• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୟାଗଡ଼ରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଠିକାଦାର ପ୍ରୀତି । ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ଠିକାଦାରର ମନମାନିରେ ନିର୍ମାଣ ହେଉଛି କୋଟି କୋଟି ଟଙ୍କାର ରାସ୍ତା କାମ । ଫଳରେ ନିର୍ମାଣର ୨ଦିନ ନହେଉଣୁ ରାସ୍ତାରୁ ଗୋଡ଼ି ଓ ପିଚୁ ଉଠିଯାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ନିମ୍ନମାନର ରାସ୍ତାକାମକୁ ବିରୋଧ କରିବାରୁ ଲୋକଙ୍କୁ ନାଲି ଆଖି ଦେଖାଉଛନ୍ତି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ।

ଠିକାଦାରଙ୍କ ମର୍ଜିରେ ଚାଲୁଛି ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ । ୭ କୋଟି ୭୧ ଲକ୍ଷ ୫୫ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେଉଥିଲା ରାସ୍ତା, ନିର୍ମାଣର ୨ ଦିନ ନହେଉଣୁ ରାସ୍ତାରୁ ଉଠିଯାଉଛି ଗୋଡ଼ି । ନୟାଗଡ଼ ଦରପଦାଛକ ଠାରୁ ଓଡ଼ଗାଁ ଯାଏଁ ନିର୍ମାଣ ହେଉଥିବା ଏ ରାସ୍ତାର ଅବସ୍ଥା ଭାରି ଦୟନୀୟ ହୋଇପଡ଼ୁଛି । ବିନା ପିଚୁରେ କେବଳ କେମିକାଲ ଢାଳି ଠିକାଦାରର ମନମାନିରେ କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣ ହେଉଥିବା ବେଳେ ନିମ୍ନମାନର ରାସ୍ତାକାମକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ ଲୋକଙ୍କୁ ଖୁଲମ ଖୁଲା ଭାବେ ଧମକ ଦେଉଛନ୍ତି ବିଭାଗୀୟ ଯନ୍ତ୍ରୀ l

ନୟାଗଡ଼ ଜିଲ୍ଲା ଓଡ଼ଗାଁ ସବଡ଼ିଭିଜନ RD ବିଭାଗ କାର୍ଯ୍ୟାଳୟରେ ବର୍ଷ ତମାମ ତାଲା ଝୁଲୁଥିବା ବେଳେ କେଉଁଠି ନିର୍ମାଣ ଶେଷ ନହଉଣୁ ରାସ୍ତାରୁ ପିଚୁ ଉଠୁଛି ତ ପୁଣି କେଉଁଠି କୋଟିର ରାସ୍ତା ୭ ଦିନ ବି ଯାଉନି । ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ମାଣ କରୁଥିବା ଜିଲ୍ଲାର ପ୍ରାୟ ଅଧିକାଂଶ ରାସ୍ତା ନିର୍ମାଣ କାମରେ ଏଭଳି ହାତ ମାରୁମାରୁ ପିଚୁ ଓ ବଜୁରି ଉଠିଯାଉଥିବା ବେଳେ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିରୋଧରେ ତାତିଛନ୍ତି ସ୍ଥାନୀୟ ଲୋକେ ।

ତେବେ ଖୋଦ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକେ ନିମ୍ନ କାମକୁ ବିରୋଧ କରିବାରୁ ଲୋକଙ୍କୁ ଲୋକାଲ ଟୋକା କହି ଧମକ ଦେଉଛନ୍ତି ବିଭାଗୀୟ ସହକାରୀ ଯନ୍ତ୍ରୀ ଦିଲୀପ କୁମାର ବରାଳ । ଅନ୍ୟପକ୍ଷେ ଲୋକଙ୍କ ଏହି ଅଭିଯୋଗକୁ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଭିତ୍ତିହୀନ କହିବା ସହ ପୁଣିଥରେ ରାସ୍ତା କାମ ମରାମତି କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ଠିକାଦାରର ମନମାନିରେ କୋଟି କୋଟି ଟଙ୍କାର ରାସ୍ତାକାମ ନିମ୍ନମାନର ହେଉଥିବା ବେଳେ କାହା ଚାପରେ ଠିକାଦାରକୁ ଘଣ୍ଟ ଘୋଡାଉଛି ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ? ମୋ ସରକାର ଓ 5T ର ଧଜିଆ ଉଡାଉଥିବା ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ କାହିଁକି ହେବ ନାହିଁ ବିହିତ କାର୍ଯ୍ୟାନୁଷ୍ଠାନ ?

ନୟାଗଡ଼ରୁ ଆର୍ତତ୍ରାଣ ପ୍ରଧାନଙ୍କ ରିପୋର୍ଟ