• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସ୍କୁଲ ଭିତରେ ପାଠ ପଢା ଚାଲିଛି...ବହି ଧରି କିଛି ମହିଳା ପିଲାଙ୍କୁ ପଢାଉଛନ୍ତି ପାଠ । ପିଲା ବି ପଢିବାରେ ବ୍ୟସ୍ତ । ହେଲେ ସେମାନେ କୌଣସି ଶିକ୍ଷକ ନୁହନ୍ତି ବରଂ ଗାଁର ମହିଳାମାନେ । ହଁ..ଠିକ୍‌ ଶୁଣିଛନ୍ତି ଆପଣ । ଗାଁର ମହିଳାମାନେ ସ୍କୁଲରେ ପଢାଉଛନ୍ତି ପାଠ । ଏମିତି ଦୃଶ୍ୟ ଦେଖିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସିବ କି ଶିକ୍ଷକଙ୍କ ବଦଳରେ ସେମାନେ କାହିଁକି ପିଲାଙ୍କୁ ପାଠ ପଢାଉଛନ୍ତି ? ହେଲେ ସେମାନେ ଯଦି ପାଠ ନପଢାଇବେ ତେବେ ପିଲା ମୁର୍ଖ ହୋଇଯିବେ । ତେଣୁ ଗାଁ ଲୋକଙ୍କ ନିଷ୍ପତ୍ତି କ୍ରମେ ପିଲାଙ୍କୁ ସେମାନେ ହିଁ ପଢାଉଛନ୍ତି ପାଠ ।

ସପ୍ତାହେରୁ ଅଧିକ ସମୟ ହେଲାଣି ନିଜ ଦାବି ପୂରଣ ଲାଗି ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ତେଣୁ କେଉଁଠି ସ୍କୁଲରେ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ତ କେଉଁଠି ପାଠପଢା ପୂରା ଠପ୍‌ ହୋଇଗଲାଣି । କେମିତି ପିଲାମାନେ ଭଲରେ ପାଠ ପଢିବେ ସେନେଇ ଖୋଦ୍‌ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ମିଟିଂ ହେବା ପରେ ଗାଁ ଲୋକ ହିଁ ପିଲାଙ୍କୁ ପଢାଇବାର ନିଷ୍ପତ୍ତି ନିଆଗଲା । ଖାଲି ନିଷ୍ପତ୍ତି ନିଆଗଲା ତାହା ନୁହେଁ ବରଂ ଗାଁର କେତେକ ପାଠୁଆ ମହିଳା ପିଲାଙ୍କୁ ଏବେ ପଢାଉଛନ୍ତି ପାଠ ।

ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ନିର୍ବାଚନ ମଣ୍ଡଳୀର କୁଳିଅଣା ବ୍ଲକ ଅନ୍ତର୍ଗତ ବାଉଶକଣ୍ଟିଆ ଗାଁରେ ଏବେ ଶିକ୍ଷକଙ୍କ ସମସ୍ୟା ଦେଖାଯାଇଛି । ବାଉଁଶକଣ୍ଟିଆ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୩୫ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ହେଲେ ଶିକ୍ଷକ ଅଛନ୍ତି ମାତ୍ର ୭ । ଆଉ ତାଙ୍କ ମଧ୍ୟରୁ ଅନେକ ଆନ୍ଦୋଳନରେ ଅଛନ୍ତି । ତେଣୁ ଏମିତି ସ୍ଥିତିରେ କେମିତି ପାଠ ପଢା ହେଉଥିବ ତାହା ସ୍ପଷ୍ଟ ଅନୁମେୟ । ସେପଟେ ସ୍କୁଲ ଓ ପିଲାଙ୍କ ପାଠପଢା ସମସ୍ୟାକୁ ନେଇ ଅଭିଭାବକ ଚିନ୍ତା ପ୍ରକାଶ କରିବା ସହିତ ତୁରନ୍ତ ସମସ୍ୟାର ସମାଧାନ କରିବା ଲାଗି ପ୍ରଶାସନ ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି ।

 

  • Reported by:
  • MANIK Lal PANI