଗଲା ଅମୃତ ଠାରୁ ବଳି ମା’ର ମମତା । ମମତାମୟୀର ପଣତକାନି ଛାଡ଼ି ଆରପାରିକୁ ଚାଲିଗଲା ଭେଣ୍ଡିଆ ପୁଅ । ଯିଏ ଲୁହ ରକ୍ତ ନିଗାଡ଼ି ପିଲାରୁ ଭେଣ୍ଡା କରିଥିଲା ସେ ଛାତି ଫଟାଇ କାନ୍ଦୁଛି । ବୁଢ଼ା ବାପାର ଆଖିରୁ ଝରି ପଡ଼ୁଥିବା ଅସହାୟତାର ଲୁହ ତାଙ୍କ ବେଦନା ବଖାଣୁଛି । ଘରଦ୍ୱାର ଭୁଲି, ପରିବାର ଲୋକଙ୍କ ସ୍ନେହଆଦର ଭୁଲି ଜଣକ ପାଇଁ ଜୀବନ ଦେଇଦେବାକୁ କ’ଣ ସତରେ ପ୍ରେମ କୁହାଯାଏ । ବାପା, ମା, ଭାଇଭଉଣୀଙ୍କ ଭଲ ପାଇବାର କ’ଣ ସତରେ କୌଣସି ମୂଲ୍ୟ ନାହିଁ । ପ୍ରେମିକା ନାଁ ଚିଠି ଛାଡ଼ି ଜୀବନ ହରାଇଥିବା ପୁଅକୁ ହରାଇ ବାପାମା’ଙ୍କ ଆଖିରୁ ଲୁହ ନୁହେଁ ରକ୍ତ ଝରୁଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରର ବାଙ୍କୀ ବେହେରା ସାହିରେ ଏଭଳି ଏକ ଘଟଣା ଘଟିଛି ।

ଗତ ଗୁରୁବାର ଦିନ ସକାଳୁ ସକାଳୁ ରାମକୃଷ୍ଣ ମହାରଣାଙ୍କ ସାନପୁଅ ଅଶ୍ୱିନୀ କୁମାର ମହାରଣା ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ଉଦ୍ୟମ କରିବା ପରେ ସେ ବଞ୍ଚିଥିଲେ । ପରିବାର ଲୋକେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଥିଲେ । ଆତ୍ମହତ୍ୟା ପୂର୍ବରୁ ମୃତକ ପରିବାର ସଦସ୍ୟଙ୍କ ଉଦେଶ୍ୟରେ ଏକ ଚିଠି ଲେଖି ଯାଇଛନ୍ତି ।

ଚିଠିରେ ନିଜ ପ୍ରେମିକା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଅଶ୍ୱିନୀ । ସେ ଲେଖିଛନ୍ତ, ମୁଁ ଜଣେ ଝିଅକୁ ଭଲ ପାଉଛି । ହେଲେ ସେ ମୋତେ ଧୋକା ଦେଇଛି । ମୁଁ ତା ବିନା ରହିପାରିବିନି................... ଆଇ ଲଭ ୟୁ ସୋନାଲି । ସେହିପରି ସେ ଆଉ ଏକ ଚିଠି ଲେଖିଛନ୍ତି, ମୋର ସବୁଠୁ ବଡ ଭୁଲ ହୋଇଗଲା ମୁଁ ତାକୁ ଭଲ ପାଇବା............ ମୁଁ ଭଗବାନଙ୍କୁ ଗୁହାରୀ କରୁଛି, ଆର ଜନ୍ମରେ ଯେପରି ତମକୁ ପାଇବି ।

ଏଇଠି ପ୍ରଶ୍ନ ଉଠୁଛି ଆତ୍ମହତ୍ୟା କ’ଣ ସବୁ ସମସ୍ୟାର ସମାଧାନ । ଆଉ ପ୍ରେମ ପାଇଁ ଜୀବନ ହାରିବା କେତେ ଦୂର ଯୁକ୍ତିଯୁକ୍ତ । କଥାରେ ଅଛି, ପ୍ରେମରେ ଅନେକ ଶକ୍ତି ଅଛି । ହେଲେ ପ୍ରେମ ପାଇଁ ଦୁର୍ବଳ ହୋଇଯିବା ଆଉ ଜୀବନ୍ତ ଦେବତା ମା’ବାପାକୁ ପର କରି ଆରପାରିକୁ ଚାଲିଯିବା କେତେ ଦୂର ଯୁକ୍ତିଯୁକ୍ତ ।

ଅନ୍ୟପଟେ ଏହାରି ଭିତରେ ଅଶ୍ୱିନୀଙ୍କ ମୃତ୍ୟୁକୁ ବିତିଯାଇଛି ତିନି ଦିନ । ଆଜି ବି କାନ୍ଦ ବୋବାଳିଆରେ ପୁରା ଘର ଫାଟିପଡୁଥିବା ବେଳେ ପୁଅକୁ ବଡ଼ ମଣିଷ କରିବାର ସ୍ୱପ୍ନ ଦେଖିଥିବା ମାଆ ଓ ବାପାଙ୍କ ଆଖିରୁ ଆଉ ଶୁଖୁନି ଲୁହ । ପୋଲିସ ଏହି ଘଟଣାରେ କବିସୂର୍ଯ୍ୟନଗର ଥାନା କେସ ନଂ 1/2023 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମିଳିଥିବା ଚିଠି ଜବତ କରିବା ସହିତ ତଦନ୍ତ ଚଳାଇଛି ।

(ରିପୋର୍ଟ -ପୀତବାସ ଦାଶ, କବିସୂର୍ଯ୍ୟନଗର)