• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କିଏ ଗଛ ତଳେ ତ ଆଉ କିଏ ଦାଣ୍ଡ ଦୁଆରେ । ପୁଣି ଆଉ କିଏ କିଏ ଘର ସାମ୍ନାରେ ଲାଗିଥିବା ପ୍ଲାଷ୍ଟିକ ଜରିରେ ମୋବାଇଲ ପୂରାଇ ରଖୁଛନ୍ତି । ଏମିତି ଦୃଶ୍ୟ ଦେଖିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଆଉ ଭାବିବେ ସେମାନେ ଦାଣ୍ଡ ଦୁଆରେ ମୋବାଇଲ ଏମିତି କାହିଁକି ରଖୁଛନ୍ତି? ଯଦି ଚୋରି ହୋଇଯିବ? ଚୋରିର ତ ପଛର କଥା ଏମାନେ ମୋବାଇଲ ନରଖିଲେ ଅଖଚକ ବନ୍ଦ । ଅର୍ଥାତ୍‌ ଘର ଭିତରକୁ ଯିବା ମାତ୍ରେ ନେଟୱର୍କ ଆସୁନି । ତେଣୁ ଦାଣ୍ଡ ଦୁଆରେ...ଗଛ ତଳେ...ଛକ ଉପରେ ମୋବାଇଲ ଧରି ବସିବାକୁ ବାଧ୍ୟ ହେଉଛନ୍ତି ସେମାନେ ।

ଗଂଜାମ ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତରୁ ସାମ୍ନାକୁ ଆସିଛି ଏମିତି ଅଭାବନୀୟ ଚିତ୍ର । ଯେଉଁଠି ମୋବାଇଲରେ ପଦେ କଥା ହେବାକୁ କରିବାକୁ ପଡୁଛି ସଂଘର୍ଷ । ଇଏ ଦିନେ କି ଅଧେ ନୁହେଁ ବରଂ ପ୍ରତିଦିନର । ଆଜିକା ଡିଜିଟାଲ ଯୁଗରେ ବି ଫୋନ୍‌ରେ ନେଟୱର୍କ ପାଇଁ ସେମାନଙ୍କୁ କରିବାକୁ ପଡୁଛି ସଂଘର୍ଷ ।

ସ୍ଥିତି ଏମିତି ହେଲାଣି ଯେ, ପିଲାଙ୍କ ପାଠପଢା ସହିତ ବନ୍ଧୁବାନ୍ଧବଙ୍କ ସହ କଥା ହେବାକୁ ନାହିଁ ନଥିବାର ଅସୁବିଧା ସାମ୍ନା କରୁଛନ୍ତି ସେଠିକାର ଲୋକେ । ସମସ୍ୟା ଏତିକିରେ ସରିନି ବରଂ ବେଳେବେଳେ ଘର ଦୁଆରେ ବି ମୋବାଇଲ୍‌ରେ ନେଟୱର୍କ ଆସୁନି । ତେଣୁ ଯିଏ ଯୁଆଡେ ପାଇଲା ସିଏ ସିଆଡେ ଧାଇଁଲା, ଆଉ ନେଟୱର୍କ ଆସିବା ପରେ ପରିବାର କି ବନ୍ଧୁବାନ୍ଧବଙ୍କ ସହ କଥା ହେଲା । କଥାବାର୍ତ୍ତା ହେବାକୁ ସିନା ଘରୁ ବାହାରେ ବୁଲି କାମ ଚଳାଉଛନ୍ତି ଲୋକେ, ହେଲେ ପିଲାଙ୍କ କଥା ଥରେ ଚିନ୍ତା କରନ୍ତୁ ତ...ଅନଲାଇନ୍‌ରେ ପାଠ ପଢିବାକୁ ନାହିଁନଥିବାର ଅସୁବିଧାର ସାମ୍ନା କରୁଛନ୍ତି ।

୪ ଜି ଯାଇ ୫ ଜି ନେଟୱର୍କ ହେଲାଣି କିନ୍ତୁ ଏବେ ବି ରାଜ୍ୟରେ ଏମିତି ଗାଁ ଅଛି ଯେଉଁଠି ଲୋକମାନେ ଫୋନ୍‌ରେ କଥା ହେବାକୁ ଘରୁ ବାହାରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ତୁରନ୍ତ ଏ ସମସ୍ୟାର ସମାଧାନ କରିବା ଲାଗି ଦାବି କରିଛନ୍ତି ଅଂଚଳବାସୀ ।

 

 

  • Reported by:
  • Manoj Muni