• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଙ୍ଗନବାଡ଼ି କେନ୍ଦ୍ରକୁ ରନ୍ଧନ ଗ୍ୟାସ୍ ଓ ଚୁଲା ଯୋଗାଣରେ ବ୍ୟାପକ ଅନିୟମିତତା ଅଭିଯୋଗ । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ୨୦୦ ଅଙ୍ଗନବାଡି କେନ୍ଦ୍ରକୁ ଦିଆଯାଇଥିବା ଗ୍ୟାସ୍ ଯୋଗାଣରେ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ଆଣିଛନ୍ତି ଅଙ୍ଗନବାଡି କର୍ମୀ । କେନ୍ଦ୍ର ଗୁଡିକୁ ଯୋଗାଣକାରୀ ସଂସ୍ଥା ଯେଉଁ ଚୁଲା ଦେଇଛି, ତାହା ୨ ମାସ ଭିତରେ କଳଙ୍କି ଲାଗିଗଲାଣି, ଯାହାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି । ଭଙ୍ଗା ଓ କଳଙ୍କି ଚୁଲାରେ ଆଗକୁ କେମିତି ଅଙ୍ଗନବାଡି ଗୁଡିକରେ ଖାଦ୍ୟ ରନ୍ଧାଯିବ ତାକୁ ନେଇ ଉଠିଛି ପ୍ରଶ୍ନ ।

କୁନି କୁନି ପିଲାଙ୍କୁ ଦିଆଯାଉଥିବା ରନ୍ଧା ଖାଦ୍ୟ ପାଇଁ ଗ୍ୟାସ୍ ଚୁଲା ଓ ସିଲିଣ୍ଡର ଯୋଗାଇବାକୁ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଗତ ଫେବୃଆରୀରେ ଚିଠି ଲେଖାଯାଇଥିଲା । ଯେଉଁଥିରେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ୨୦୦ ଅଙ୍ଗନବାଡି କେନ୍ଦ୍ରକୁ ଗ୍ୟାସ୍ ସିଲିଣ୍ଡର ଓ ଚୁଲା ଯୋଗାଇବାକୁ ଉଲ୍ଲେଖ ଥିଲା । ଶିଶୁ କଲ୍ୟାଣ ବିଭାଗର ସରକାରୀ ନିର୍ଦ୍ଦେଶନାମା ଅନୁସାରେ ବ୍ରହ୍ମଗିରି ବ୍ଲକରେ କମିଟି ଗଠନ ହେଲା । ସେହି କମିଟି ଡିଲର ଚୟନ କରି ବ୍ରହ୍ମଗିରିର ହିଙ୍ଗୁଳା ଏଜେନ୍ସିକୁ ୧୧୫ ଓ ଲିଜା ଏଜେନ୍ସିକୁ ୮୫ଟି ଗ୍ୟାସ୍ ପାଇଁ ଅର୍ଡର ଦେଲା । ପ୍ରତି ସିଲିଣ୍ଡର ଓ ଚୁଲା ସେଟ୍ ପିଛା ୭ ହଜାର ୫୦୦ ଟଙ୍କା ଦେବାକୁ ସ୍ଥିର ହୋଇଥିଲା ।

ତେବେ ଗ୍ୟାସ୍ ଯୋଗାଣରେ ବିଳମ୍ବ ଯୋଗୁଁ ଦର ବଢିଯିବାରୁ ଯୋଗାଣକାରୀ ସଂସ୍ଥା ଆଉ ୭ ହଜାର ୫୦୦ ଟଙ୍କାରେ ଦେବାକୁ ଆଗ୍ରହ କଲାନି । ଫଳରେ ଶିଶୁ କଲ୍ୟାଣ ଅଧିକାରୀଙ୍କ ନିର୍ଦ୍ଦେଶରେ ଅଙ୍ଗନବାଡି କର୍ମୀମାନେ ନିଜ କଣ୍ଟିଜେନ୍ସି ଫଣ୍ଡରୁ ୧୪ ଶହ ଟଙ୍କା ମିଶାଇ ୮ ହଜାର ୯୦୦ ଟଙ୍କା ଦେଇ ଗ୍ୟାସ୍ ସଂଯୋଗ ନେଲେ । ଅଙ୍ଗନବାଡି କେନ୍ଦ୍ରକୁ ମିଳିଥିବା ବିଲରେ ଗୋଟିଏ ଚୁଲା ପିଛା ୧୯ ଶହ ୮୮ ଟଙ୍କା ଅର୍ଥାତ୍ ପ୍ରାୟ ୨ ହଜାର ଟଙ୍କା ରହିଛି । କିନ୍ତୁ ଚୁଲା ୨ ମାସ ଭିତରେ କଳା ପଡ଼ି କଳଙ୍କି ଲାଗିଗଲାଣି । ହାତ ମାରିଲେ କଳଙ୍କି ଝଡ଼ୁଛି, ଠିକରେ ଜଳୁନି । ତେଣୁ ଏହି ଗ୍ୟାସ୍ ଯୋଗାଣ ପଛରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ଅଙ୍ଗନବାଡି କର୍ମୀ ।

ବଜାରରେ ଏପରି ଚୁଲା ହଜାରେରୁ ୧୨ଶହ ଟଙ୍କାରେ ମିଳୁଥିବା ବେଳେ ଅଙ୍ଗନବାଡି କର୍ମୀଙ୍କଠାରୁ ଅଧିକ ଟଙ୍କା ନେଇ ନିମ୍ନମାନର ଚୁଲା ଦେଇଛି ଯୋଗାଣକାରୀ ସଂସ୍ଥା । ଏନେଇ ଅଭିଯୋଗ କଲେ ବ୍ରହ୍ମଗିରି ବ୍ଲକର ଶିଶୁ କଲ୍ୟାଣ ଅଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି । ଶେଷରେ ବ୍ରହ୍ମଗିରି ଅଙ୍ଗନବାଡି ସଂଘ ପୁରୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛି । ବ୍ଲକରେ ବିଡିଓ, ସିଡିପିଓ, ଜିପିଓ ଏବଂ ଯୋଗାଣ ଅଧିକାରୀଙ୍କୁ ନେଇ କମିଟି ଡିଲରଙ୍କୁ ଚୟନ କଲେ ତଥାପି କେମିତି ନିମ୍ନମାନର ଚୁଲା ଦେଲା ଗ୍ୟାସ୍ ଏଜେନ୍ସି ? ଚୁଲା ଯୋଗାଣରେ କାହିଁକି ହେଲା ବିଳମ୍ବ ? ଏବେ କଳଙ୍କି ଲଗା ଚୁଲାରେ କିପରି ଛୋଟ ପିଲାଙ୍କ ପାଇଁ ରନ୍ଧାଯିବ ଖାଦ୍ୟ, ସେହି ଚିନ୍ତାରେ ଅଙ୍ଗନବାଡି କର୍ମୀ ।

ଅଙ୍ଗନବାଡି ସଂଘ ବ୍ରହ୍ମଗିରି ଶାଖାର ଅଭିଯୋଗ ପାଇବା ପରେ ବ୍ରହ୍ମଗିରି ବ୍ଲକ ଶିଶୁ କଲ୍ୟାଣ ଅଧିକାରୀଙ୍କୁ କୁହାଯାଇଥିଲା । ସେ ନିଜ ଉପରୁ ସମ୍ପୂର୍ଣ୍ଣ ଦୋଷ ଛଡ଼ାଇ କର୍ମୀଙ୍କ ମୁଣ୍ଡରେ ଲଦିଛନ୍ତି, କିନ୍ତୁ ଚୁଲା ଗୁଡିକରେ ୨ ମାସ ଭିତରେ କଳଙ୍କି ଲାଗିଥିବା କଥା ସତ ବୋଲି ମାନିଛନ୍ତି ।

ବ୍ରହ୍ମଗିରିର ୨୦୦ ଅଙ୍ଗନବାଡି କେନ୍ଦ୍ରକୁ ଗ୍ୟାସ୍ ଯୋଗାଣରେ ବ୍ୟାପକ ହେରଫେର । ସବୁଠି ସମାନ ଅଭିଯୋଗ ଯଦି ୨ ମାସ ଭିତରେ ଚୁଲା ଗୁଡିକର ଅବସ୍ଥା ଏମିତି , ତେବେ ଅଙ୍ଗନବାଡି କେନ୍ଦ୍ରର କୋମଳମତି ପିଲାଙ୍କ ପାଇଁ ଆଗକୁ କେମିତି ରନ୍ଧାଯିବ ଖାଦ୍ୟ ?