• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କାଦୁଅ ପଚ୍ ପଚ୍ ରାସ୍ତାରେ ଚାଲୁଛନ୍ତି ଗାଁ ଲୋକେ । ଯେଉଁଥିପାଇଁ ମାଉସୀଙ୍କ ରାଗ ପୂରା ପଞ୍ଚମରେ । କ୍ଷୋଭର ସହ ସରକାରଙ୍କ ସବୁଜ ବିକାଶକୁ କଟାକ୍ଷ କରିଛନ୍ତି, ଆଉ ପଚାରିଛନ୍ତି ମହଙ୍ଗା ପ୍ରଶ୍ନଟିଏ । ଆମ ଭୋଟ୍‌ର କଣ ମୂଲ୍ୟ ନାହିଁ ? ଦେଶ ପାଳୁଛି ଆଜାଦିର ଅମୃତ ମହୋତ୍ସବ । ସବୁ ଗାଁରେ ପକ୍କା ରାସ୍ତା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାହିଁ କେତେ ଯୋଜନା । କିନ୍ତୁ ଏଠି ବହଳ କାଦୁଅ କିଛି ଭିନ୍ନ ବୟାନ କରୁଛି ।

ଏ କେଉଁ ଉପାନ୍ତ ଅଂଚଳ ନୁହେଁ, ଖୋଦ ରାଜଧାନୀ ନିକଟ କଟକ ଜିଲ୍ଲା ନିଆଳୀରୁ ମାତ୍ର ୩ କିମି ଦୂର ଓଳାଂସ ଗ୍ରାମର ରାସ୍ତା । ବର୍ଷବର୍ଷ ଧରି ଲୋକଙ୍କ ଏହି ସମାନ ସମସ୍ୟା । ନା ଗାଡ଼ିରେ ଯାଇହେଉଛି ନା ପାଦରେ ଚାଲିହେଉଛି ।

ରୋଗୀଟିଏ ମେଡିକାଲ ଯାଇପାରୁନି, ପିଲାଏ ବି ରାସ୍ତା ଦେଇ ସ୍କୁଲ୍ କଲେଜରେ ପହଞ୍ଚିବା ମୁସ୍କିଲ ହେଉଛି । ୩ଶହରୁ ଅଧିକ ଲୋକ ଏ ରାସ୍ତା ପାଇଁ ଦୀର୍ଘବର୍ଷ ହେବ ସମସ୍ୟା ଭୋଗୁଛନ୍ତି । ସ୍ଥିତି ଏପରି ଯେ, ରାସ୍ତା ଖରାପ ପାଇଁ ବନ୍ଧୁବାନ୍ଧବ ଗାଁକୁ ଆସିବାକୁ ମଙ୍ଗୁନଥିବା ଗ୍ରାମବାସୀ କହିଛନ୍ତି ।

ପକା ରାସ୍ତା ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେପଟେ ବିଧାୟକଙ୍କ ଘରକୁ ଯାଇ ଅଭିଯୋଗ ବି କରିଛନ୍ତି । ତଥାପି ହେଉନି ଏ ରାସ୍ତା କାମ । ତେଣୁ ନିରାଶ ହୋଇ ଏବେ ଭଗବାନଙ୍କ ଭରଷାରେ ଛାଡିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ସ୍ଥାନୀୟ ସରପଞ୍ଚ ବିଧାୟକଙ୍କ କୋର୍ଟକୁ ବଲ୍ ଫିଙ୍ଗିଥିବାବେଳେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । 

 

  • Reported by:
  • BINAY MISHRA