/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694779525.jpg)
construction of Railway Bridge
ବଲାଙ୍ଗୀର ଟିଟିଲାଗଡ ସହରରେ ଥିବା ରାଧାକୃଷ୍ଣ ମନ୍ଦିର ମୁଖ୍ୟ ରାସ୍ତା ପାଖରେ ଥିବା ରେୱେ ବିଭାଗର ଭୂତଳ ପୋଲ ଦେଇ ଏବେ ଯିବାଆସିବା କରିବାକୁ ଡରୁଛନ୍ତି ଲୋକେ । କାରଣ ଏହି ରାସ୍ତାରେ ପ୍ରତି ପାଦେ ପାଦେ ଅଛି ବିପଦ । ଟିଟିଲାଗଡ ରେଲୱେ ଷ୍ଟେସନକୁ ପ୍ରତିଦିନ ଶହଶହ ଲୋକ ଯିବାଆସିବା କରନ୍ତି । ହେଲେ ଏ ପୋଲ ପାଇଁ ଅଧିକାଂଶ ଯାତ୍ରୀ ଆସିବାକୁ ଆଉ ରାଜି ହେଉନାହାନ୍ତି ।
ପୂର୍ବରୁ ଅଧିକାଂଶ ସମୟରେ ଟ୍ରେନ୍ ପାଇଁ ଗେଟ୍ ପଡିଯାଇଉଥିବାରୁ ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ରେଲୱେ ପକ୍ଷରୁ ଭୂତଳ ବ୍ରିଜ୍ ତିଆରି କରାଗଲା । ହେଲେ ନିର୍ମାଣ ଢାଞ୍ଚା ଭୁଲ ଥିବାରୁ ଏବେ ଟିକିଏ ବର୍ଷା ହେଲେ ଅଣ୍ଟାଏ ଉଚ୍ଚର ଜମିରହୁଛି ପାଣି । ସମସ୍ୟା ଏତିକିରେ ସରିନି ବରଂ ପୋଲ ତଳେ ଅନେକ ଗର୍ତ୍ତ ହୋଇଥିବାରୁ ପ୍ରତିଦିନ ଛୋଟବଡ ଦୁର୍ଘଟଣା ବି ହେଉଛି । ଜାଣିଆଶ୍ଚର୍ଯ୍ୟ ହେବେ କି, ଏହି ରାସ୍ତା ସ୍ଥାନୀୟ ଅଂଚଳର ମୁଖ୍ୟ ରାସ୍ତା ହୋଇଥିବା ପରେ ବି ରେଲୱେ ଭୂତଳ ପୋଲ ସାମ୍ନାରେ ସ୍ପଷ୍ଟ ଭାବରେ ଲେଖାଯାଇଛି ସ୍କୁଲ ବସ୍ ଯିବା ନିଷେଧ । ତେଣୁ ଥରେ ଚିନ୍ତା କରନ୍ତୁ ଏହି ପୋଲ ଲୋକଙ୍କ ସୁବିଧା କରୁଛି ନା ଅସୁବିଧା ?
ଏହି ପୋଲ ପାଇଁ ୨୦୧୯ ମସିହା ଅଗଷ୍ଟ ୨୨ ତାରିଖରେ ୧୧ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୂର୍ବତଟ ରେଲୱେ ପକ୍ଷରୁ ଏହାର ଉଦଘାଟନ ହୋଇଥିଲା । ଏହାରି ଭିତରେ ୪ ବର୍ଷ ବିତିଗଲାଣି...ଅନେକ ଅଭିଯୋଗ ଆସିଲାଣି । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ଏମିତିକି ମାମଲା ଯାଇ କୋର୍ଟରେ ପହଞ୍ଚିବା ପରେ ରେଲୱେ ଓ ଟିଟିଲାଗଡ ପୌରପରିଷଦକୁ କାରଣ ଅନୁଧ୍ୟାନ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଆଦେଶ ଦେଇଥିଲେ କୋର୍ଟ । ରେଲୱେ ଯନ୍ତ୍ରୀ ଓ ପୌରପରିଷଦ ଅଧିକାରୀ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ବୋଲି କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । କିନ୍ତୁ ଏବେ ବି ସ୍ଥିତିରେ ସୁଧାର ନଆସିଥିବାରୁ ତେଜୁଛି ଅସନ୍ତୋଷ ।
(ଟିଟିଲାଗଡରୁ ଅବିନାଶ ନନ୍ଦଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)