• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭଲ ରାସ୍ତା କମ୍‌, ଖାଲ ଅଧିକ । ଆଉ ଟିକିଏ ବର୍ଷା ହେଲେ ସ୍ଥିତି ପୂରା ସଙ୍ଗୀନ ହେଉଛି । ରାସ୍ତାରେ ଥିବା ଗାତ ଗୁଡ଼ିକରେ ପାଣି ଭର୍ତ୍ତି ହେବାରୁ କେଉଁ ଖାଲରେ କେତେ ମାତ୍ରାରେ ପାଣି ଜମୁଛି ତାହା ଜାଣିବା ମୁସ୍କିଲ । ତେଣୁ ସେହି ରାସ୍ତାରେ ଯିବାକୁ ଆଉ ଉଚିତ୍‌ ମନେ କରୁନାହାନ୍ତି ଲୋକେ ।

ଭଦ୍ରକ ରେଳଷ୍ଟେସନର ପଛପଟ ୧ନଂ, ୨ନଂ ଓ ୩ନଂ ଓ୍ବାର୍ଡର ବରାଳ ପୋଖରୀକୁ ସଂଯୋଗ କରୁଥିବା କେନ୍ଦ୍ର ସରକାରଙ୍କ ଅଧିନସ୍ଥ ରେଳବାଇ ରାସ୍ତାର ଅବସ୍ଥା ପୂରା ସଙ୍ଗୀନ । ଗୁଣ୍ଠୁଣିଆଁ ବଜାରଠାରୁ ଭଦ୍ରକ ରେଳଷ୍ଟେସନ ପର୍ଯ୍ୟନ୍ତ ପ୍ରାୟ ପାଖାପାଖି ୩ କିଲୋମିଟର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଏମିତି ନଦେଖିଲେ ବିଶ୍ୱାସ ହେବନି । ଖରା ଦିନେ ଯାହା ଯେମିତି ଲୋକମାନେ ଏହି ରାସ୍ତା ଦେଇ ଯାଆନ୍ତି ହେଲେ ବର୍ଷା ଦିନରେ ସ୍ଥିତି ପୂରା ଅସମ୍ଭାଳ ହେଉଛି । ଯାହାକୁ ନେଇ ଯମଯନ୍ତ୍ରଣା ଭୋଗୁଛନ୍ତି ସେଠିକାର ଲୋକ ।

ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୧୦ ବର୍ଷ ହେଲାଣି ଏହି ରାସ୍ତାରେ ଜମିରହୁଛି ପାଣି । ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଅଂଚଳରେ ରହୁଥିବା ଲୋକ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି । ରାସ୍ତା ଅବସ୍ଥା ନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ହେଲେ ସ୍ଥିତିରେ କୌଣସି ସୁଧାର ଆସିନି । ତେଣୁ ଭାଗ୍ୟକୁ ଆଦରି ଏହି ରାସ୍ତାରେ ଯିବାଆସିବା କରୁଛନ୍ତି ଲୋକେ ।

ଜାଣିଆଶ୍ଚର୍ଯ୍ୟ ହେବେ କି, ଏହି ରାସ୍ତା ଉପରେ ୩ ଗୋଟି ଓ୍ବାର୍ଡ ଓ ୫ ଗୋଟି ପଞ୍ଚାୟତର ଲୋକ ନିର୍ଭର କରନ୍ତି । ତେବେ ପ୍ରଶାସନର ଉଦାସୀନତା ଲାଗି ଲୋକଙ୍କ ସମସ୍ୟା ସୁଧୁରିବାରେ ନା ଧରୁନି । ତେବେ ରାସ୍ତାକାମ ଯଦି ପ୍ରଶାସନ ଆରମ୍ଭ ନକରେ ତେବେ ଆଗାମୀ ଦିନରେ ଲୋକମାନେ ଆନ୍ଦୋଳନ କରିବାର ଚେତାବନୀ ବି ଦେଇଛନ୍ତି । ଗାଁ-ଗାଁକୁ ପକ୍କାସଡକ କରିବାକୁ କୋଟି କୋଟି ଟଙ୍କାର ଯୋଜନା କରୁଛନ୍ତି ସରକାର । ହେଲେ ଗାଁରେ ରାସ୍ତା ଅବସ୍ଥା କେତେ ସଙ୍ଗୀନ ହେଲାଣି ତାହା ଏହି ରାସ୍ତା ହିଁ ବୟାନ କରୁଛି ।

 

  • Reported by:
  • Partha Sarathi nayak