• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଫଳକରେ ଲେଖାଯାଇଛି ମଧୁପୁର ଗାଁକୁ ରାସ୍ତା । ଫଳକ ଦେଖିଲେ ଯିଏ ନାହିଁ ସିଏ କହିବ ଗାଁକୁ ଯାଇଥିବା ରାସ୍ତା ପୂରା ଚକାଚକ୍‌ ଥିବ ଠିକ୍‌ ବୋର୍ଡ ପରି । ହେଲେ ଗାଁ ଭିତରକୁ ପ୍ରବେଶ କରିବା ମାତ୍ରେ ରାସ୍ତାର ଅବସ୍ଥା ଦେଖିଲେ ପାଦେ ବଢିବାକୁ ଇଚ୍ଛା ହେବନି ।  ଆଣ୍ଠୁଏ ଆଣ୍ଠୁଏ ଖାଲ । କାଦୁଅ ପଚପଚ ରାସ୍ତା । ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ଘଟିବା ଥୟ । ହେଲେ ଉପାୟ ବି କିଛି ନାହିଁ । ସେଇଥି ଲାଗି ତ ବିପଦ ସଂକୁଳ ଅବସ୍ଥାରେ ପ୍ରତିଦିନ ଦୁଇଟି ଗାଁର ଲୋକେ କରୁଛନ୍ତି ଯିବାଆସିବା ।

କଟକ ବଡମ୍ବାର ମଧୁପୁର ଓ ଚାଉଳି ଗାଁକୁ ଯାଇଥିବା ରାସ୍ତାର ଅବସ୍ଥା ପୂରା ବେହାଲ । ଅବସ୍ଥା ଏମିତି ହେଲାଣି ଯେ ପାଦରେ ଚାଲିକି ଯିବା ବି କଷ୍ଟ । ହେଲେ ବି କଷ୍ଟେମଷ୍ଟେ ଏହି ରାସ୍ତାରେ ସ୍କୁଲଠୁ ଆରମ୍ଭ କରି ବଜାରଘାଟ...ମେଡିକାଲଠୁ ଆରମ୍ଭ କରି କୋର୍ଟ କଚେରୀ ସବୁଆଡେ ଯାଉଛନ୍ତି ଲୋକେ । ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହେବା ପରେ ବି ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି ।

ଏବେ ସ୍ୱାଧୀନତାର ୭୭ ବର୍ଷ ପାଳନ କରୁଛି ଦେଶ । ପ୍ରତି ଗାଁକୁ ପକ୍କା ସଡକ ଯାଇଥିବା ଡିଡିମ୍ବ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରକୃତରେ ବିକାଶ କେମିତି ହୋଇଛି ? ତା’ର ନଗ୍ନ ଚିତ୍ର ଏବେ ସମସ୍ତଙ୍କ ସାମ୍ନାରେ । ଖରା, ଶୀତ ଦିନରେ ଯାହା ଯେମିତି ଯାଇ ହେଉଥିଲା । ହେଲେ ବର୍ଷା ଦିନରେ ସ୍ଥିତି ପୂରା ଗମ୍ଭୀର ହେଉଛି । ରାସ୍ତା ଖଣ୍ଡିଏ ତିଆରି କରିବାକୁ ବଡମ୍ବା ପ୍ରଶାସନ ଓ ବିଧାୟକଙ୍କୁ ବାରମ୍ବାର ଗୁହାରି ପରେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ପ୍ରତିଥର ନିର୍ବାଚନ ଆସିଲେ ଗାଁକୁ ରାସ୍ତା କରିବାକୁ ନେତାଏ ପ୍ରତିଶ୍ରୁତି ଦିଅନ୍ତି । ହେଲେ ନିର୍ବାଚନ ସରିବା ପରେ ନେତାଙ୍କର ଦେଖା ମିଳୁନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଏମିତିକି ହଠାତ୍‌ କାହାର ଦେହ ଖରାପ ହେଲେ ବି ମେଡିକାଲ ଯାଇପାରୁନାହାନ୍ତି ରୋଗୀ । ତେଣୁ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବାକୁ ଜୋର ଧରିଛି ଦାବି । ଯଦି ଆଗାମୀ ଦିନରେ ରାସ୍ତା କାମ ନହୁଏ ତେବେ ଭୋଟ୍‌ ବର୍ଜନର ବି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ । ତେବେ ରାସ୍ତା ନିର୍ମାଣ ସମ୍ପର୍କରେ ବିଡିଓ କହୁଛନ୍ତି ଦାବି ସଂପର୍କରେ ପ୍ରଶାସନ ଅବଗତ ଅଛି । ଖୁବଶୀଘ୍ର ତିଆରି ହେବ ରାସ୍ତା ।

  • Reported by:
  • SARBESWAR SWAIN