• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗ୍ରାମାଞ୍ଚଳ ଲୋକ ଓ ଶିଶୁ ମାନଙ୍କ ଆମୋଦ ପ୍ରମୋଦ ପାଇଁ ପ୍ରତି ପଞ୍ଚାୟତରେ ଗ୍ରାମୀଣ ପାର୍କର ପରିକଳ୍ପନା କରାଗଲା । ହେଲେ ଏହି ଗ୍ରାମୀଣ ପାର୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । କେବଳ ପାଚେରି କରି ମାଟି ପକାଇ ଚଳୁ ହୋଇଛି ଟଙ୍କା । ଏଷ୍ଟିମେଟ୍ ହୋଇଥିବା ୧୦ ଲକ୍ଷ ଟଙ୍କାରୁ ଏପର୍ଯ୍ୟନ୍ତ ୮୦ ଭାଗ ଟଙ୍କା ସରିଗଲାଣି ହେଲେ କାମ ସମ୍ପୂର୍ଣ୍ଣ ହୋଇନି । ଦୁର୍ନୀତିରେ ପଞ୍ଚାୟତରୁ ବ୍ଲକ ଅଫିସ୍ ପଯର୍ୟନ୍ତ ସବୁ ସ୍ତରର ଲୋକ ସାମିଲ୍ ଥିବା ଅଭିଯୋଗ।

ରେଢାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତ ଅଫିସ୍ ପଛପଟେ ଥିବା ଗ୍ରାମୀଣ ପାର୍କ । ଛୋଟ ଛୋଟ ପିଲା ଓ ପଞ୍ଚାୟତବାସୀଙ୍କ ଆମୋଦ ପ୍ରମୋଦ ପାଇଁ ହେଉଥିବା ପାର୍କ ଲାଗି ୨୦୨୦-୨୧ରେ ମନରେଗା ଯୋଜନାରେ ଏଷ୍ଟିମେଟ୍ ହୋଇଥିଲା ୧୦ ଲକ୍ଷ ଟଙ୍କା । ସେଥିରୁ ବର୍ତ୍ତମାନ ସୁଦ୍ଧା ଅଣକୁଶଳୀ ଶ୍ରମିକ ବାବଦରେ ୪ ଲକ୍ଷ ୨୯ ହଜାର ୬୫୬ ଓ ମ୍ୟାଟେରିଆଲ ବାବଦରେ ୨ ଲକ୍ଷ ୮୭ ହଜାର ୯୬୨ ଟଙ୍କା । ଏମିତି ମୋଟ ୭ ଲକ୍ଷ ୧୭ ହଜାର ୬୧୮ ଟଙ୍କା ବିଲ୍ କରାଯାଇଛି । ହେଲେ ଏହି ପାର୍କର ଅବସ୍ଥା କେବଳ ଚାରିପଟେ ସିମେଣ୍ଟରେ ପାଚେରି ହୋଇଛି , କିଛି ଟ୍ରିପ୍ ମାଟି ଫିଲିଙ୍ଗ କରାଯାଇଛି । ହାତ ମାରିଲେ ପାଚେରିର ଇଟା ଛାଡିଯାଉଛି । ତେଣୁ କାମ କେମିତି ହୋଇଥିବ, ଜଣାପଡୁଛି । ଆଉ ପାର୍କର ମେନ୍ ଗେଟ୍ ପାଇଁ ନିର୍ମିତ ପିଲାର କଲମର ରଡ୍ ସବୁ ନଷ୍ଟ ହେବା ଉପରେ ।

ଲୁହାପଙ୍କ ପଞ୍ଚାୟତର ଏହି ଗ୍ରାମୀଣ ପାର୍କ ନିର୍ମାଣ କାର୍ଯ୍ୟ ୨୦୨୦ ଏପ୍ରିଲ ୬ ତାରିଖରେ ଆରମ୍ଭ ହୋଇଥିଲା । କାର୍ଯ୍ୟ ଆରମ୍ଭର ୬ ମାସ ଭିତରେ ସରିବା ନିୟମ ରହିଛି । କିନ୍ତୁ ୨ ବର୍ଷ ବିତିବା ପରେ ମଧ୍ୟ କେବଳ ପାଚେରି ଛଡ଼ା ଆଉ କିଛି ହୋଇନି । କିନ୍ତୁ କାଗଜ କଲମରେ ୭ ଲକ୍ଷ ୧୭ ହଜାର ଟଙ୍କାର ବିଲ୍ ହୋଇସାରିଲାଣି ।

ପାର୍କ ଘୋଟାଲା ନେଇ ଲୁହାପଙ୍କର ଶାନ୍ତନୁ ପ୍ରଧାନ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ରେଢାଖୋଲ ବିଡିଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ତେବେ ବିଡିଓ ତଦନ୍ତ କରିଥିବା କହିଥିଲେ ମଧ୍ୟ ପାର୍କ ନିର୍ମାଣରେ କୌଣସି ଦୁର୍ନୀତି ହୋଇନଥିବା ସଫେଇ ଦେଇଛନ୍ତି ।

ଯଦି ଦୁର୍ନୀତି ହୋଇନି ବୋଲି ବିଡିଓ ଗାଲୁଭୁରୁଡ଼ି ମାରୁଛନ୍ତି, ତେବେ କାହିଁକି ହୋଇନି ପାର୍କ? କାମ ନହୋଇ ବିଲ୍ ହେଲା କେମିତି ? ସେତେବେଳର ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବିଡିଓ ସମସ୍ତେ ମିଶି ଟଙ୍କା ଚଳୁ କରିଛନ୍ତି କି ? କେମିତି ଫାଇନାଲ ବିଲ୍ କଲେ ବିଡିଓ ? ବର୍ତ୍ତମାନର ଲୁହାପଙ୍କ ସମିତି ସଭ୍ୟ ପାର୍କ ନିର୍ମାଣରେ ଦୁର୍ନୀତି ହୋଇଥିବା କହିବା ସହ ତଦନ୍ତ ପାଇଁ ଦାବି କରିଛନ୍ତି

ଏହି ଗ୍ରାମୀଣ ପାର୍କ ନିର୍ମାଣରେ କେବଳ ସରକାରୀ ଟଙ୍କା ଆତ୍ମସାତ୍ ଛଡ଼ା ଆଉ କିଛି ହୋଇନଥିବା ଜଳ ଜଳ ଦିଶୁଛି । ତେବେ ପଞ୍ଚାୟତ ପାଣ୍ଠିରୁ ଅର୍ଥ ନେଇ ସମ୍ପୂର୍ଣ୍ଣ କରାଯିବ ବୋଲି ବିଡିଓଙ୍କ ପ୍ରତିଶ୍ରୁତି କେବେ ପାଳନ ହେଉଛି, ତାହା ଦେଖିବାର କଥା ।

ରେଢ଼ାଖୋଲ, ରମାକାନ୍ତ ମହାନନ୍ଦ