• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଡାକ୍ତରଖାନା ଗେଟ୍‌ ପୂରା ଚକାଚକ୍‌ । ବିଲଡ଼ିଙ୍ଗ ଦେଖିଲେ ଆଖି ଖୋସି ହୋଇଯିବ । କୌଣସି ଘରୋଇ ମେଡିକାଲଠୁ କିଛି କମ ଦେଖାଯାଉ ନାହିଁ ମେଡିକାଲ । ଗେଟ୍‌ ଆଉ କୋଠା ଦେଖିଲେ ଯିଏ ନାହିଁ ସିଏ କହିବେ ଏଇଠି ପୂରା ବଢିଆ ଚିକିତ୍ସା ସେବା ମିଳୁଥିବ । ଏଠିକୁ ଯିଏ ଆସୁଥିବ ସିଏ ପୂରା ସୁସ୍ଥ ହୋଇ ହିଁ ଯାଉଥିବ । ହେଲେ ଦର୍ଶକବନ୍ଧୁ ଘଟଣାଟା ପୂରା ଓଲଟା । ଏଠିକୁ ଯିଏ ଆସିବ ସିଏ ଅନ୍ୟ ମେଡିକାଲକୁ ଯିବା ଲାଗି ବାଧ୍ୟ ହେବ । କାରଣ ଆବଶ୍ୟକୀୟ ଡାକ୍ତର ନଥିବାରୁ ଅଧିକାଂଶ ରୋଗୀ ଚିକିତ୍ସା ନପାଇ ଫେରୁଛନ୍ତି ।

ଧର୍ମଶାଳା ଡାକ୍ତରଖାନାକୁ ନେଇ ଏବେ ଭାରି ଚର୍ଚ୍ଚା । ଘର ପୂରା ଚକାଚକ୍‌ ତିଆରି ହୋଇଗଲା କିନ୍ତୁ ରୋଗୀ ସେବା ପୂରା ବିପର୍ଯ୍ୟସ୍ତ । ସରକାରୀ ନିୟମ ଅନୁସାରେ ଏଠାରେ ୧୨ ଜଣ ଡାକ୍ତର ରହିବା ଦରକାର । ହେଲେ ଅଛନ୍ତି ମାତ୍ର ୪ । ସେମାନଙ୍କ ମଧ୍ୟରୁ ପୁଣି ୩ ଜଣ ଅସ୍ଥାୟୀ ଡାକ୍ତର । ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ମେଡିକାଲରେ ୨୪ ଘଂଟା ଚିକିତ୍ସା ସେବା ମିଳିବାର କଥା । ହେଲେ ଏଇଠିଏ ରାତିରେ କୌଣସି ଡାକ୍ତର ରହୁନଥିବା ନେଇ ଅଭିଯୋଗ ଆସିଛି ।

ଅଧିକାଂଶ ସମୟରେ ଦିନରେ ବି ଡାକ୍ତର ଠିକରେ ଚିକିତ୍ସା କରୁନଥିବାରୁ ବାଧ୍ୟ ହୋଇ କଟକ ରେଫର ହେଉଛନ୍ତି ରୋଗୀ । ୧୬ ନଂ ଜାତୀୟ ରାଜପଥ ପାଖରେ ମେଡ଼ିକାଲ ଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ବା ଆଶୁ ଚିକିତ୍ସା ଲାଗି ଭର୍ତ୍ତି ହୁଅନ୍ତି ରୋଗୀ । କିନ୍ତୁ ଡାକ୍ତର ନଥିବାରୁ ଅକାରଣେ ଅନେକଙ୍କ ପ୍ରାଣ ବି ଯାଉଛି । ଖାଲି ଏତିକି ନୁହେଁ ପିଲା ଜନ୍ମ ଲାଗି ରାତିରେ ଆସୁଥିବା ପ୍ରସୂତୀମାନେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୪୫ ପଂଚାୟତର ଲକ୍ଷାଧିକ ଲୋକେ ନିର୍ଭର କରୁଥିବା ବେଳେ ଡାକ୍ତର ଅଭାବ ଯୋଗୁଁ ଏଠାକୁ ଆସୁଥିବା ରୋଗୀମାନେ ଚିକିତ୍ସା ସେବା ପାଉନଥିବା ଅଭିଯୋଗ ହୋଇଛି । ତୁରନ୍ତ ଡାକ୍ତର ପଦବୀ ପୂରଣ କରିବା ସହିତ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଡାକ୍ତର ପଦବୀ ଖାଲି ପଡିଥିବାରୁ ରୋଗୀ ସେବା ବ୍ୟାହତ ହେଉଥିବା କଥାକୁ ସ୍ୱୀକାର କରିଛନ୍ତି ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ । ଏମିତିକି ପଦବୀ ପୂରଣ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ବହୁବାର କୁହାଯାଇଥିବା ସେ କହିଛନ୍ତି । ହେଲେ ଏଯାଏଁ ପୂରଣ ହେଲାଣି ଡାକ୍ତରୀ ପଦବୀ...ତେବେ ଦେଖାଯାଉ କେବେ ଏହି ମେଡିକାଲରେ ପଦବୀ ପୂରଣ ହେଉଛି ଆଉ କେବେ ରୋଗୀ ଭଲରେ ଚିକିତ୍ସା ସେବା ପାଉଛନ୍ତି ।

(ଯାଜପୁରରୁ ଗୁଲାମ ଗସ୍‌ଙ୍କ ରିପୋର୍ଟ)