• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆଜକୁ ଠିକ୍‌ ୧୨ ବର୍ଷ ତଳେ ଭିଟାମାଟି ଓ ଚାଷ ଜମି ଛାଡ଼ି ପଳାଇଥିଲେ । ହେଲେ ଆଜିଯାଏଁ ସେମାନଙ୍କୁ ପ୍ରଶାସନ ଘର ଖଣ୍ଡିଏ ଦେଲା ନାହିଁ କି ସହୟତା କଲାନି । ସେଇଥି ପାଇଁ ତ ଢୋ ଢୋ ବର୍ଷାରେ ଦୟନୀୟ ଅବସ୍ଥାରେ ବିତୁଛି ଜୀବନ ।

୧୨ବର୍ଷ ତଳେ ନାରାୟଣପାଟଣା ଅଞ୍ଚଳରେ କୁହୁଳିଥିବା ଚାଷୀ ମୂଲିଆ ଆଦିବାସୀ ସଂଘର ନିଆଁରେ ଅସହାୟ ହୋଇ ୭୦ ପରିବାରର ୩୦୦ ଲୋକ କୋରାପୁଟ ସହର ଟିକିରା ସାହି ତଳି ଅଞ୍ଚଳକୁ ଆସି ଆଶ୍ରୟ ନେଇଥିଲେ । କେଉଁଠି ଘର କରିବେ ଓ କେମିତି ଘର କରିବେ ଚିନ୍ତା କରି କରି ଶେଷରେ ଟ୍ରେନ୍‌ ଲାଇନ୍‌ କଡରେ ଘର କରି ମୁଣ୍ଡ ଗେଞ୍ଜି ଥିଲେ । ଏହାରି ଭିତରେ ୧୨ ବର୍ଷ ବିତିଗଲାଣି । ହେଲେ ସାହାଯ୍ୟର ଗନ୍ଧବାସ୍ନା ପାଇନାହାନ୍ତି ସେମାନେ ।

ଜାଣିଆଶ୍ଚର୍ଯ୍ୟ ହେବେ କି ସହର ଅତି ପାଖରେ ରହୁଥିବା ପରେ ବି ସରକାରୀ ସହାୟତା ତାଙ୍କ ଲାଗି ପାଲଟିଛି ସାତସପନ । ସ୍ୱାଧୀନତାକୁ ୭୫ ବର୍ଷ ପୂରିଗଲାଣି ହେଲେ ମୌଳିକ ସୁବିଧାରୁ ଆଜି ବି ସେମାନେ ବଞ୍ଚିତ ହୋଇ ରହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାରୀ ସୁବିଧା ପାଇବା ଲାଗି ବାରମ୍ବାର ଦାବି କରିଛନ୍ତି ହେଲେ ଫଳ ଶୂନ । ନା ବାବୁ ଗୁହାରି ଶୁଣୁଛନ୍ତି ନା ସାହାଯ୍ୟ କରୁଛନ୍ତି । ଦିନରେ ଯାହା ଯେମିତି ଘରେ ରହୁଛନ୍ତି ହେଲେ ରାତି ହେଲେ ସ୍ଥିତି ପୂରା ସଙ୍ଗୀନ ହେଉଛି । ପିଲାଏ ପାଠ ପଢି ପାରୁନାହାନ୍ତି କି ଘରୁ ବାହାରି ପାରୁନାହାନ୍ତି ।

ତେବେ ମାନବିକ ଅଧିକାର ସୁରକ୍ଷା ଟିମ୍‌ ବସ୍ତି ଅଂଚଳ ବୁଲିବା ସହିତ ସମସ୍ୟା ଦେଖିବା ପରେ ଏଯାଏଁ ପ୍ରଶାସନ ସାହାଯ୍ୟ କରିନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେପଟେ ପୂରା ଘଟଣାରେ ପ୍ରଶାସନିକ ଅଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ କୋରାପୁଟ୍‌ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ କହିଛନ୍ତି ସବୁ ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ।

 

  • Reported by:
  • Surya Narayan Panda