• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଟେବୁଲ ଉପରେ ସାର୍‌ ବସିଛନ୍ତି, ପିଲାମାନେ ବସି ପାଠ ପଢୁଛନ୍ତି । ଏମିତି କିଛି ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ଏଥିରେ ଅସୁବିଧା ରହିଲା କେଉଁଠି? ଦର୍ଶକବନ୍ଧୁ...ସ୍କୁଲରେ ଯେଉଁ ଯୁବକ ଜଣକ ପାଠ ପଢାଉଥିଲେ ସେ କିନ୍ତୁ ସାର୍‌ ନୁହନ୍ତି ବରଂ ତାଙ୍କ ମାଆ ଏଠାରେ ଶିକ୍ଷୟିତ୍ରୀ ଅଛନ୍ତି । ମାଆ ଅନୁପସ୍ଥିତ ଥିବାରୁ ସେ ପିଲାଙ୍କୁ ପଢାଉଛନ୍ତି ପାଠ । ଆଶ୍ଚର୍ଯ୍ୟ ହୋଇଗଲେ କି? ଜମାରୁ ବି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, କାରଣ ଘଟଣା ପୂରା ସତ ।

ମାଆଙ୍କ ବଦଳରେ ପିଲାଙ୍କୁ ପୁଅ ପଢାଉଛନ୍ତି ପାଠ । ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ଗୋପାଳପୁର ପ୍ରାଥମିକ ବିଦ୍ୟାଳୟରେ । ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ସ୍କୁଲରେ ନିୟୋଜିତ ହୋଇଥିବା ଶିକ୍ଷୟିତ୍ରୀ ସ୍କୁଲ ଆସିନଥିଲେ । ଏମିତିକି ମାଆଙ୍କ ଆସିବା ସମୟରେ ପୁଅ ସ୍କୁଲକୁ ଆସିଥିଲେ । ପିଲାଙ୍କୁ ପ୍ରାର୍ଥନା କରାଇବା ସହିତ ଚେୟାର ବସି ପାଠ ପଢାଇଲେ। କିନ୍ତୁ ଶିକ୍ଷୟିତ୍ରୀଙ୍କ ବଦଳରେ କାହିଁକି ତାଙ୍କ ପୁଅ ଆସିଛନ୍ତି ସେନେଇ ବିରୋଧ କରିଥିଲେ ଗାଁ ଲୋକେ। ଆଉ ଗାଁ ଲୋକଙ୍କ ବିରୋଧ ପରେ ପହଞ୍ଚିଥିଲେ ଶିକ୍ଷୟିତ୍ରୀ।

ଅଧିକ ପଢ଼ନ୍ତୁ: ଘାରିଛି ରିଲ୍ସ ନିଶା: ସ୍କୁଲ୍‌ ଛାତରୁ ଡେଇଁଲେ ଛାତ୍ର, ଆଜବେଷ୍ଟସ ଭାଙ୍ଗି ସିଧା ଗଳି ପଡ଼ିଲେ...

ଅଭିଯୋଗ ଖାଲି ଏତିକିରେ ସରିନି ବରଂ ଗାଁ ଲୋକ କହିଛନ୍ତି, ମାଆଙ୍କ ବଦଳରେ ଏମିତି ଅନେକ ଥର ପୁଅ ଆସି ସ୍କୁଲରେ ପାଠ ପଢାଇଛନ୍ତି । ସରକାର ଦେଉଥିବା ମଧ୍ୟାହ୍ନ ଭୋଜନ ବି ଖାଉଛନ୍ତି । ତେବେ ସ୍କୁଲରେ ଦୁଇ ଜଣ ଶିକ୍ଷୟିତ୍ରୀ ଥିବାବେଳେ ଜଣେ ଛୁଟିରେ ଯାଇଛନ୍ତି । ସରକାରୀ ରେକର୍ଡ ଅନୁସାରେ ଏବେ ସ୍କୁଲରେ ମାତ୍ର ଜଣେ ଶିକ୍ଷୟିତ୍ରୀ ପାଠ ପଢାଇବାର କଥା । ହେଲେ ସେ ନଆସି ନିଜ ପୁଅକୁ ପାଠ ପଢାଇବାକୁ କହୁଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି ।

ପୂରା ଘଟଣାରେ କିନ୍ତୁ ଶିକ୍ଷୟିତ୍ରୀ କିଛି ଅଲଗା କଥା କହିଛନ୍ତି । କହିଛନ୍ତି, ଘରେ ଟିକିଏ ଅସୁବିଧା ଥିଲା ତେଣୁ ପୁଅକୁ ପଠେଇ ଦେଇଥିଲି ଚାବି ଖୋଲିବା ପାଇଁ । ପିଲାଙ୍କୁ ମୁଁ ନିଇତି ପାଠ ପଢାଉଛି । ସେପଟେ ବ୍ଲକ୍‌ ଶିକ୍ଷାଧିକାରୀ କହିଛନ୍ତି, ଅଭିଭାବକଙ୍କ ଅଭିଯୋଗ ପରେ ପୂରା ଘଟଣାର ତଦନ୍ତ ହେବ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ସରକାରୀ ସ୍କୁଲରେ କେମିତି ପିଲାମାନେ ଭଲରେ ପାଠ ପଢିବେ ସେନେଇ ଅନେକ ଚେଷ୍ଟା କରୁଛନ୍ତି ସରକାର । କିନ୍ତୁ ବାସ୍ତବରେ ସ୍ଥିତି କିନ୍ତୁ ଭିନ୍ନ । କେଉଁଠି ଶିକ୍ଷକ ଡେରିରେ ଆସୁଛନ୍ତି ତ ଆଉ କେଉଁଠି ଶିକ୍ଷୟିତ୍ରୀଙ୍କ ବଦଳରେ ତାଙ୍କ ପୁଅ ପଢାଉଛନ୍ତି ପାଠ । ଯାହାକୁ ନେଇ ଏବେ ଶିକ୍ଷାବିଭାଗ ଉପରେ ଅସନ୍ତୋଷ ଝାଡୁଛନ୍ତି ଅଭିଭାବକ....

ଚାନ୍ଦବାଲିରୁ ବାସୁଦେବ ଦାସ