• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସିଧା ସରକାରଙ୍କୁ ଗାଁ ଲୋକେ କହୁଛନ୍ତି ସ୍କୁଲ କରିବ ତ କର ନହେଲେ ଗାଁ ପିଲାଙ୍କୁ ଘର ଦେଇ ଦିଅ । ସେମାନେ କୋଲ୍ଡ ଷ୍ଟୋରେଜ କରିବେ ନହେଲେ ଛେଳି କୁକୁଡ଼ା ଫାର୍ମ କରିବେ । କୋଟି କୋଟି ଟଙ୍କାରେ ଘର କରି ଫାଙ୍କା ପକାଇବାର ଲାଭ କଣ?

ଖୋର୍ଦ୍ଧା ବାଣପୁର ନିଳାଦ୍ରୀ ପ୍ରସାଦ ପଞ୍ଚାୟତରେ ନିର୍ମାଣ ହୋଇଥିବା ୨୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜାତି ଛାତ୍ରୀ ନିବାସ ଓ ନିଳାଦ୍ରୀ ପ୍ରସାଦ ଆଶ୍ରମ ସ୍କୁଲ । ୫-ଟି ଅଧୀନରେ ଥିବାରୁ ସ୍କୁଲର ଉନ୍ନତି ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଭାଗ ପକ୍ଷରୁ କୋଠା ନିର୍ମାଣ କରାଗଲା । କିନ୍ତୁ ଦୀର୍ଘ ବର୍ଷ ଧରି ନିର୍ମାଣ ହେବା ପରେ ବି କାମରେ ଆସୁନି ଏହି କୋଠା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ତେଜିବାରେ ଲାଗିଛି ଅସନ୍ତୋଷ ।

ସ୍ଥିତି ଏମିତି ହେଲାଣି ଯେ ଚକାଚକ୍‌ ଦେଖାଯାଉଥିବା ହଷ୍ଟେଲ ବିଲଡିଙ୍ଗ ଚାରିପାଖ ଏବେ ଗଛଲତାରେ ଭର୍ତ୍ତି ହୋଇଗଲାଣି । ପାଇଖାନା , ଗାଧୁଆ ଘରର ଦୃଶ୍ୟ ଦେଖିଲେ ମୁଣ୍ଡ ଝାଇଁଝାଇଁ କରିଦେବ । ଇଲେକ୍ଟ୍ରି ବୋର୍ଡ ଭାଙ୍ଗି ଗଲାଣି , ଘର ଭିତରେ ପାରା ବସା ବାନ୍ଧିଲାଣି । ଆଗ ପଟେ ତାଲା ଆଉ ପଛ ମେଲା ପଡିଛି ଘର । ଖାଲି ଏତିକି ନୁହେଁ ଅନେକ ସ୍ଥାନରେ କାନ୍ଥ ଫାଟି ଆଁ କଲାଣି, ଜିନିଷପତ୍ର ବରାବର ଚୋରି ବି ହେଲାଣି । କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତ ସରକାରଙ୍କ ଶିକ୍ଷା ବିଭାଗର ବାର୍ଷିକ ଯୋଜନା ବୋର୍ଡ ( ପିଏବି) ୨୦୧୫-୧୬ ଆର୍ଥିକ ବର୍ଷରେ ୮୨ଟି ୟୁପିଏମଇ ସ୍କୁଲକୁ ରଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଅଧିନରେ ଉଚ୍ଚ ବିଦ୍ୟାଳୟ କରିବା ପାଇଁ ଅନୁମୋଦନ କରିଥିଲେ । ଓଡିଶା ମାଧ୍ୟମିକ ଶିକ୍ଷା ମିଶନ ଚିଠି ନଂ ୧୬୩୫ ରେ ଗତ ୨୮.୦୪.୨୦୧୫ ରିଖରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ଗୃହ ନିର୍ମାଣ ଓ ନବମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଚିଠି ନଂ ୪୨୨୯ରେ ତତ୍କାଳ ଚିଠି ନିଳାଦ୍ରୀ ପ୍ରସାଦ ଆଶ୍ରମ ସ୍କୁଲକୁ ପଠାଇଥିଲେ । ଚିଠିକୁ ଗୁରୁତ୍ୱ ଦେଇ ବିଦ୍ୟାଳୟ ସହ ଛାତ୍ରୀ ନିବାସ ବି ଠିଆ କରାଗଲା । ହେଲେ ପିଲାଙ୍କ ନାମ ଲେଖା ହେଇପାରିଲାନି କି ବିଦ୍ୟାଳୟ ଆରମ୍ଭ ହେଇପାରିଲାନି । ଯାହାକୁ ନେଇ ତେଜୁଛି ଅସନ୍ତୋଷ ।

ସେପଟେ ଅଭିଯୋଗକୁ ନେଇ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି , ଯେ ପର୍ଯ୍ୟନ୍ତ ଟ୍ରାଇବାଲ ୱେଲଫେୟାର ଓ ମାସ୍‌ ଏଜୁକେସନ ଦୁଇ ବିଭାଗ ମଧ୍ୟରେ ସମନ୍ୱୟ ରହି ଅପଗ୍ରଡେସନ ନହୋଇଛି, ସେ ପର୍ଯ୍ୟନ୍ତ ବିଲଡିଙ୍ଗ କାର୍ଯ୍ୟକ୍ଷମ ହେଇପାରିବ ନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ରହୁନାହିଁ , ତେବେ ସରକାରଙ୍କ ରାଜସ୍ୱରୁ ଏତେ ମାତ୍ରରେ ଟଙ୍କା ଖର୍ଚ୍ଚ ହୋଇ ଘର ତିଆରି ହେଲା କାହିଁକି ? ଏହି ଘଟଣା ଲାଗି ଦାୟୀ କିଏ? ସେମାନଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କିମାରୁଛି ।

  • Reported by:
  • Sakti Mohapatra