• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗ୍ରାମୀଣ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ମୋ ଉପକାରୀ ବଗିଚା ଯୋଜନା । ଏହି ଯୋଜନାର ଲକ୍ଷ୍ୟ ହେଉଛି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ତାଙ୍କ ବାଡିରେ ଏକ ଛୋଟ ବଗିଚା କରିବେ , ସେଠାରେ ପନିପରିବା ଚାଷ କରି ସ୍ୱାବଲମ୍ବୀ ହେବେ । ଏଥିପାଇଁ ସରକାର ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇଦେବାର ବ୍ୟବସ୍ଥା ରହିଛି । ହେଲେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଳକ ରାଜେନ୍ଦ୍ରପୁର ପଞ୍ଚାୟତରେ ମୋ ଉପକାରୀ ବଗିଚା ନାଁରେ ବ୍ୟାପକ ଟଙ୍କା ହେରଫେର ଅଭିଯୋଗ ହୋଇଛି ମହିଳାମାନେ ବଗିଚା କରିଛନ୍ତି, ପନିପରିବା ଚାଷ ବି କରିଛନ୍ତି ହେଲେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସୁନି ।

ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏହି ଯୋଜନାରେ ନିଜ ନିଜ ବଗିଚାରେ ପନିପରିବା ଚାଷ କରିଥିଲେ । ତେବେ ହାତରୁ ଟଙ୍କା ଖର୍ଚ୍ଚ କରି ହିତାଧିକାରୀମାନେ ବଗିଚା ତିଆରି କରିଥିବା ବେଳେ ଏଯାଏଁ ସମ୍ପୂର୍ଣ୍ଣ ପ୍ରୋତ୍ସାହନ ରାଶି ପାଇନାହାନ୍ତି । ଗୋଟିଏ ଗୋଟିଏ ବଗିଚା ପାଇଁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବାର ବ୍ୟବସ୍ଥା ଥିବା ବେଳେ କାହାକୁ ୨ ହଜାର ତ କାହାକୁ ୩ ହଜାର ଆଉ କାହାକୁ ୫ ହଜାର ଟଙ୍କା ମିଳିଛି । ଅନେକ ମହିଳା ଆଦୌ ଟଙ୍କା ପାଇନାହାନ୍ତି, ଏପରିକି ବଗିଚା ଯୋଜନାରେ ସାମିଲ୍ ହେବା ପାଇଁ ପଞ୍ଚାୟତର ସିଆରପି ମାନଙ୍କୁ ଲାଞ୍ଚ ଦେଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।

ମୋ ଉପକାରୀ ବଗିଚା ଯୋଜନାରେ ସାମିଲ୍ ପାଇଁ ରାଜେନ୍ଦ୍ରପୁର ପଞ୍ଚାୟତରେ ଏମବିକେ ଓ ସିଆରପିଙ୍କ ଦ୍ୱାରା ହିତାଧିକାରୀ ଚୟନ ହୋଇଥିଲା । ଏହି ପଞ୍ଚାୟତର ସବୁ ଗାଁରେ ମହିଳାମାନେ ମୋ ବଗିଚା ନିର୍ମାଣ କରି ମିଶନ୍ ଶକ୍ତି ବିଭାଗ ନିକଟରେ ନିଜ ନାଁ ସାମିଲ୍ କରିଥିଲେ । ବାଡ଼ିରେ ପନିପରିବା ଚାଷ କଲେ, କିନ୍ତୁ ଅନେକ ଦୀର୍ଘ ମାସ ଧରି ଟଙ୍କା ପାଇନାହାନ୍ତି ।

ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଆସିବାର ନିୟମ ରହିଛି । ତେବେ ଏଠାରେ ଏବିକେ ଓ ସିଆରପିଙ୍କ ଆକାଉଣ୍ଟକୁ ଟଙ୍କା ଅଆସୁଛି । ପରେ ସେମାନେ ହିତାଧିକାରୀଙ୍କୁ ପୂରା ୧୦ ହଜାର ନଦେଇ କାହାକୁ ୨ ହଜାର କାହାକୁ ୩ ହଜାର ଟଙ୍କା ଦେଉଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୋ ବଗିଚା ଯୋଜନା ଅନ୍ତର୍ଗତ ମ୍ୟାଟେରିଆାଲ ବାବଦ ଅର୍ଥକୁ ଅତି ଚତୁରତାର ସହ ମିଳିମିଶି ହଡପ୍ କରାଯାଇଛି । ଏହି ଦୁର୍ନୀତିରେ ପଞ୍ଚାୟତରୁ ବ୍ଲକ ଅଫିସ୍ ପର୍ଯ୍ୟନ୍ତ କର୍ମଚାରୀ ଓ ଅଧିକାରୀଙ୍କ ହାତ ଥିବା ଅଭିଯୋଗ ହେଉଛି ।

ଏଭଳି ଦୁର୍ନୀତି ନେଇ ଭଦ୍ରକ ଜିଲ୍ଲାପାଳ ଅବଗତ ଥିବା କହିଛନ୍ତି । ତେବେ ବିଡିଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ।

କେବଳ ରାଜେନ୍ଦ୍ରପୁର କାହିଁକି, ଭଦ୍ରକ ଜିଲ୍ଲାର ଅନ୍ୟ ପଞ୍ଚାୟତରେ ମଧ୍ୟ ମୋ ଉପକାରୀ ବଗିଚା ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି । ଏହାର ଖୋଳତାଡ଼ କରାଗଲେ, ମିଶନ୍ ଶକ୍ତିର ଅନେକ ଗୁମର ପଦାକୁ ଆସିପାରିବ ।

(ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ)